ଖେରି ହିଂସା ଘଟଣାରେ ମୁହଁ ଖୋଲିଲେ ମନ୍ତ୍ରୀ: କହିଲେ ଘଟଣାସ୍ଥଳରେ ମୋ ପୁଅ ଥିବା ପ୍ରମାଣ ମିଳିଲେ ଇସ୍ତଫା ଦେବି

252

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଖେରି ଚାଷୀ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ କେନ୍ଦ୍ର ରାଷ୍ଟ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରା । ଏହି ଘଟଣାକୁ ନେଇ ଉତ୍ୟକ୍ତ ଚାଷୀ ଓ ବିରୋଧୀ ତାଙ୍କ ଇସ୍ତଫା ଦାବି କରୁଥିବାବେଳେ ଏହାକୁ ନେଇ ମତ ରଖିଛନ୍ତି ମନ୍ତ୍ରୀ । ଘଟଣା ସ୍ଥଳରେ ତାଙ୍କ ପୁଅ ଉପସ୍ଥିତ ଥିବା ବା ଚାଷୀଙ୍କ ଉପରେ ତାଙ୍କ ପୁଅ ଗାଡି ଚଢାଇଦେଇଥିବା ପ୍ରମାଣ ମିଳିବା ପରେ ହିଁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

 

ଅଜୟ ମିଶ୍ର ଏହା ପୂର୍ବରୁ ଦାବି କରିଥିଲେ ଯେ, ତାଙ୍କ ପୁଅ ଆଶିଷ ଘଟଣା ଘଟିବା ସମୟରେ ସେହି ସ୍ଥାନରେ ନଥିଲେ। ଘଟଣା ଘଟିବା ସମୟରେ ତାଙ୍କ ପୁଅ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାର ଭିଡିଓ ଏବଂ ଫଟୋ ପ୍ରମାଣ ଆକାରରେ ଥିବା ସେ କହିଥିଲେ।ଅନ୍ୟପକ୍ଷରେ କୃଷକ ସଂଘ ଦାବି କରିଥିଲା ଯେ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀଙ୍କ ପୁଅକୁ ନେଇ ଯାଉଥିବା ଏକ କାର ବିକ୍ଷୋଭକାରୀଙ୍କ ଉପରେ ଚଢ଼ିଯାଇଥିଲା। ଏହା ଫଳରେ ୪ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ୪ଜଣଙ୍କ ପରିବାରକୁ କ୍ଷତିପୂରଣ ଏବଂ ଆଶିଷ ମିଶ୍ରଙ୍କ ବିରୋଧରେ ଏତଲା ପଞ୍ଜିକୃତ କରିବାକୁ ଚାଷୀମାନେ ଆନ୍ଦୋଳନ କରିଥିବା ବେଳେ ପରେ ସେମାନଙ୍କର ଏହି ଦାବି ପୂରଣ କରାଯାଇଥିଲା।

 

ସୂଚନା ମୁତାବକ, ରବିବାର  ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଲଖିମପୁର ଖେରିକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା। କାରଗୁଡିକ ସେମାନଙ୍କୁ ଆଣିବାକୁ ଯାଉଥିବା ବେଳେ ବାଟରେ ଚାଷୀମାନେ ତିକୁନିଆ ଅଞ୍ଚଳରେ କାରକୁ ଦେଖି ବିରୋଧ କରିବା ଆରମ୍ଭ କରିଥିଲେ। ଏହାକୁ ଦେଖି ଅଟକିବା ପରିବର୍ତ୍ତେ ଗାଡ଼ି ଚାଳକ ଚାଷୀଙ୍କ ଉପ‌ରେ ଗାଡ଼ି ଚଢ଼ାଇଦେଇଥିଲେ, ଯାହାଫଳରେ ୪ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ଦେଖି ଉତ୍ୟକ୍ତ ଲୋକେ ଗାଡ଼ି ଭିତରେ ଥିବା ୪ଜଣ ବିଜେପି କର୍ମୀଙ୍କୁ ଟାଣି ଆଣି ମାଡ଼ ମାରିବାରୁ ଅନ୍ୟ ୪ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ହିଂସାରେ କେନ୍ଦ୍ର ରାଷ୍ଟ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଡ୍ରାଇଭର ସମେତ ୪ଜଣଙ୍କର ମୃତ୍ୟୁ ହୋଇଥିଲା। ଏପର୍ଯ୍ୟନ୍ତ ଏହି ହିଂସାରେ ମୋଟ ୮ଜଣଙ୍କର ମୃତ୍ୟୁ ଘଟିଛି।