କନକ ବ୍ୟୁରୋ: ବ୍ରେକଅପ୍ ଖାଲି ଗର୍ଲଫ୍ରେଣ୍ଡ୍ କି ବୟଫ୍ରେଣ୍ଡ୍ ଭିତରେ ହୁଏନି ବରଂ ବ୍ରେକଅପ୍ ଦୁଇ ଭଲ ବନ୍ଧୁଙ୍କ ମଧ୍ୟରେ ବି ହୋଇପାରେ । ଆଉ ଏବେ ସାରାବିଶ୍ବରେ ଗୋଟିଏ ବ୍ରେକଅପ୍ ନେଇ ଭାରି ଚର୍ଚ୍ଚା । ଏ ବ୍ରେକଅପ୍ ଏମିତି ସେମିତି ବ୍ରେକଅପ୍ ନୁହେଁ, ଆମେ କହୁଛୁ ବିଶ୍ବର ସବୁଠୁ ଶକ୍ତିଶାଳୀ ନେତା ତଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ  ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ମଧ୍ୟରେ ହୋଇଥିବା ବ୍ରେକଅପ୍ କଥା । ଉଭୟଙ୍କ ଭିତରେ ଏବେ ବିବାଦ ଏତେ ବାଟ ଆଗେଇଲାଣି ଯେ ସୋସିଆଲ୍ ମିଡିଆରେ ଛୋଟ ଛୁଆ ଭଳି ଦୁହେଁ କଳି ଝଗଡ଼ା ଲାଗୁଛନ୍ତି ।

Advertisment

ଯେତେବେଳେ ଦୁଇ କଟ୍ଟର ସାଙ୍ଗ ଶତ୍ରୁ ବନିଯାଆନ୍ତି ସେତେବେଳେ ପଦାରେ ପଡ଼େ ଉଭୟଙ୍କ ଭିତରେ ଥିବା ବାଦ ବିବାଦର ଭିତିରି କଥା । ଆମେରିକା ରାଷ୍ଟ୍ରପତି ନିର୍ବାଚନ ବେଳେ ଟ୍ରମ୍ପଙ୍କ ବିଜୟ ରଥର ସାରଥୀ ସାଜିଥିଲେ ଏଲନ୍ ମସ୍କ । ହେଲେ ଏବେ ଟ୍ରମ୍ପଙ୍କ ଶାସନ ନୀତିକୁ ନେଇ ଖୋଲାଖୋଲି ବିରୋଧ କରୁଛନ୍ତି ମସ୍କ । ଯାହାକୁ ନେଇ ଏଲନଙ୍କ ଉପରେ ଖପ୍ପା ହୋଇଯାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ।

ମସ୍କଙ୍କ ଇଭି ଗାଡ଼ି କମ୍ପାନି ଟେସଲାକୁ ଟ୍ରମ୍ପ୍ ଟାର୍ଗେଟ୍ କରିବା ପରେ ଏଲନ୍ ମସ୍କଙ୍କ ଟେନସନ୍ ବଢ଼ିଯାଇଛି । ଦୁହେଁ ଦୁହିଁଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ସ୍ବାମୀ-ସ୍ତ୍ରୀ ପରି ଚୁଟି ଟଣାଟଣି ହେଲା ଭଳି ହେଉଛନ୍ତି । ମେ’ ୩୦ ତାରିଖରେ ପ୍ରଥମଥର ଟ୍ରମ୍ପଙ୍କୁ ମୁହଁମୋଡ଼ି ଟ୍ରମ୍ପଙ୍କ ପ୍ରଶାସନରୁ ଇସ୍ତଫା ଦେଇଥିଲେ ମସ୍କ । ଆମେରିକାର DoGE ନେତୃତ୍ବ ନେଉଥିବା ମସ୍କ ଯେବେ ଟ୍ରମ୍ପଙ୍କ ହାତଛାଡ଼ିଲେ ତା’ପରଠୁ ହିଁ ବିଚ୍ଛେଦ ଆଉ ବିବାଦ ବଢ଼ିବାରେ ଲାଗିଛି ।

କୁହାଯାଏ ରାଜନୀତିରେ କେହି କାହାର ଶତ୍ରୁ ନୁହନ୍ତି କିମ୍ବା କେହି କାହାର ମିତ୍ର ନୁହନ୍ତି । ହେଲେ ଏଠି ତ ଦୁଇ ପାୱାରଫୁଲ୍ ବ୍ୟକ୍ତିଙ୍କ ଅହଙ୍କାର ଆଗରେ ସମ୍ପର୍କର ସଜ୍ଞା ତୁଚ୍ଛ କହିଲେ କିଛି ଭୁଲ୍ ହେବନି । କାରଣ ଜଣେ ନିଜର ଗୁଣଗାନ କରିବାକୁ ଭଲ ପାଉଥିବାବେଳେ ଅନ୍ୟ ଜଣେ ନିଜକୁ ତିସମାର୍ ଖାନ୍ ବୋଲି ଭାବୁଛି । ତେଣୁ ଟ୍ରମ୍ପ୍-ମସ୍କଙ୍କ ବ୍ରେକଅପ୍ କାହାଣୀ ଏକ ସିନେମା ଭଳି ଚାଲିଥିବାବେଳେ ଦର୍ଶକମାନେ ଏହାର ମଜା ନେଉଛନ୍ତି ।