protest Photograph: (kanak news)
କନକ ବ୍ୟୁରୋ: ଡ୍ରାଇଭର ସଂଘର ଆନ୍ଦୋଳନ ଦେଖିଲା ପରେ ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ ଉଠୁଛି, ସତରେ କ'ଣ ଆନ୍ଦୋଳନ ପ୍ରତିବାଦ, ଧାରଣା ଏମିତି କରାଯାଏ କି? ଆନ୍ଦୋଳନକୁ ଆଢ଼ୁଆଳରେ ରଖି ରାଜନୈତିକ ରୁଟି ସେକା ଯାଏ କି? ସେ ଯାହା ବି ହେଉ ଡ୍ରାଇଭର ସଂଘର ଆନ୍ଦୋଳନରେ ଓଡ଼ିଶା ଯେମିତି ଅଟକିଯାଇଛି । ଗତ ତିନିଦିନ ହେବ ଗୋଟିଏ ପଟେ ଯାତ୍ରୀ ପରିବହନ ଓ ମାଲ୍ ପରିବହନ ପୂରା ଠପ୍ ହୋଇପଡ଼ିଛି କହିଲେ କିଛି ଭୁଲ୍ ହେବନି ।
ହଁ ଆନ୍ଦୋଳନର ଅନେକ ରୂପ ଥାଏ...
ଯେମିତି କି...ସାମାଜିକ ଆନ୍ଦୋଳନ: ସମାଜର ନ୍ୟାୟ, ସମାନତା ଓ ଅଧିକାର ପାଇଁ ହୁଏ (ଯେପରିକି ଦଳିତ ଆନ୍ଦୋଳନ, ନାରୀ ଅଧିକାର ଆନ୍ଦୋଳନ) ।
ରାଜନୈତିକ ଆନ୍ଦୋଳନ – ଶାସନ ବ୍ୟବସ୍ଥା, ନୀତି ପରିବର୍ତ୍ତନ ଆଣିବା ପାଇଁ ଆନ୍ଦୋଳନ କରାଯାଏ ।
ଆର୍ଥିକ ଆନ୍ଦୋଳନ – କାର୍ଯ୍ୟସ୍ଥଳ ଅଧିକାର, ସର୍ବନିମ୍ନ ମଜୁରି, ନିଯୁକ୍ତି ଓ ଆର୍ଥିକ ସମସ୍ୟା ସମାଧାନ ପାଇଁ କରାଯାଏ ଆନ୍ଦୋଳନ ।
ପରିବେଶ ଆନ୍ଦୋଳନ – ପରିବେଶ ସୁରକ୍ଷା, ନଦୀ ବଞ୍ଚାଅ ପାଇଁ କରାଯାଏ ଆନ୍ଦୋଳନ ।
ସାଂସ୍କୃତିକ ଆନ୍ଦୋଳନ – ଭାଷା, ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷିତ ରଖିବା ପାଇଁ କରାଯାଏ ଆନ୍ଦୋଳନ ।
ଧାର୍ମିକ ଆନ୍ଦୋଳନ – ଧର୍ମ ସ୍ଵାଧୀନତା ବା ଧାର୍ମିକ ପରିବର୍ତ୍ତନ ସହିତ ଜଡିତ ଥିବା ପ୍ରସଙ୍ଗ ନେଇ କରାଯାଏ ଆନ୍ଦୋଳନ ।
ସବୁଠାରୁ ବଡ଼କଥା ହେଲା, ଏହି ସବୁ ଆନ୍ଦୋଳନ ଗୁଡ଼ିକ ଶାନ୍ତିପୂର୍ଣ୍ଣ ଭାବେ ବି କରାଯାଇପାରେ ।
ହେଲେ ଏମିତିକା ଆନ୍ଦୋଳନ ଯେଉଁଥିରେ ସାଧାରଣ ଜନତା ହନ୍ତସନ୍ତ ହେବେ ଆଉ ସରକାର ଓ ଡ୍ରାଇଭର ସଂଘ ଚୁପଚାପ୍ ବସି ମଜାନେବେ ତାହାକୁ ଆପଣ କ'ଣ କହିବେ? କେଉଁଠାରେ ଧର୍ମଘଟ ପାଇଁ ବୃଦ୍ଧା ଚାଲି ଚାଲି ଯାଉଥିବାର ଘଟଣା ସାମ୍ନାକୁ ଆସୁଛି ତ କେଉଁଠାରେ ଘରକୁ ନଯାଇପାରି ବସ୍ ଷ୍ଟାଣ୍ଡରେ ଯାତ୍ରୀ କାନ୍ଦୁଥିବାର ଖବର ବି ଓଡ଼ିଶାବାସୀ ଦେଖିଲେଣି । ଏମିତି ଆଉ କେତେଦିନ ଦହଗଞ୍ଜ ହେବେ ସାଧାରଣ ଜନତା ? ଡ୍ରାଇଭରଙ୍କ ମାନଭଞ୍ଜନ କେବେ କରିବେ ମୋହନ ସରକାର?
Follow Us