ଖଟିରେ ବଡ଼ ଚର୍ଚ୍ଚା । ବିଜୟ, ଦିଲୀପ ଯିବେ କୁଆଡ଼େ । ରାଜ୍ୟସଭା, ଲୋକସଭାକୁ ନେଇ ଗଣିତ କଷାଯାଉଥିବା ସୂଚନା ।

ଉଭୟ ବିଜୟ ଓ ଦିଲୀପ ବିଜୁ ବାବୁଙ୍କ ଏକାନ୍ତ ଅନୁଗତ ଓ ପ୍ରଶଂସକ ଥିଲେ। ତେଣୁ ବିଜୁ ବାବୁଙ୍କ ଦେହାନ୍ତ ପରେ ବିଜୟ ଓ ଦିଲ୍ଲୀପ ତାଙ୍କ ନାଁରେ ଦଳ ଗଠନର ପ୍ରମୁଖ ଭୂମିକା ନେଇଥିଲେ ।

1,529

କନକ ବ୍ୟୁରୋ: ବିଜେପିରୁ ଇସ୍ତଫା ଦେବାପରେ ବିଜୟ ମହାପାତ୍ର ଓ ଦିଲୀପ ରାୟ ବିଜେଡିକୁ ଫେରଯିବେ ବୋଲି ଚର୍ଚ୍ଚା ହେଉଛି । ଆଉ ଏଥିପାଇଁ ଦିନ, ସମୟ ଓ ସ୍ଥାନ ଚୂଡାନ୍ତ ହୋଇଥିବା ମଧ୍ୟ ଶୁଣିବାକୁ ମିଳିଛି । କିନ୍ତୁ ଯଦି ଉଭୟ ବିଜେଡ଼ି ଦଳ ବା ଘରକୁ ବାହୁଡ଼ନ୍ତି ତେବେ କେଉଁ ସର୍ତ୍ତାବଳୀ ସହ ବିଜୟ ଓ ଦିଲୀପ ଶଙ୍ଖ ଧରିବେ ତାହାକୁ ନେଇ ମଧ୍ୟ ରାଜନୀତି ଜୋର ଧରିଛି । ଆଉ ଏହାରି ମଧ୍ୟରେ ଶୁଣିବାକୁ ମିଳିଛି ଯେ, ଉଭୟ ଦିଲୀପ ଓ ବିଜୟଙ୍କ ପାଇଁ ରାଜ୍ୟସଭା ଏବଂ ଲୋକସଭା ପାଇଁ ଡିଲ୍ ହୋଇଛି ।

ଉଭୟ ବିଜୟ ଓ ଦିଲୀପ ବିଜୁ ବାବୁଙ୍କ ଏକାନ୍ତ ଅନୁଗତ ଓ ପ୍ରଶଂସକ ଥିଲେ। ତେଣୁ ବିଜୁ ବାବୁଙ୍କ ଦେହାନ୍ତ ପରେ ବିଜୟ ଓ ଦିଲୀପ ତାଙ୍କ ନାଁରେ ଦଳ ଗଠନର ପ୍ରମୁଖ ଭୂମିକା ନେଇଥିଲେ । କିନ୍ତୁ ସମୟ ଚକ୍ରରେ ଦୁହେଁ ବିଜେଡିରୁ ବାହାରି ଯାଇଥିଲେ । ଏବେ ଉଭୟଙ୍କ ଘର ବାହୁଡ଼ା ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ତେବେ କିଛି ସ୍ପଷ୍ଟ ହୋଇନଥିଲେ ମଧ୍ୟ ବିଜେଡ଼ି ଅନ୍ଦର ମହଲରେ ଚର୍ଚ୍ଚା ହେଉଛି ଯେ, ବିଜୟ ମହାପାତ୍ରଙ୍କୁ ଲୋକସଭାକୁ ପଠାଇ ରାଉରକେଲା ହେଭିୱେଟ୍ ନେତା ଦିଲୀପ ରାୟଙ୍କୁ ରାଜ୍ୟସଭା ଆସନ ଦେବାକୁ ବିଜେଡ଼ି ସହିତ ଡିଲ୍ ହୋଇଛି । ତେବେ ଏହାକୁ ନେଇ ମଧ୍ୟ ବିରୋଧୀଙ୍କ ଶିବିରରେ କମ୍ପନ ସୃଷ୍ଟି ହେଲାଣି ।

ଅନ୍ୟପଟେ ୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁଥବାରୁ ଅନେକ ଅଙ୍କ କଷାକଶି ଚାଲିଛି । ରାଜନୀତିକ ଆଲୋଚନା ଅନୁସାରେ ବର୍ତ୍ତମାନ ଶାସକ ବିଜେଡ଼ିରୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଓ ବରିଷ୍ଠ ନେତା ତଥା ବିଧାୟକ ଦାମୋଦର ରାଉତଙ୍କ ବହିଷ୍କାର ପରେ ଦଳରେ ନେତା ସଂକଟ ଅନୁଭୂତ ହୋଇଛି । ଏହାକୁ ମୁକାବିଲା କରିବା ପାଇଁ ଏହି ଦୁଇ ନେତାଙ୍କୁ ସାମିଲ କରାଯିବ।  ଦିଲୀପ ରାୟଙ୍କୁ ରାଜ୍ୟସଭା  ଓ ବିଜୟ ମହାପାତ୍ରଙ୍କୁ ଲୋକସଭା ପାଇଁ ବିଜେଡ଼ି ପକ୍ଷରୁ ଡ଼ିଲ ହୋଇଛି ଚର୍ଚ୍ଚା ହେଉଛି ।