ମିଶନ୍ ୨୦୧୯ ! ଧର୍ମେନ୍ଦ୍ରଙ୍କ ଜନ ସମ୍ପର୍କ ପଦଯାତ୍ରା, ସେପଟେ ଅପରାଜିତାଙ୍କ ଜନ ପରାମର୍ଶ ପଦଯାତ୍ରା, କାହାକୁ ମିଳିବ ଫାଇଦା ।

ଓଡ଼ିଶା ଉପରେ ବେଶ୍ ଫୋକସ କରୁଛି ବିଜେପି । ଯେଉଁଥି ପାଇଁ ଲୋକମାନଙ୍କ ନିକଟତର ହେବାକୁ ପ୍ରୟାସ କରୁଛନ୍ତି ବିଜେପିର ବରିଷ୍ଠ ନେତା ।

541

କନକ ବ୍ୟୁରୋ: ଗତ ଡିସେମ୍ବର ୧୧ ତାରିଖରେ ଆସିଥିବା ୫ ରାଜ୍ୟର ନିର୍ବାଚନ ଫଳାଫଳ ପରେ ବିଜେପିକୁ ଲାଗିଛି ବଡ଼ ଝଟକା । କାରଣ ବିଜେପି ଶାସିତ ୩ ରାଜ୍ୟରୁ ପଦ୍ମ ପାଖୁଡ଼ା ଖସିଲା ଭଳି ଗାଦି ଛଡ଼ାଇ ନେଇଛି କଂଗ୍ରେସ । ସେଥିପାଇଁ ଏବେ ଓଡ଼ିଶା ଉପରେ ବେଶ୍ ଫୋକସ କରୁଛି ବିଜେପି । ଯେଉଁଥି ପାଇଁ ଲୋକମାନଙ୍କ ନିକଟତର ହେବାକୁ ପ୍ରୟାସ କରୁଛନ୍ତି ବିଜେପିର ବରିଷ୍ଠ ନେତା । ତେବେ ରାଜ୍ୟ ବିଜେପିର ମଙ୍ଗୁଆଳ ଧର୍ମେନ୍ଦ୍ର ପ୍ରଧାନ ଏବଂ ନିକଟରେ ବିଜେପିରେ ଯୋଗଦେଇଥିବା ଅପରାଜିତା ଷଡ଼ଙ୍ଗୀ ଏନେଇ ଭରପୂର ପ୍ରୟାସ ଜାରି ରଖିଥିବା ଦେଖିବାକୁ ମିଳିଛି ।

ଗତ କିଛିଦିନ ହେବ ରାଜ୍ୟ ବିଜେପି ଏହି ଦୁଇ ଚର୍ଚ୍ଚିତ ଚେହେରା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନଜର ଆସୁଛନ୍ତି । କେଉଁଠି ଧର୍ମେନ୍ଦ୍ର ପ୍ରଧାନ ପଦଯାତ୍ରା କରୁଛନ୍ତି ତ ଆଉ କେଉଁଠି ଅପରାଜିତା ଷଡ଼ଙ୍ଗୀ ଯାଇ ଜନ ପରାମର୍ଶ ପଦଯାତ୍ରା କରି ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଛନ୍ତି । ତେବେ ଏହାପଛର ଗୁମର କ’ଣ ଜଣାପଡ଼ି ନଥିଲେ ମଧ୍ୟ ରାଜ୍ୟ ବିଜେପିର ଦୁଇ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବୋଲି ଖଟିରେ ଚର୍ଚ୍ଚା ଜୋର ଧରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ, ଧର୍ମେନ୍ଦ୍ର ପ୍ରଧାନ ଏବେ ଲୋକମାନଙ୍କ ପାଖକୁ ଯାଇ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ବିଭିନ୍ନ ହିସାବ କିତାବ ଦେଉଛନ୍ତି । ଅନ୍ୟପଟେ ପଦ୍ମକୁ ଓଡ଼ିଶାରେ ଫୁଟାଇବା ପାଇଁ ମଙ୍ଗଧରିଥିବା ଅପରାଜିତା ମଧ୍ୟ ଧିରେ ଧିରେ ଲୋକଙ୍କ ନିକଟତର ହେବାକୁ ଜନସମ୍ପର୍କରେ ଲାଗିପଡ଼ିଛନ୍ତି ।

ଅନ୍ୟପଟେ ଉଭୟଙ୍କ ଜନ ସମ୍ପର୍କ ପଦଯାତ୍ରାକୁ ଆଗାମୀ ନିର୍ବାଚନ ପାଇଁ ବିଜେପିର କସରତ ବୋଲି କହୁଛନ୍ତି ରାଜନୀତି ବିଶେଷଜ୍ଞ । କାରଣ ଆସନ୍ତା ୨୪ ତାରିଖ ଦିନ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ଖୋର୍ଦ୍ଧାରେ ହେବାକୁ ଥିବା ବିଶାଳ ଦଳୀୟ ସମାବେଶରେ ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ହୁଏତ ରାଜ୍ୟ ବିଜେପିର ଏହି ଦୁଇ ଚର୍ଚ୍ଚିତ ନେତାଙ୍କୁ କାର୍ଯ୍ୟଶୈଳୀକୁ ଅନୁଧ୍ୟାନ କରି ଗୁରୁମନ୍ତ୍ର ଦେବେ ବୋଲି ଖଟିରେ ଶୁଣିବାକୁ ମିଳୁଛି । ୨୦୧୯ ନିର୍ବାଚନ ପାଇଁ କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ସହ ଏକପ୍ରକାର ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ ବୋଲି ଚର୍ଚ୍ଚା ହେଉଛି । ତେବେ ଏସବୁ ଭିତରେ ପ୍ରଶାସିକା ପଦ ଛାଡି ପଦ୍ମ ପୋଖରୀକୁ ଡେଇଁଥିବା ଅପରାଜିତାଙ୍କ ପାଇଁ ଖାସ୍ ମୋଦି ଓଡିଶା ଆସୁଛନ୍ତି ବୋଲି ରାଜନୀତିର ଅନ୍ଦରମହଲରେ ଚର୍ଚ୍ଚା ହେଉଛି ।