ଟ୍ୱିଟରରେ ମଜା ପାଲଟିଲା ସଜା । ଜେଲରୁ ମୁକୁଳିବା ପରେ ଆୟାର ଭାବୁଛନ୍ତି ?

ଆୟାର ଆଉ ତୁଣ୍ଡରେ କେବେ ଧରିବେନି ଟ୍ୱିଟର ନାଁ ବୋଲି ଖଟିରେ ଚର୍ଚ୍ଚା ।

591

କନକ ବ୍ୟୁରୋ: କଥାରେ ଅଛି ବିଛା ମନ୍ତ୍ର ନ ଜାଣି ସାପ ଲାଙ୍ଗୁଡ଼ରେ ହାତ ମାରିବା କଥା ନୁହେଁ । ଆଉ ସେହି ଭୂଲ କରିଦେଲେ ଥଟ୍ଟା ମସ୍ତି କରୁଥିବା ଅଭିଜିତ୍ ଆୟାର ମିତ୍ର ମହାଶୟ । ନିଜ ଥଟ୍ଟା ପରିହାସ ତାଙ୍କ ପାଇଁ ଜେଲ କାରାବାସ ପାଲଟିଯିବ ସେ କେବେ ସ୍ୱପ୍ନରେ ଭାବି ନଥିଲେ । ଦେଶରୁ ବିଦେଶ ଯାଇ ଜଣେ ସମାଲୋଚକଭାବେ ନିଜ ମନ୍ତବ୍ୟକୁ ଟ୍ୱିଟ୍ କରି ଚର୍ଚ୍ଚାରେ ରହୁଥିଲେ ଆୟାର । ହେଲେ ଯେବେ ଓଡ଼ିଶାର କଳା ଏବଂ ସଂସ୍କୃତିକୁ ନେଇ ଟ୍ୱିଟରେ ମଜାକ୍ କରିଲେ ତାହାର ଦଣ୍ଡ ତାଙ୍କୁ ଭୋଗିବାକୁ ପଡ଼ିଲା । ଦୀର୍ଘ ଦେଢ଼ ମାସ ପରେ ଜାମିନ୍ ପାଇ ଜେଲର କଳା କୋଠରୀ ଭିତରୁ ବାହାରି ବାହାର ଦୁନିଆ ଦେଖିଛନ୍ତି ଆୟାରେ ବାବୁ । କିନ୍ତୁ ଏବେ ତାଙ୍କ ମୁହଁରେ ଆଉ କେବେ ଟ୍ୱିଟରର ନାଁ ଶୁଣିବାକୁ ମିଳିବ ନାହିଁ ବୋଲି ଖଟିର ହଟ୍ ଟପିକ ପାଲଟିଛି ।

କେବଳ ଓଡ଼ିଶାର କଳା ସଂସ୍କୃତି ନୁହେଁ ବରଂ ଓଡ଼ିଶାର ବିଧାୟକମାନଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଇ ନଥିଲେ ଅଭିଜିତ୍ । ଆଉ ଏହାପରେ ଦେଢ଼ମାସ ଧରି ଜେଲର ଅନ୍ଧାର କୋଠରୀରେ ଦିନ ରାତି ନିଜ ଭାଗ୍ୟକୁ ନିନ୍ଦୁଥିଲେ ଆୟାର । କାରଣ ପୂର୍ବରୁ ଅଭିଜିତ୍ ଅନେକ ଦେଶ ବିଦେଶକୁ ଯାଇ ସେଠାରେଥିବା ବିଭିନ୍ନ ସ୍ଥାନ ସମ୍ପର୍କରେ ସାଟାୟାର କରି ନିଜ ଅଡଫିସିଆଲ ଟ୍ୱିଟର ପେଜ୍ ରେ ପୋଷ୍ଟ କରି ଚର୍ଚ୍ଚାରେ ରହୁଥିଲେ ଅଭିଜିତ୍ ଆୟାର ମିତ୍ର । କିନ୍ତୁ ଓଡ଼ିଶା ବିରୋଧୀ ମନ୍ତବ୍ୟ ତାଙ୍କୁ ଭାରି ପଡ଼ିବ ବୋଲି କେବେ ସ୍ୱପ୍ନରେ ଭାବି ନଥିଲେ ଆୟାର । ଆଉ ଏବେ ଜେଲରୁ ମୁକୁଳିବା ପରେ କେବେ ତୁଣ୍ଡରେ ଟ୍ୱିଟର ନାଁ ଧରିବେନି ବୋଲି ଶୁଣିବାକୁ ମିଳୁଛି ।

ସବୁଠାରୁ ବଡ଼ କଥା ହେଲା ମାନ୍ୟବର ହାଇକୋର୍ଟ ଅଭିଜିତଙ୍କୁ ବିଭିନ୍ନ ସର୍ତ୍ତ ରଖି ଜାମିନ୍ ପ୍ରଦାନ କରିଛନ୍ତି । ଆଉ ଭବିଷ୍ୟତରେ କେବେ ଏଭଳି ଧର୍ମୀୟ ଭାବନାକୁ ଆଘାତ କରୁଥିବା ମନ୍ତବ୍ୟ ନ ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚନ୍ୟାୟାଳୟ । ଆଉ ଏହାପୂର୍ବରୁ ଓଡ଼ିଶା ସରକାରଙ୍କ ଜରିଆରେ ଓଡ଼ିଶାବାସୀଙ୍କ ସହ ସସସ୍ତଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ଆୟାର । ଏବେ ଆୟାରଙ୍କ ପାଇଁ ଜେଲର କଳା କୋଠରୀ ସତେ ଯେମିତି ଏକ ନୀତିଶିକ୍ଷା ପାଲଟିଗଲା ବୋଲି ଖଟିରେ ଚର୍ଚ୍ଚା ହେଉଛି ।