ମକର ସଂକ୍ରାନ୍ତି ପରେ ଓଡିଶାରେ ଆର୍ବିଭାବ ହେବ ନୂଆ ଆଞ୍ଚଳିକ ଦଳ ! ଆସନ୍ତାକାଲି ନାମୀ ହୋଟେଲରେ ନୂଆ ଦଳ ପାଇଁ ଖୋଳାଯିବ ପୁନାଦି

ବିଜେଡିରୁ ବିଦା ହେବା ପରେ ବର୍ଷେ ହେବ ରାଜନୈତିକ ଭବିଷ୍ୟତ ନେଇ ନିଷ୍ପତି ନେଇପାରୁନଥିବା ବୈଜୟନ୍ତ ଏବଂ ବିଜେପିକୁ ବାଏ ବାଏ କରିଥିବା ବିଜୟ ଓ ଦିଲ୍ଲୀପଙ୍କ ମଧ୍ୟରେ ଏହି ଗୁପ୍ତ ବୈଠକ ହେବ ବୋଲି ଶୁଣିବାକୁ ମିଳୁଛି ।

1,553

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପୂର୍ବରୁ ଓଡିଶାରେ ଆର୍ବିଭାବ ହେବ ଆଉ ଏକ ନୂଆ ଆଞ୍ଚଳିକ ଦଳ । ମକର ସଂକ୍ରାନ୍ତି ପରେ ପରେ ଶୁଭଲଗ୍ନ ଦେଖି ଏହି ନୂଆ ଦଳର ହଠାତ୍ ହେବ ଆର୍ବିଭାବ । ଏଥିପାଇଁ ଆସନ୍ତାକାଲି କାଳେ ପୁନାଦି ଖୋଳାଯିବ । ପୂରାପୁରି ଗୁପ୍ତ ଢଙ୍ଗରେ ଏହାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି । କେବଳ ଜୟଦେବ ବିହାରର ଦାମୀ ହୋଟେଲରେ ଚୂଡାନ୍ତ ଆଲୋଚନା ପରେ ଏହି ଦଳର ଘୋଷଣା କରାଯିବ । ଏଭଳି ଏକ ଚର୍ଚ୍ଚା ଶୀତ ଦିନର ଚା’ ଖଟିକୁ ଗରମ କରିଛି ।

ଚର୍ଚ୍ଚା ଅନୁଯାୟୀ, ଏହି ନୂଆ ଦଳ ପାଇଁ ଆସନ୍ତାକାଲି ଜୟଦେବ ବିହାର ଅଞ୍ଚଳରେ ଥିବା ନାମୀ ହୋଟେଲରେ ଶେଷ ପର୍ଯ୍ୟାୟ ଆଲୋଚନା ହେବ । ଏହି ଗୁପ୍ତ ବୁଝାମଣା ରାଜ୍ୟର ୩ ହେଭିୱେଟ ନେତାଙ୍କ ମଧ୍ୟରେ ହେବ ବୋଲି ଶୁଣିବାକୁ ମିଳୁଛି । ବିଜେଡିରୁ ବିଦା ହେବା ପରେ ବର୍ଷେ ହେବ ରାଜନୈତିକ ଭବିଷ୍ୟତ ନେଇ ନିଷ୍ପତି ନେଇପାରୁନଥିବା ବୈଜୟନ୍ତ ଏବଂ ବିଜେପିକୁ ବାଏ ବାଏ କରିଥିବା ବିଜୟ ଓ ଦିଲ୍ଲୀପଙ୍କ ମଧ୍ୟରେ ଏହି ଗୁପ୍ତ ବୈଠକ ହେବ ବୋଲି ଶୁଣିବାକୁ ମିଳୁଛି । ଖାସକରି ୨୦୧୯ ନିର୍ବାଚନରେ ନବୀନଙ୍କୁ ଚେକମେଟ ଦେବାକୁ ଏହି ୩ ନେତା ହାତ ମିଳାଇପାରନ୍ତି ବୋଲି ରାଜନୈତିକ ମହଲରେ ଶୁଣିବାକୁ ମିଳୁଛି ।

ଗୋଟିଏ ପଟେ ବିଜେଡିରୁ ବିଦା ହେବା ପରେ ବୈଜୟନ୍ତ ପ୍ରଥମେ ପଦ୍ମ ପୋଖରୀରେ ବୁଡ ମାରିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ଚର୍ଚ୍ଚାରେ ସେତେବେଳେ ବ୍ରେକ ଲାଗିଲା ଯେତେବେଳେ ବୈଜୟନ୍ତ ଡିସେମ୍ବର ୨୫ରେ ମୋଦିଙ୍କ ଓଡିଶା ଗସ୍ତ ପରେ ରାଜ୍ୟ ବିଜେପିକୁ ଟ୍ୱିଟ୍ କରି ମାରିଥିଲେ ତେରଛା ବାଣ । ଆଉ ଏହାସହ ବୈଜୟନ୍ତଙ୍କ ବିଜେପି କ୍ୟାମ୍ପକୁ ଯିବା ଚର୍ଚ୍ଚା ଉପରେ ଛକି ଚିହ୍ନ ଟାଣି ହୋଇଯାଇଥିଲା । ଏପରିକି ମଝିରେ ଦାମଙ୍କ ଦଳରେ ବୈଜୟନ୍ତ ସାମିଲ ହେବାର ଉଡା ଖବର ରାଜ୍ୟ ରାଜନୀତିକୁ ଉଷ୍ମ କରିଥିଲା । କିନ୍ତୁ ବୈଜୟନ୍ତ ଏହି ଖବରକୁ ଖଣ୍ଡନ କରିବା ପରେ ଏହି ଚର୍ଚ୍ଚାରେ ମଧ୍ୟ ବରଫ ଜମାଟ ମାଡିଯାଇଥିଲା ।

BIJAYA DILLIPଠିକ୍ ସେହିଭଳି ବିଜେପିରେ ଦୀର୍ଘ ଦିନ ଧରି କୋଣଠେସା ହୋଇ ପଡିଥିବା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ନଭେମ୍ବର ୩୦ରେ ଦେହରୁ ଗେରୁଆ ଗାମୁଛା ଓହ୍ଲାଇଦେବା ପରେ ସବୁଜ ଗାମୁଛା ପକାଇ ଶଙ୍ଖ ପୁଙ୍ଖିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ପୁଣିଥରେ ପୁରୁଣା ଘରକୁ ଏହି ଦୁଇ ନେତା କମବ୍ୟାକ୍ କରିବେ ବୋଲି ସବୁଜ କ୍ୟାମ୍ପର ଅନ୍ଦର ମହଲରୁ ଶୁଣିବାକୁ ମିଳୁଥିଲା । କିନ୍ତୁ ବିଜୟଙ୍କ ଫେସବୁକ ଲାଇଭ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଥିଲା । ଏହାଛଡା ଦିଲ୍ଲୀପ ଅନ୍ୟ ଦଳ ଆଡୁ ଅଫର ଆସୁଥିବା କହି କଂଗ୍ରେସରେ ଏଣ୍ଟ୍ରି ମାରିବା ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲେ । ଏପରିକି ଦାମଙ୍କ ଦଳରେ ଦିଲ୍ଲୀପ ଓ ବିଜୟ ସାମିଲ ହେଉଥିବା ନେଇ ମଧ୍ୟ କିଛି ଉଡା ଖବର ସାମ୍ନାକୁ ଆସିଥିଲା ।

ଏସବୁ ଭିତରେ ଦଳ ଛାଡିବା ପରେ ରାଜ୍ୟ ରାଜନୀତିରେ ଥଳକୁଳ ପାଉନଥିବା ଏହି ୩ ହେଭିୱେଟ ନେତାଙ୍କ ରାଜନୈତିକ ଭବିଷ୍ୟତ କଣ ହେବ ତାହାକୁ ନେଇ ଚର୍ଚ୍ଚା ହେଉଛି । ତେବେ ଏହି ଚର୍ଚ୍ଚାକୁ ବିରାମ ଦେବାକୁ ନୂଆ ଦଳ ଗଠନ କରି ଏହା ସାହାରାରେ ୨୦୧୯ ନିର୍ବାଚନରେ ଏହି ୩ ନେତା ଆଉ ଏକ ନୂଆ ରାଜନୈତିକ ଇନିଂସ ଆରମ୍ଭ କରିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି । ତେବେ ଆଗାମୀ ଦିନରେ ଓଡିଶାରେ ଆଉ ଏକ ଆଞ୍ଚଳିକ ଦଳ ଗଠନ ହେବ ନା ବୈଜୟନ୍ତଙ୍କ ଗେରୁଆ କ୍ୟାମ୍ପ ଏବଂ ଦିଲ୍ଲୀପ ଓ ବିଜୟଙ୍କ ସବୁଜ କ୍ୟାମ୍ପକୁ ଯିବା ନେଇ ଉଠିଥିବା ଚର୍ଚ୍ଚା ଭଳି ଏହା ମଧ୍ୟ ଥଣ୍ଡା ପଡିଯିବ ତାହା ଦେଖିବା ବାକି ରହିଲା ।