ସମ୍ବଲପୁରରେ ଆରମ୍ଭ ହେଲା ଖରିଫ ଧାନ କିଣା । ପ୍ରଥମରୁ ଅବ୍ୟବସ୍ଥା, ସବୁ ଚାଷୀଙ୍କ ପାଇଁ ମିଳିନି ଟୋକନ

137

କନକ ବ୍ୟୁରୋ : ଆରମ୍ଭ ହୋଇଛି ଖରିଫ ଋତୁ ଧାନ କିଣା ପ୍ରକ୍ରିୟା । ସମ୍ବଲପୁର ଜିଲ୍ଲାରେ ଆଜି ଠାରୁ ଧାନ କିଣିବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ତେବେ ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ନେଇ କଳା ବ୍ୟାଚ୍ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଚାଷୀ । ସବୁ ଚାଷୀଙ୍କ ନାଁରେ ଧାନ ବିକ୍ରି ନେଇ ଟୋକନ୍ ଆସିନଥିବାରୁ ଚାଷୀଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ହାତ ଗଣତି କିଛି ଚାଷୀଙ୍କ ନାଁରେ ଟୋକନ ଆସିଥିବା ବେଳେ ଜଳସେଚିତ ଜମିରେ ଏକର ପିଛା ୧୯ କ୍ୱିଂଟାଲ ଧାନ କିଣିବା ନେଇ ସରକାର ନେଇଥିବା ନିଷ୍ପତିକୁ ଚାଷୀ ବିରୋଧ କରିଛନ୍ତି । ଫଳରେ ମଣ୍ଡିରେ ଶହଶହ ବସ୍ତା ଧାନ ଗଦା ହୋଇ ରହିଛି । ତେବେ ଯେ ପର୍ଯ୍ୟନ୍ତ ପ୍ରଶାସନ ଚାଷୀଙ୍କ ସହ ଆଲୋଚନା କରି ନିଷ୍ପତି ପରିବର୍ତନ ନକରିଛନ୍ତି ସେପର୍ଯ୍ୟନ୍ତ ଧାନ ଉଠିବ ନାହିଁ ବୋଲି ସମ୍ବଲପୁର ଚାଷୀ ଦାବି କରିଛନ୍ତି ।

ଆଗାମୀ ଦିନରେ ଚାଷୀଙ୍କ ହିତରେ ନିଷ୍ପତି ନିଆନଗଲେ ଚାଷୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଚଳିତ ବର୍ଷ ସମ୍ବଲପୁର ଜିଲ୍ଲାରେ ୧୦୮ଟି ସୋସାଇଟି ଓ ୧୮ଟି ଏସଏଚଜି ଦ୍ୱାରା ଧାନ କିଣିବା ପାଇଁ ସରକାର ଯୋଜନା କରିଛନ୍ତି ।