ଓଡିଶା ଗସ୍ତରେ ଖଡଗେ; ନେତା, କର୍ମୀ ଉତ୍ସାହିତ । ଓଡିଶା ବଞ୍ଚାଅ ସମାବେଶରେ ଦଳ ଦେଖାଇବ ଶକ୍ତି ।

194

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଦିନିକିଆ ଓଡିଶା ଗସ୍ତକୁ ନେତା, ମନ୍ତ୍ରୀ ଓ କର୍ମୀ ସମସ୍ତେ ଉତ୍ସାହିତ । ଅଧ୍ୟକ୍ଷ ଭାର ଗ୍ରହଣ କରିବା ପରେ ଏହା ଖଡଗେଙ୍କ ପ୍ରଥମ ଓଡିଶା ଗସ୍ତ । ଏହି ଗସ୍ତର ପ୍ରଭାବ ୨୦୨୪ ସାଧାରଣ ନିର୍ବାଚନ ଉପରେ କିଭଳି ପଡିବ ସେନେଇ ପିସିସି ମଧ୍ୟ ବିଭିନ୍ନ କାର୍ଯ୍ୟ ହାତକୁ ନେଇଛି ।

କଂଗ୍ରେସ ୨୦୨୪ ନିର୍ବାଚନକୁ ଗୁରୁତ୍ୱର ସହ ଗ୍ରହଣ କରିଛି । କାରଣ ୨୦୧୯ରେ କଂଗ୍ରେସ ଓଡିଶାରେ ନିରାଶଜନକ ପ୍ରଦର୍ଶନ କରିଥିଲା । ବିଧାନସଭାରେ କଂଗ୍ରେସ ମାତ୍ର ୧୬ ପ୍ରତିଶତ ଭୋଟ ପାଇଥିଲା । ୧୩୮ ବିଧାନସଭା କ୍ଷେତ୍ରରେ ଦଳ ପ୍ରାର୍ଥୀ ଦେଇଥିବାବେଳେ ୩୧ଟି ଅସନରେ ଦ୍ୱିତୀୟ ଓ ୯୧ଟି ଆସନରେ ତୃତୀୟ ସ୍ଥାନରେ ଥିଲା । ସେଥିରୁ ୫୯ ଆସନରେ ଦଳ ୧୦- ପ୍ରତିଶତରୁ ମଧ୍ୟ କମ୍ ଭୋଟ ପାଇଥିଲା । ବ୍ରହ୍ମଗିରି ଓ ଖଣ୍ଡପଡାରେ ଦଳୀୟ ପ୍ରାର୍ଥୀ ମାତ୍ର ୧% ଭୋଟ ପାଇଥିଲେ । ପୁରୀ , ଖୋର୍ଦ୍ଧା, ପୋଲସରା, ଚମ୍ପୁଆ ଆସନରେ ଦଳ ମାତ୍ର ୨% ଭୋଟ ପାଥିଲା । ବିଞ୍ଝାରପୁର , ଯାଜପୁର, ସାଲେପୁର ମଧ୍ୟ ଭୁବନେଶ୍ୱର, ଚିଲିକା, ନୟାଗଡ, ଚିକିଟି ଭଳି ଆସନରେ ପ୍ରାର୍ଥୀମାନେ ମାତ୍ର ୩% ଭୋଟ ପାଇଥିଲେ ।

କିନ୍ତୁ ଏକ ଜାତୀୟ ଦଳ ଭାବେ ଏଥର ରାଜ୍ୟ କଂଗ୍ରେସ ଲୋକସଭା ଆସନକୁ ମଧ୍ୟ ଗୁରୁତ୍ୱ ଦେଉଛି । ୨୦୧୯ରେ କଂଗ୍ରେସ ଲୋକସଭା ନିର୍ବାଚନରେ ୧୪% ଭୋଟ ହାସଲ କରିଥିଲା । ୨୧ଟି ଅସନ ମଧ୍ୟରୁ ଭୁବନେଶ୍ୱର ସିପିଏମ୍, ଆସିକାରେ ସିପିଆଇ, ଓ ମୟୂରଭଞ୍ଜରେ ଜେଏମଏମ ସହ ଆସନ ବୁଝାମଣା କରିଥିଲା । ହେଲେ ମେଣ୍ଟ ପ୍ରାର୍ଥୀ ପରାଜୟ ବରଣ କରିଥିଲେ । ଏହାକୁ ନେଇ ହାଇକମାଣ୍ଡ ଚିନ୍ତା ପ୍ରକାଶ କରିଥିଲେ ଏବଂ ରାଜ୍ୟ ନେତାଙ୍କୁ ବିଭିନ୍ନ ଦାୟିତ୍ୱ ଦେଇଥିଲେ । ଓଡିଶା ଗସ୍ତ ସମୟରେ ଏନେଇ ଦାୟିତ୍ୱରେ ଥିବା ନେତାଙ୍କ ସହ ଆଲୋଚନା କରିବେ ଖଡଗେ ।
ଏହାସହ ଆସନ୍ତା ଫେବୃୟାରୀ ୧୪ ତାରିଖରୁ ରାହୁଲ ଗାନ୍ଧୀ ଓଡିଶାର ୪ ଜିଲ୍ଲାରେ ୪ ଦିନିଆ ଭାରତ ଯୋଡୋ ନ୍ୟାୟ ଯାତ୍ରା କରିବେ । ଏହା କିଭଳି ସଫଳ ହେବ ସେ ନେଇ ମଧ୍ୟ ଖଡଗେ ନେତାଙ୍କ ସହ ଆଲୋଚନା କରିବେ । ଓଡିଶା ଗସ୍ତ କାଳରେ ସେ ରାଜ୍ୟର ଇଣ୍ଡିଆ ମେଣ୍ଟ କର୍ମକର୍ତ୍ତାଙ୍କ ସହ ମଧ୍ୟ ଆଲୋଚନା କରିବେ ବୋଲି ସ୍ଥିର ହୋଇଛି ।