ବିତର୍କକୁ ନେଇ ବିବାଦ ! ଅଭିଜିତ ଆୟାରଙ୍କ ପ୍ରସଙ୍ଗରେ ବିଧାନସଭାକୁ ଚ୍ୟାଲେଂଜ ଦେଲେ ଖାରବେଳ ସ୍ୱାଇଁ, କହିଲେ ତଳକୁ ଖସିଲା ଗୃହର ମର୍ଯ୍ୟାଦା ।

52

କନକ ବ୍ୟୁରୋ : ବିତର୍କକୁ ନେଇ ବଢ଼ିଲା ବିବାଦ । ଅଭିଜିତ୍ ଆୟାର ମିତ୍ରଙ୍କ ଗିରଫଦାରୀ ପ୍ରସଙ୍ଗରେ ବରିଷ୍ଠ ନେତା ଖାରବେଳ ସ୍ୱାଇଁ ରଖିଥିବା ମତକୁ ନେଇ ସୃଷ୍ଟି ହୋଇଛି ନୂଆ ବିବାଦ । ଖାରଖେଳ ସ୍ୱାଇଁ କହିଥିଲେ, ଓଡ଼ିଶା ବିଧାନସଭା ଗୃହ କମିଟି ପ୍ରତିହିଂସା ପରାୟଣ ହୋଇଉଠିଛି । ସେହିପରି ବିଧାନସଭାକୁ ନିମ୍ନଶ୍ରେଣୀର ବିଧାନଗୃହ ବୋଲି ଆକ୍ଷେପ କରିଥିଲେ । ଯାହାକୁ ନେଇ ସୃଷ୍ଟି ହୋଇଛି ଝଡ଼ । ଖାରଖେଳ ସ୍ୱାଇଁ ଏହି ବୟାନକୁ କେନ୍ଦ୍ରକରି, କେନ୍ଦ୍ରାପଡ଼ା ଆଳିରେ ଆଜି ତାଙ୍କୁ ବିରୋଧର ସାମ୍ନା କରିବାକୁ ପଡ଼ିଛି । ଖାରବେଳ ସ୍ୱାଇଁଙ୍କ ଉପରେ କିଛି ଲୋକ ଆକ୍ରମଣ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।

ଅଭିଜିତ୍ ଆୟାର କ୍ଷମା ମାଗିବା ପରେ ବି ବିଧାନସଭା ଗୃହ କମିଟି ପ୍ରତିହିଂସା ପରାୟଣ ହୋଇ ପଡ଼ିଛି ବୋଲି ଅଭିଯୋଗ କରିଛନ୍ତି ଖାରବେଳ । କେବଳ ଏତିକି ନୁହେଁ, ବିଧାନସଭାକୁ ନିମ୍ନଶ୍ରେଣୀର ବିଧାନଗୃହ ବୋଲି ଆକ୍ଷେପ କରି ଖୋଲା ଚ୍ୟାଲେଂଜ୍ ଦେଇଛନ୍ତି । ଓଡ଼ିଶା ବିଧାନସଭାକୁ ଖାରବେଳଙ୍କ ଚ୍ୟାଲେଂଜ୍ । ଗୃହ କମିଟିର ଆଭିମୁଖ୍ୟକୁ ନେଇ ଉଠାଇଲେ ପ୍ରଶ୍ନ । କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ଅଭିଜିତଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଥିବା ଖାରବେଳ ଅଭିଯୋଗ କରିଛନ୍ତି । ଯାହା ଓଡ଼ିଆ ଜାତି ତଥା ଓଡ଼ିଶା ବିଧାନସଭାର ମର୍ଯ୍ୟାଦା ବୃଦ୍ଧି କରୁନି ବରଂ ତଳକୁ ଖସାଇଛି ବୋଲି ସେ କହିଛନ୍ତି ।

ଏପଟେ ଖାରବେଳଙ୍କ ଏଭଳି ଯୁକ୍ତିକୁ ପରୋକ୍ଷରେ ସମର୍ଥନ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ । ସେ କହିଛନ୍ତି, ଏଭଳି କିଛି କରାନଯାଉ, ଯାହା ଭୁଲ ବାର୍ତା ଦେବ । ଖାରବେଳଙ୍କ ମନ୍ତବ୍ୟରେ ବିଧାନସଭା କିମ୍ବା ବିଧାୟକଙ୍କୁ ଆକ୍ଷେପ ହୋଇଛି ନା ନାହିଁ ସେନେଇ ବିଚାର କରାଯିବ ବୋଲି ସୂଚନା ଦେଇଛନ୍ତି ଗୃହ କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର । ଏପଟେ ଅଭିଜିତଙ୍କ ସପକ୍ଷରେ ଖାରବେଳ ସ୍ୱାଇଁ ଯେଉଁ ମନ୍ତବ୍ୟ ରଖିଛନ୍ତି ତାକୁ ନେଇ କେନ୍ଦ୍ରାପଡ଼ାରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଖାରବେଳଙ୍କ ମନ୍ତବ୍ୟକୁ ବିରୋଧ କରି କିଛି ଲୋକ ତାଙ୍କ ସଭାରେ ପ୍ରତିବାଦ କରିଛନ୍ତି । ଏପରିକି ତାଙ୍କ ଉପରକୁ ଆକ୍ରମଣ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି ।