ଖାରବେଳ କଷିଲେ ମେଣ୍ଟ ଗଣିତ ! ଦାମ, ବୈଜୟନ୍ତ ଓ ବ୍ରଜଙ୍କୁ ନେଇ ହେବ ସମୀକରଣ, ବିକଳ୍ପ ମୋର୍ଚ୍ଚାର ଚେହେରା କିଏ ?

386

କନକ ବ୍ୟୁରୋ : ବିଜେଡି ବିରୋଧରେ ମହାମେଂଟ ଗଠନ ନେଇ ଆଜି ସଙ୍କେତ ଦେଇଛନ୍ତି ଖାରବେଳ ସ୍ୱାଇଁ । ଏହି ମହାମେଂଟର ରୂପରେଖ ୧୫ ଦିନ ଭିତରେ ସ୍ପଷ୍ଟ ହେବ ଏବଂ ଏଥିପାଇଁ କଥାବାର୍ତା ଚାଲିଛି ବୋଲି କହିଛନ୍ତି ଉତ୍କଳ ଭାରତର ସଭାପତି । ସେ କହିଛନ୍ତି, ଏଥିରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ଦାମ ରାଉତ ଓ ପୁରୀର ପୂର୍ବତନ ସାଂସଦ ବ୍ରଜ କିଶୋର ତ୍ରିପାଠୀ ସାମିଲ ହୋଇପାରନ୍ତି । ଏହି ମହାମେଂଟ ବିଜେଡି ବିରୋଧରେ ଲଢିବ । ତେବେ ବିଜେପି ସହ କୌଣସି ପ୍ରକାରର ବୁଝାମଣା ହେବ ନାହିଁ ବୋଲି ଖାରବେଳ ସ୍ପଷ୍ଟ କରିଛନ୍ତି ।

ଖାରବେଳ ସ୍ୱାଇଁ- ଦୁଇ ଦୁଇ ଥରର ସାଂସଦ । ବିଜେପି ରାଜନୀତିରୁ ଅଲଗା ହୋଇ ନୂଆ ରାଜନୈତିକ ଦଳ ଉକ୍ରଳ ଭାରତ ଗଢିବା ପରେ ଦୀର୍ଘବର୍ଷ ହେଲା କ୍ଷମତାରୁ ଦୂରେଇ ରହିଛନ୍ତି । ସ୍ୱଚ୍ଛ ଭାବମୂର୍ତି, ଅଭିଜ୍ଞ ରାଜନୀତି ଓ ତଥ୍ୟ ସମ୍ବଳିତ ମତ ପାଇଁ ଖାରବେଳ ସବୁବେଳେ ଚର୍ଚ୍ଚିତ ।

ବୈଜୟନ୍ତ ପଣ୍ଡା- ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ନିଜ ଲେଖା ଓ ଟ୍ୱିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା ଓ କେନ୍ଦ୍ର ଯୋଜନାର ଗୁଣଗାନ କରି ଚର୍ଚ୍ଚାରେ ରହିଛନ୍ତି । ବିଜେଡିକୁ ବାରମ୍ବାର କାଠଗଡାରେ ଛିଡାକରି ଦଳରୁ ଅଲଗା ହେବା ପରେ ବିରୋଧୀ ଭୂମିକାରେ ଅଛନ୍ତି ।

ଦାମୋଦର ରାଉତ୍- ବିଜୁ ଅନୁଗତ ଭାବେ ସାରା ରାଜ୍ୟରେ ଚର୍ଚ୍ଚିତ ଚେହେରା ଦାମ ବାବୁ ସାତ ସାତ ଥରର ବିଧାୟକ । ବିବାଦୀୟ ବୟାନ ପାଇଁ ଦଳରୁ ବିଦାହେବା ପରେ ବିଭିନ୍ନ ସ୍ଥାନରେ ସଭା ଆୟୋଜନ କରି ନିଜ ଆଭିମୁଖ୍ୟ ରଖୁଛନ୍ତି ।

ବ୍ରଜ ତ୍ରିପାଠୀ- ଚାରି ଚାରି ଥରର ସାଂସଦ । ଏନଡିଏ ସରକାରରେ କେନ୍ଦ୍ରମନ୍ତ୍ରୀ ରହିସାରିଛନ୍ତି । ସମତା କ୍ରାନ୍ତି ନାଁରେ ନୂଆ ଦଳ ଗଢିଥିଲେ ବି ନିର୍ବାଚନୀ ରାଜନୀତିରେ ଆଉ ସଫଳ ହୋଇପାରି ନାହାନ୍ତି ।

ଥରେ ଚିନ୍ତା କରନ୍ତୁ ରାଜ୍ୟ ରାଜନୀତିର ଏହି ଚର୍ଚ୍ଚିତ ଚେହେରା ଯଦି ଗୋଟିଏ ଛତା ତଳେ ଏକାଠି ହୁଅନ୍ତି ତାହାହେଲେ କଣ ହେବ ରାଜନୈତିକ ସମୀକରଣ । ଉକ୍ରଳ ଭାରତ ମୁଖ୍ୟ ଐର ଖାରବେଳ ସ୍ୱାଇଙ୍କ ନେତୃତ୍ୱରେ ପ୍ରସ୍ତୁତ ହେଉଛି ନବୀନ ବିରୋଧୀ ମହାମେଳି । ୨୦୧୯ରେ ବିଜେଡିକୁ ଟକ୍କର ଦେବାଲାଗି ଏକ ବିକଳ୍ପ ମେଂଟ ପାଇଁ ଅଂଟା ଭିଡିଛନ୍ତି ଏହି ପୂର୍ବତନ ସାଂସଦ ।

ଖାରବେଳ ଦାବି କରୁଛନ୍ତି, ଓଡିଶାରେ ବିଜେଡିର ବିକଳ୍ପ ହୋଇ ଲୋକଙ୍କୁ ସୁଶାସନ ଦେଇପାରିବ ଏହି ମହାମେଂଟ । ବିଜେଡି ସରକାର ବିରୋଧୀ ହାୱାରୁ ଫାଇଦା ମିଳିବ । ଏପରିକି ରାଜ୍ୟରେ ବିଜେଡିକୁ କଡା ଟକ୍କର ଦେଉଥିବା ଭାରତୀୟ ଜନତା ପାର୍ଟି ଯଦି ତାର ଆଭିମୁଖ୍ୟରେ ପରିବର୍ତନ କରେ ତାହାହେଲେ ବିଜେପିକୁ ସାଙ୍ଗରେ ନେବାରେ କିଛି ଅସୁବିଧା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଏହାରି ଭିତରେ ନଜର ରହିଛି ରାଜ୍ୟ ରାଜନୀତିର ଆଉ ଦୁଇ ଚର୍ଚ୍ଚିତ ନେତାଙ୍କ ଉପରେ । ନିକଟରେ ବିଜେପି ଛାଡିଥିବା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ସେମାନଙ୍କ ଆଗାମୀ ରଣନୀତି ନେଇ ସ୍ପଷ୍ଟ କରିନାହାନ୍ତି । ନ୍ୟୁଜ ମେକର କାର୍ଯ୍ୟକ୍ରମରେ ଭାଗନେଇ ନବୀନ ନିବାସ ଓ କଂଗ୍ରେସ ଭବନ ବାହାରେ ମଧ୍ୟ ଆଉ ଏକ ଦିଗ ରହିଛି ବୋଲି ମତ ରଖିଥିଲେ ବିଜୟ । ଅର୍ଥାତ ବିଜେଡି ଓ ବିଜେପିକୁ ବାଦଦେଇ କୌଣସି ରାଜନୈତିକ ସମୀକରଣରେ ରହିବା ନେଇ ସେ ସଂକେତ ଦେଇଥିଲେ ।

ଖାରବେଳଙ୍କ ପରିକଳ୍ପିତ ମହାମେଂଟରେ ବିଜୟ ଓ ଦିଲ୍ଲୀପ ସାମିଲ ହେଉଛନ୍ତି କି ନାହିଁ ତା ଉପରେ ରହିଛି ସମସ୍ତଙ୍କ ନଜର । ଅବଶ୍ୟ ଦୁଇ ନେତା ଅତୀତରେ ବିଦା ହୋଇଥିବା ଦଳକୁ ଫେରିବା ପାଇଁ ପ୍ରୟାସ ଜାରି ରଖିଥିବା କହିଛନ୍ତି ଖାରବେଳ ।