କନକ ବ୍ୟୁରୋ : ଚଳିତ ପଞ୍ଚାୟତ ନିର୍ବାଚନର ଫଳାଫଳ ବିଜେଡି ଶିବିରକୁ ଯେତିକି ଉତ୍ସାହିତ କରିଛି, ବିରୋଧୀ ବିଜେପିକୁ ସେତିକି ଚକିତ କରିଛି । କାରଣ ୨୦୧୭ ନିର୍ବାଚନର ସଫଳତାକୁ ଦୋହରାଇବାରେ ବିଫଳ ହୋଇଛି ବିଜେପି । ଖାସକରି ପଶ୍ଚିମ ଓଡ଼ିଶାରେ ଦଳର ପ୍ରଦର୍ଶନ ବିଜେପି ନେତୃତ୍ୱଙ୍କୁ ବଡ ଝଟକା ଦେଇଛି । କାରଣ ପଶ୍ଚିମ ଓଡ଼ିଶାର ଫଳାଫଳକୁ ନେଇ ବିଜେପି ବେଶ ଆଶାବାଦୀ ଥିଲା । କିନ୍ତୁ ଏଠାରେ ଦଳକୁ ମନମୁତାବକ ସଫଳତା ମିଳିନାହିଁ । ବରଂ ଗତଥର ବିଜେପି ଦଖଲ କରିଥିବା ଜୋନ ଗୁଡିକୁ କବଜା କରିଛି ବିଜେଡି । ତେବେ ନେତୃ୍ତ୍ୱ ସଙ୍କଟ ପାଇଁ ଦଳର ଏଭଳି ପ୍ରଦର୍ଶନ ହୋଇଥିବା କହି ରାଜନୈତିକ ମାହୋଲକୁ ସରଗରମ କରିଛନ୍ତି ବିଜେପି ନେତା ଖାରବେଳ ସ୍ୱାଇଁ ।
ଏହାସହ ବିଜେଡି ସହ କେନ୍ଦ୍ର ନେତୃତ୍ୱଙ୍କ ଭଲ ସମ୍ପର୍କ ହିଁ ରାଜ୍ୟରେ କିଭଳି ଦୁଇ ଜାତୀୟ ରାଜନୈତିକ ଦଳକୁ ବ୍ୟାକଫୁଟକୁ ଠେଲି ଦେଇଛି ତାହା କହିଛନ୍ତି ଖାରବେଳ । ପଞ୍ଚାୟତ ଫଳାଫଳକୁ ନେଇ ଖାରବେଳ କହିଛନ୍ତି ଦିଲ୍ଲୀରେ ବିଜେପି ଓ କଂଗ୍ରେସ ମନରେ କେଉଁଠି ନା କେଉଁଠି ଧାରଣା ରହିଛି ଯେ, ଓଡିଶାର ମୁଖ୍ୟମନ୍ତ୍ରୀ ସବୁବେଳେ ଆମକୁ ସମର୍ଥନ କରୁଛନ୍ତି । ତେଣୁ ରାଜ୍ୟର ଆମ ଦଳ ନ ଜିତିଲେ ବି ସେମିତି କିଛି ଅସୁବିଧା ହେବନି । ଯାହାର ସୁଯୋଗ ନବୀନ ନେଉଛନ୍ତି । ନବୀନଙ୍କ ବିଜେଡି ବିରୋଧରେ ଲଢେଇ କରିବା ପରିବର୍ତ୍ତେ ସୁ ସମ୍ପର୍କ ନେଇ ଆଗକୁ ବଢୁଛନ୍ତି ଦିଲ୍ଲୀ ନେତୃତ୍ୱ । ଯାହା ଫଳରେ ଏକ ସୁରକ୍ଷିତ ଜୋନରେ ବିଜେଡି ରହି ଆସିଛି ।
ବିଜେପିରେ ନେତୃତ୍ୱ ସଙ୍କଟ ରହିଛି, ସେଥିପାଇଁ ଦଳ ଏତେ ଖରାପ ପ୍ରଦର୍ଶନ କରୁଛି । ବିଜେଡିକୁ ଚ୍ୟାଲେଞ୍ଜ ଦେବାକୁ ହେଲେ ଜଣେ ନିର୍ଦ୍ଦିଷ୍ଟ ଚେହେରାଙ୍କୁ ଓଡ଼ିଶାରେ ବିଜେପିର ଶୀର୍ଷ ନେତୃତ୍ୱ ସାମ୍ନାକୁ ଆଣିବା ଦରକାର : ଖାରବେଳ ସ୍ୱାଇଁ, ବରିଷ୍ଠ ବିଜେପି ନେତା । #ElectionsWithKanakNews#PanchayatResults#Odisha#KanakNewspic.twitter.com/O0lcF2qyCW
— Kanak News (@kanak_news) February 28, 2022
କେବଳ ଏତିକି ନୁହେଁ, ଆମେ ଜିତିପାରିବୁ, ବିଜେଡି ଓ ନବୀନଙ୍କ ସହ ଲଢି ଜିତିପାରିବୁ । ଏ ଧରଣର ବିଶ୍ୱାସ ନେଇ ଓଡ଼ିଶାର କୌଣସି ନେତା ଦିଲ୍ଲୀ ବିଜେପିକୁ ବୁଝାଇ ପାରିନାହାନ୍ତି । ସେମାନଙ୍କୁ ବୁଝାଇ ନ ପାରିବାରୁ ଓଡ଼ିଶାରେ ବିଜେପିର ଏମିତି ସ୍ଥିତି । କିନ୍ତୁ ମାର୍ଚ୍ଚ ୧୦ ପରେ କେନ୍ଦ୍ର ନେତୃତ୍ୱଙ୍କୁ ଭେଟି ଏ ବାବଦରେ ଆଲୋଚନା କରିବୁ । ଦଳର ଶକ୍ତି ବାବଦରେ ଅବଗତ କରିବୁ । ନବୀନଙ୍କ ଭାବମୂର୍ତ୍ତି ହିଁ ବିଜେଡି ବିଜୟ ପଛର ବଡ କାରଣ । କିନ୍ତୁ ଓଡ଼ିଶାରେ ବିଜେଡିକୁ ହରାଇବା ଆଦୌ କଷ୍ଟକର ନୁହେଁ, କିନ୍ତୁ ଏଥିପାଇଁ ନେତୃତ୍ୱର ଆବଶ୍ୟକ । ଯାହାଙ୍କ ଭାବମୂର୍ତ୍ତି ନବୀନ ପଟ୍ଟନାୟକଙ୍କ ଠାରୁ ଭଲ ହୋଇଥିବା ଆବଶ୍ୟକ । ଆଉ ସେହିଭଳି ଲୋକ ବିଜେପିରେ ଅଛନ୍ତି । କେନ୍ଦ୍ର ନେତୃତ୍ୱଙ୍କର ବୁଦ୍ଧି ଅଛି । ନିର୍ଦ୍ଦିଷ୍ଟ ଚେହେରାଙ୍କୁ ସାମ୍ନାକୁ ଆଣି ଅନେକ ରାଜ୍ୟରେ ନିର୍ବାଚନ ଜିତିଛି ଦଳ । ତେଣୁ ଓଡ଼ିଶା ପରିପ୍ରେକ୍ଷୀରେ ମଧ୍ୟ ସେହି ଫର୍ମୁଲା ଆପଣାଇ ମୈଦାନକୁ ଓହ୍ଲାଇପାରେ ଦଳ । ତେବେ ଏହା ପୂର୍ବରୁ ମାନସମନ୍ଥନ କରାଯାଇ ନିଶ୍ଚୟ ନିଷ୍ପତ୍ତି ନେବେ ।