ବିଧାନସଭାରେ ଉଠିଲା ଖରସ୍ରୋତା ଆନ୍ଦୋଳନ ପ୍ରସଙ୍ଗ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ନରସିଂହ ମିଶ୍ର

ବିଧାନସଭାରେ ଏସିଏଫ ସୌମ୍ୟରଂଜନ ମୃତ୍ୟୁ ପ୍ରସଙ୍ଗ ଉଠାଇଲେ ପାରଳାଖେମୁଣ୍ଡି ବିଧାୟକ; କେ ନାରାୟଣ ରାଓ କହିଲେ, ମାମଲାରେ ସମ୍ପୃକ୍ତ ଡିଏଫଓଙ୍କୁ ସୁରକ୍ଷା ଦେଉଛନ୍ତି ସରକାର  

110

କନକ ବ୍ୟୁରୋ : ବିଧାନସଭାରେ ଉଠିଲା ଖରସ୍ରୋତା ପ୍ରକଳ୍ୱ ବିବାଦ ପ୍ରସଙ୍ଗ । ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଲେ ଜଳ ସମ୍ପଦ ବିଭାଗର ବିନା ଅନୁମତିରେ ଚାଲିଛି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ । ପୋଲିସ ଲଗାଇ ବଳପୂର୍ବକ ଭାବେ କାର୍ଯ୍ୟ କରୁଛି ପ୍ରଶାସନ । ଏହି ପ୍ରସଙ୍ଗରେ ଗୃହରେ ଜବାବ ରଖିଛନ୍ତି ଆଳି ବିଧାୟକ ପ୍ରତାପ ଦେବ । କହିଛନ୍ତି ଖରସ୍ରୋତା ପ୍ରକଳ୍ପ ପାଇଁ ଜଳ ସମ୍ପଦ ବିଭାଗର ଅନୁମତି ରହିଛି । ପୋଲିସ କୌଣସି ବେଆଇନ କାର୍ଯ୍ୟ କରୁନାହିଁ । ବରଂ ଲୋକଙ୍କ ମନରେ ପ୍ରକଳ୍ପ ସମ୍ପର୍କରେ ବିଭ୍ରାନ୍ତିକର ମତ ସୃଷ୍ଟି କରି ଆନ୍ଦୋଳନ କରାଯାଉଛି । ଘରେ ଘରେ ପାଣି ଯୋଗାଇବା ପାଇଁ ଉଦ୍ୟମ କରାଯାଉଛି କହିଲେ ବିଧାୟକ ।

ସେହିଭଳି ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ମନ୍ତ୍ରୀଙ୍କ ବିବୃତି ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନାହିଁ । ମନ୍ତ୍ରୀଙ୍କ ବିବୃତି ଉପରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି । ବଲାଙ୍ଗୀର ତୁରେଇକଲା ବ୍ଲକର ଚାଷୀ ଆତ୍ମହତ୍ୟା ଘଟଣା ମରୁଡି ଜନିତ । ଫସଲ ହାନୀ ଓ ଋଣ ଭାର ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଦାବି କରିଛନ୍ତି ନରସିଂହ । କଂଗ୍ରେସ ପ୍ରତିନିଧି ଦଳ ସେଠାରେ ପହଂଚି ରିପୋର୍ଟ ସଂଗ୍ରହ କରିଥିଲା । ଘଟଣାସ୍ଥଳ ପରିଦର୍ଶନ ନକରି ମନ୍ତ୍ରୀ ଚାଷୀ ଆତ୍ମହତ୍ୟା ଅଭିଯୋଗକୁ ଖଣ୍ଡନ କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।

ବିଧାନସଭାରେ ଉଠିଲା ଏସସିଏଫ୍ ସୌମ୍ୟ ରଞ୍ଜନ ମୃତ୍ୟୁ ପ୍ରସଙ୍ଗ । ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ଏହି ପ୍ରସଙ୍ଗ ଉଠାଇ ମାମଲାରେ ସମ୍ପୃକ୍ତ ଡିଏଫଓଙ୍କୁ ସରକାର ସୁରକ୍ଷା ଦେଉଥିବା କହିଛନ୍ତି । ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଗଜପତି ଜିଲ୍ଲା ଏକ ଶାନ୍ତିପ୍ରିୟ ଜିଲ୍ଲା । ମାତ୍ର ଜିଲ୍ଲା ଏବେ ଉଠୁଛି ପଡୁଛି । ଡିଏଫଓ, ତାଙ୍କ ସ୍ତ୍ରୀ ଏବଂ ତାଙ୍କ ରୋଷେୟା ନାଁ ମାମଲା ରୁଜୁ ହୋଇଥିବା ବେଳେ ତାଙ୍କୁ କାହିଁକି ଥାନାକୁ ଡକାଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଗଜପତି ପୋଲିସ ଏବଂ କ୍ରାଇମବ୍ରାଂଚ ତଦନ୍ତ କରୁଥିଲେ ମଧ୍ୟ ମାମଲା ଉପରୁ ପରଦା ହଟୁନି । ବର୍ତମାନ ଏକେସ ସମ୍ପର୍କରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ପଦାକୁ ଆସିଥିବା ସେ କହିଛନ୍ତି । ଜଙ୍ଗଲରୁ ରକ୍ତ ଚନ୍ଦନ କାଠ ଚୋରି କରାଯାଇ ବାହାର ରାଜ୍ୟକୁ ଏହାକୁ ଚାଲାଣ କରାଯାଉଥିବା କଥା କଣ ଡିଏଫଓ ଜାଣି ପାରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ।ତେବେ ସରକାର ଜାଣିଶୁଣି ଡିଏଫଓଙ୍କୁ ସୁରକ୍ଷା ଯୋଗାଉଥିବା ଅଭିଯୋଗ ଆଣିଛନ୍ତି ।

ସେପଟେ, ପୂଜା ଗାଇଡଲାଇନ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି । ମୂର୍ତି ଉଚ୍ଚତା ବୃଦ୍ଧି ଓ ତିନି ପାର୍ଶ୍ୱରୁ ପରଦା ଉଠାଇବା ନେଇ ଆଜି ଗୃହରେ ଉଦବେଗ ପ୍ରକାଶ ପାଇଛି । ପ୍ରଶ୍ନକାଳ ସରିବା ପରେ ପୂଜା କଟକଣା ନେଇ ଦାବି ଉଠାଇ କଂଗ୍ରେସ ବିଧାୟକଙ୍କ ଗୃହରେ ହୋହାଲ୍ଲା କରିଛନ୍ତି । ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟ ପ୍ରତିବାଦ କରିଛନ୍ତି । ଫଳରେ ୧୦ମିନିଟ ପାଇଁ ବିଧାନସଭା ମୂଲତବୀ ରଖିଥିଲେ ବାଚସ୍ପତି । ଗଣେଷ ପୂଜାକୁ ନେଇ ଜାରି କରାଯାଇଥିବା କଟକଣାକୁ ନେଇ ସବୁଠି ପ୍ରତିବାଦ କରାଯାଇଛି । କରୋନା କଟକଣାକୁ କୋହଳ କରାଯାଇଥିବା ବେଳେ କାହିଁକି ପୂଜା ବେଳେ ଏମିତି କଟକଣା ରଖାଯାଇଛି ବୋଲି ସମସ୍ତେ ଏହାକୁ ପ୍ରତିବାଦ କରିଛନ୍ତି । ସେପଟେ ପୂଜା କଟକଣା ନିଷ୍ପତିର ପୁର୍ନବିଚାର କରିବା ପାଇଁ ବାଚସ୍ପତି ରୁଲିଂ ଦେଇଛନ୍ତି ।

ସେହିପରି ରାଜ୍ୟରେ ମରୁଡ଼ି ସ୍ଥିତିକୁ ଗମ୍ଭୀରତାର ସହ ନେଉନାହାନ୍ତି ରାଜ୍ୟସରକାର । ମରୁଡ଼ି ପଅ୍ରସଙ୍ଗରେ ବିଧାନସଭାରେ ରାଜସ୍ୱମନ୍ତ୍ରୀଙ୍କ ବକ୍ତବ୍ୟରୁ ଏହା ସ୍ପଷ୍ଟ ବୋଲି କହିଛି ବିଜେପି । ବିଜେପିର ବରିଷ୍ଠ ନେତା ଅର୍ଥାତ ପୂର୍ବତନ ରାଜସ୍ୱନ୍ମନ୍ତ୍ରୀ ମନମୋହନ ସାମଲ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ରାଜ୍ୟରେ ପ୍ରାୟ ଅଢ଼େଇ ମାସ ହେବ ବର୍ଷା ହୋଇନାହିଁ । ଧାନ ଚାଷ ସମ୍ପୁର୍ଣ୍ଣ ନଷ୍ଟ ହେବାକୁ ବସିଲାଣି, ୨୭ଟି ଜିଲ୍ଲାରେ ଭୟାବହ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଲାଣି । ଅନେକ ସ୍ଥାନରୁ ଚାଷୀ ଆତ୍ମହତ୍ୟା ଭଳି ଅଭିଯୋଗ ଆସିଛି । ବିଜେପିର ୪ଜଣିଆ ଟିମ୍ ମରୁଡ଼ି ପ୍ରଭାବିତ ଅଂଚଳ ଅନୁଧ୍ୟାନ କରି ରିପୋର୍ଟ ଦେଇଛନ୍ତି । ଏଣୁ ସରକାର ମରୁଡ଼ି ମୁକାବିଲା ପାଇଁ ସର୍ବଦଳୀୟ କମିଟି ଗଠନ କରନ୍ତୁ । ଯୁଦ୍ଧ କାଳିନ ଭିତିରେ ପଦକ୍ଷେପ ନିଅନ୍ତୁ ବୋଲି ବିଜେପି ଦାବି କରିଛି ।