ବଡମ୍ବାରେ ଅନ୍ୟ ଜାତିରେ ଝିଅ ବାହା ହେବାରୁ ବସିଲା କଙ୍ଗାରୁ କୋର୍ଟ । ବାପା, ମାକୁ ଗାଁ ତଡିବା ସହ ଲାଗିଲା ୧ଲକ୍ଷର ଜରିମାନା ।

ଅଭିଯୋଗ ପରେ ଗାଁ ମୁଖିଆ ଗିରଫ

199

କନକ ବ୍ୟୁରୋ: ଗାଁ କଙ୍ଗାରୁକୋର୍ଟରୁ ନ୍ୟାୟ ପାଇବା ପାଇଁ ଗୁହାରି କରିଛନ୍ତି ଗୁରୁବାରୀ ବେହେରା । ଯାହାଙ୍କ ଘର କଟକ ବଡମ୍ବା ନରସିଂହପୁର ବ୍ଲକର ସାନ୍ତରାପୁରରେ । ସମ୍ପୂର୍ଣ୍ଣ ଖବର ଏହା ଯେ, ଝିଅକୁ ଅନ୍ୟ ଜାତିର ପୁଅ ଅପହରଣ କରିନେବାରୁ ଗାଁରୁ ଝିଅର ମାଆ ବାପାକୁ ତଡିଦେଇଛନ୍ତି ଲୋକେ । ଆଉ ଏପରି ଅଜବ ନ୍ୟାୟ ଶୁଣାଇଛି ସାନ୍ତରାପୁର ଗାଁ କଙ୍ଗାରୁ କୋର୍ଟ । ଖାଲି ଏତିକି ନୁହେଁ ଗାଁକୁ ଫେରିଲେ ହତ୍ୟା ଧମକ ଦେଇଥିବାରୁ ନିଜ ସ୍ତ୍ରୀ ସହ ଜଗତପୁରରେ ଡରି ଡରି ରହୁଛନ୍ତି ଗୁରୁବାରୀ । ଆଉ ନ୍ୟାୟ ପାଇଁ ପୁଲିସର ସହାୟତା ମାଗିଛନ୍ତି ।

ଗୁରୁବାରୀର ଝିଅକୁ ଅନ୍ୟ ଜାତି ଯୁବକ ଅପହରଣ କରିନେବା ପରେ ସାନ୍ତାରାପୁର ଗାଁରେ ବସିଥିଲା କଙ୍ଗାରୁକୋର୍ଟ । ଗାଁ ମୁଖିଆ ଝିଅର ଅପହରଣ ପାଇଁ ଗୁରୁବାରୀକୁ ଦୋଷୀ କରି ୧ଲକ୍ଷ ୨୦ ହଜାର ଟଙ୍କା ଜରିମାନା କଷିଥିଲେ । ଜରିମାନା ନଦେଲେ ବାସନ୍ଦ କରିବାକୁ ଧମକ ଦେଇଥିଲେ । ଗୁରୁବାରୀ ଧାର କରଜ କରି ୪୫ ହଜାର ଟଙ୍କା ଦେଇଥିଲେ । ହେଲେ ପୁଣି ୫ ହଜାର ଟଙ୍କା ଦାବି କରି ଗାଁରୁ ସ୍ୱାମୀ ସ୍ତ୍ରୀଙ୍କୁ ଗାଁରୁ ବାହାର କରିଦିଆଯାଇଛି । ଏନେଇ ନରସିଂହପୁର ଥାନାରେ ଗୁରୁବାରୀ ଏତଲା ଦେବା ପରେ ପୁଲିସ କିଛି ଗାଁ ମୁଖିଆ ଓ ଅପହରଣକାରୀକୁ ଗିରଫ କରିଛି ।

ଗୁରୁବାରୀର ଅଭିଯୋଗ ପରେ ନରସିଂହପୁର ଥାନା ପୁଲିସ ସାନ୍ତରାପୁର ଗାଁର କିଛି ମୁଖିଆ ଓ ଅପହରଣକାରୀଙ୍କୁ ଗିରଫ କରିଛି । ହେଲେ ଥାନା ଅଧିକାରୀ ସଠିକ ତଦନ୍ତ ନକରି ନିର୍ଦ୍ଦୋଷ ଲୋକଙ୍କୁ ଗିରଫ କରିଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଏନେଇ ଥାନା ଅଧିକାରୀଙ୍କ ବିରୋଧରେ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ।