କନକ ବ୍ୟୁରୋ : ବିଧାନସଭା ପ୍ରଶ୍ନକାଳରେ ଆଜି ଜଳ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଥିଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ନଦୀ ପ୍ରଦୂଷଣକୁ ନେଇ ଗୃହରେ ଏକ ଲମ୍ବା ଆଲୋଚନା ହୋଇଥିଲା ।  ନଦୀ ଜଳ ଶୁଷ୍କ ହୋଇଯାଉଥିବା ନେଇ ସୌମ୍ୟ ଉଦବେଗ ପ୍ରକାଶ କରିଥିଲେ । ସେ କହିଥିଲେ, ନଦୀ ଜଳ ଆମର ଏକ ବଡ ସମ୍ପଦ । ସରକାର ଏଥିପାଇଁ ଜଳନୀତି ଆଣିଛନ୍ତି ।  ୨୦୦୭ରେ ରାଜ୍ୟ ଜଳନୀତି ଆଣିଥିଲେ ବି ତାର କାର୍ଯ୍ୟକାରିତା ନେଇ ଏ ଯାଏଁ କିଛି ସ୍ପଷ୍ଟ ଚିତ୍ର ଆସିପାରିନାହିଁ ।

Advertisment

ଜଳନୀତିର ମାନେ କଣ । ଶିଳ୍ପ ପାଇଁ ପାଣି ଦେବାକୁ ବ୍ୟାକୁଳ ମାତ୍ର ପିଇବା ପାଣି ପାଇଁ ନାହିଁ । ବୈତରଣୀ ନଦୀରୁ ସେ ଅଞ୍ଚଳର ଲୋକେ ପାଣି ପାଉ ନାହାଁନ୍ତି । କିନ୍ତୁ ସେ ନଦୀ ରୁ ଶିଳ୍ପ ପାଇଁ ପାଣି ଦିଆଯାଉଛି । ଶୁକ ପାଇକା ଭଳି ନଦୀର ପୁନରୁଦ୍ଧାର ପାଇଁ ଅର୍ଥ ବ୍ୟବସ୍ଥା ସତ୍ୱେ କିଛି ପଦକ୍ଷେପ ନିଆଯାଇନାହିଁ ।  ଏବେ ନଦୀ ମାଫିଆ ବାହାରିଲେଣି । ଜମି ଭଳି ନଦୀକୁ ବି ଅପହରଣ କରିନିଆଯାଉଛି ବୋଲି କହିଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ ।

ବିଧାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ରଘୁନନ୍ଦନ ଦାସ ଉତର ରଖିଥିଲେ । ମନ୍ତ୍ରୀ କହିଥିଲେ, ବିଭାଗ ଏ ନେଇ ସଜାଗ ରହିଛି । ଯେଉଁଠି ନଦୀ ଶୁଷ୍କ ହେଉଛି ସେଠି ଜଳ ପ୍ରବାହିତ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି ।