ଗୃହରେ ଉଠିଲା କପା ଚାଷୀଙ୍କ କଥା । ଦଲାଲ୍ ରାଜ୍ ଶେଷ କରି କପା ଚାଷୀଙ୍କୁ ମିଳୁ ଉଚିତ୍ ମୂଲ୍ୟ, ବିଧାନସଭାରେ ଉଦବେଗ ପ୍ରକାଶ କଲେ ଖଣ୍ଡପଡ଼ା ବିଧାୟକ

199

କନକ ବ୍ୟୁରୋ: ବିଧାନସଭାରେ ଉଠିଲା କପା ଚାଷୀଙ୍କ କଥା । ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଉଠାଇ ଉଦବେଗ ପ୍ରକାଶ କଲେ । ଆଉ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି ସୌମ୍ୟ କହିଛନ୍ତି କି, ଧାନ କିଣା ଓ ଟୋକନ୍ ବ୍ୟବସ୍ଥାକୁ ନେଇ ସମସ୍ତେ ଉଦବେଗ ପ୍ରକାଶ କରୁଛନ୍ତି । ଧାନ ଛଡ଼ା ଅନ୍ୟ ଲାଭଜନକ ଫସଲକୁ ପ୍ରୋତ୍ସାହିତ କରାଯିବା ଉଚିତ୍ ।

ସବୁଠାରୁ ବଡ଼ କଥା ହେଲା, ସୋନପୁର ଜିଲ୍ଲାରେ ୬୦ଭାଗ ଧାନ ଚାଷ ହେଉଥିବା ବେଳେ ୪୦ ଭାଗ କପା ଚାଷ ହେଉଛି । କପାର ସର୍ବନିମ୍ନ ସହାୟକ ମୂଲ୍ୟ ୫ ହଜାର ୫୦୦ଟଙ୍କା ରହିଛି । କିନ୍ତୁ ଚାଷୀ କପା କେମିତି ବିକ୍ରି କରିବ ସେ ନେଇ କେହି ଉଦବେଗ ଓ ଆଗ୍ରହ ପ୍ରକାଶ କରୁନାହାନ୍ତି । ନଭେମ୍ବର ୨୦ରେ ସୋନପୁରରେ କପା ମଣ୍ଡି ଖୋଲିବାକୁ ସରକାର ଘୋଷଣା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହେଇନି । ମନ୍ତ୍ରୀ ଦଲାଲରାଜ୍ ଶେଷ କରିବା କଥା କହୁଛନ୍ତି କିନ୍ତୁ ବର୍ତ୍ତମାନ ମଣ୍ଡି ନଖୋଲିବାରୁ ଦଲାଲ୍ ୪ ହଜାରରୁ ସାମାନ୍ୟ ଅଧିକ ଦରରେ କପା କିଣୁଛନ୍ତି ।

ଯଦି ଏଭଳି ପରିସ୍ଥିତି ଲାଗିକି ରହେ ତେବେ ଥଣ୍ଡା କାକର ଯୋଗୁଁ କପା ଚାଷ ଉପରେ ପ୍ରଭାବ ପଡ଼ିବାପରେ ଆଉ ଆର୍ଦ୍ରତା ବୃଦ୍ଧି ପାଇବାରୁ କପାର ମାନ ଓ ଦର ଆହୁରି କମିବ । ତେଣୁ ସରକାର ଧାନଚାଷୀଙ୍କ ସହ ଅନ୍ୟ ଏକ ଲାଭଜନିତ ଫସଲ କପା ଚାଷୀଙ୍କ କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ବିଧାନସଭାରେ ଦାବି ଉଠାଇଛନ୍ତି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।