କନକ ବ୍ୟୁରୋ: ଆମ ଘରର ହାଲଚାଲ ଆଲେଖ୍ୟରେ ଆତ୍ମବିଭୋର ପ୍ରଶାସକ, ଅସହାୟ ରାଜନେତା ସଂପର୍କରେ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଯାହା ଲେଖିଥିଲେ, ଗତ ତିନି ଦିନର ଘଟଣାବଳୀ ତାହାକୁ ପ୍ରମାଣିତ କରିବାରେ ଲାଗିଛି । ପ୍ରଥମେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ତା’ପରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ଓ ଆଜି ମନ୍ତ୍ରୀ ପ୍ରତାପ ଦେବ, ସୌମ୍ୟଙ୍କ ବିରୋଧରେ ବର୍ଷିଛନ୍ତି । ସଂପାଦକୀୟ ଲେଖାର ୧୫ ଦିନ ପର୍ଯ୍ୟନ୍ତ ବିଜେଡିର କେହି ବରିଷ୍ଠ ନେତା ମୁହଁ ଖୋଲୁ ନଥିବା ବେଳେ, ଚାପରେ ପଡି ଘୋଷା ସ୍କ୍ରିପ୍ଟ ଧରି ସାମ୍ବାଦିକ ସମ୍ମିଳନୀ କରି ମତ ରଖୁଥିବା ଭଳି ଲାଗୁଛି ।

Advertisment
  • ମନ୍ତ୍ରୀ ପ୍ରତାପ ଦେବଙ୍କୁ ସୌମ୍ୟରଞ୍ଜନଙ୍କ କଡ଼ା ଜବାବ
  • ସୌମ୍ୟ କହିଲେ କାହା କଥାରେ ହଁ ଭରିବା ବ୍ୟକ୍ତି ସେ ନୁହଁନ୍ତି
  • ଯାହା କହିଛନ୍ତି ଦଳର ହିତ ପାଇଁ କହିଛନ୍ତି

ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ସୌମ୍ୟବାବୁ ଜଣେ ଜ୍ଞାନୀ ଗୁଣୀ ବ୍ୟକ୍ତି, ତାଙ୍କୁ ସେ ପରାମର୍ଶ ଦେଉନାହାନ୍ତି । ସେ ବିଜେଡିରେ ରହି ତାଙ୍କ ସମ୍ବାଦପତ୍ରରେ ଯେଉଁଭଳି ଲେଖୁଛନ୍ତି ତାହା ଠିକ୍ ନୁହେଁ । ନିର୍ଦ୍ଦିଷ୍ଟ ଭାବେ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଇଙ୍ଗିତ କରିବା ସଂପୂର୍ଣ୍ଣ ଭୁଲ । ଦଳ ଭିତରେ ରହି ସମାଲୋଚନା କରିବା ଦଳୀୟ ଅନୁଶାସନ ଭଙ୍ଗ କରିଛି । ଯଦି ସମ୍ପାଦକୀୟ ଲେଖିବାର ଅଛି ତେବେ ଦଳରୁ ବାହାରିଯାଇ ଲେଖନ୍ତୁ ।

ତେବେ ଦଳରୁ ବାହାରି ଯାଇ ସଂପାଦକୀୟ ଲେଖନ୍ତୁ ବୋଲି ମନ୍ତ୍ରୀ ପ୍ରତାପ ଦେବଙ୍କ ଆହ୍ୱାନର ଶାଣିତ ସ୍ୱରରେ ଜବାବ ଦେଇଛନ୍ତି ଖଣ୍ଡପଡ଼ା ବିଧାୟକ । ସୌମ୍ୟରଂଜନ କହିଛନ୍ତି, ସମ୍ପାଦକୀୟ ନେଇ ତାଙ୍କୁ କେହି ନିର୍ଦ୍ଦେଶ ଦେଇପାରିବେନି । ସେ ଯାହା ଲେଖିଛନ୍ତି ଦଳର ମଙ୍ଗଳ ପାଇଁ । ଦଳର ଦୋଷ ଦୁର୍ବଳତା ସୁଧାରିବା ତାଙ୍କର ଦାୟିତ୍ୱ ବୋଲି ଭାବନ୍ତି କହିଛନ୍ତି ସୌମ୍ୟରଂଜନ ପଟ୍ଟନାୟକ । କେବଳ ସେତିକି ନୁହେଁ, ଦଳୀୟ ଫୋରମ କଥାକୁ ନେଇ ପାଲଟା ପ୍ରଶ୍ନ କରିଛନ୍ତି ଖଣ୍ଡପଡ଼ା ବିଧାୟକ । କହିଛନ୍ତି....

  • ଦଳୀୟ ଫୋରମ୍ କ’ଣ ତୃତୀୟ ମହଲାରେ ଅଛି କି?
  • ଦରମାଭୋଗୀ ସଚିବ ଦଳୀୟ କାମରେ ମୁଣ୍ଡ ପୂରାଇବା ଅନୁଚିତ
  • ୫-ଟି ସଚିବ ରାଜନୀତି କରିପାରିବେ ନାହିଁ
  • ପଦବୀରୁ ଇସ୍ତଫା ଦେଇ ଦଳୀୟ କାର୍ଯ୍ୟକ୍ରମ ସମ୍ଭାଳନ୍ତୁ

କେବଳ ଏତିକି ନୁହେଁ ମନ୍ତ୍ରୀ ପ୍ରତାପ ଦେବଙ୍କୁ କଟାକ୍ଷ କରି ସୌମ୍ୟରଂଜନ କହିଛନ୍ତି, ରାଜା ଘରର ଲୋକ ସମସ୍ତଙ୍କୁ ପ୍ରଜା ଭଳି ଭାବନ୍ତି । କିନ୍ତୁ ସେ କାହାର ପ୍ରଜା ନୁହଁନ୍ତି କି ହଁ ରେ ହଁ ଭରିବା ବ୍ୟକ୍ତି ନୁହଁନ୍ତି । ସୂଚନାଯୋଗ୍ୟ ଯେ, ୫-ଟି ସଚିବଙ୍କ ଜିଲ୍ଲାଗସ୍ତ, ହେଲିକପ୍ଟରରେ ଯାଇ ନେତାଙ୍କ ଭଳି ଜନସଭା କରିବା, ଆଉ ଏହି ବାବଦକୁ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଶ୍ରାଦ୍ଧ କରିବା ନେଇ ନିଜ ଆଲେଖ୍ୟରେ ଉଲ୍ଲେଖ କରିଥିଲେ ସୌମ୍ୟରଂଜନ ପଟ୍ଟନାୟକ । ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି ।