ବିଧାନସଭାରେ ପୁଣି ‘ବନ୍ଦେ ଉତ୍କଳ ଜନନୀ’ । ନିର୍ଦ୍ଦିଷ୍ଟ ସ୍ୱର ଓ ସମୟସୀମା ମଧ୍ୟରେ ଗାନ କରିବାକୁ ଦାବି କଲେ ଖଣ୍ଡପଡ଼ା ବିଧାୟକ ।

224

କନକ ବ୍ୟୁରୋ: ପୁଣି ବିଧାନସଭାରେ ଉଠିଲା ‘ବନ୍ଦେ ଉତ୍କଳ ଜନନୀ’ ପ୍ରସଙ୍ଗ । ଆଞ୍ଚଳିକ ସଙ୍ଗୀତକୁ ସମ୍ମାନ, ନିର୍ଦ୍ଦିଷ୍ଟ ସମୟସୀମା ଓ ସଠିକ୍ ଢ଼ଙ୍ଗରେ ପରିବେଷଣ କରିବାକୁ ଗୃହରେ ପୁଣିଥରେ ଦାବି ଉଠାଇଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଗୃହରେ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ମାଧ୍ୟମରେ ମତ ମତ ରଖି ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି କି, ବନ୍ଦେ ଉତ୍କଳ ଜନନୀ ଗାନ ପାଇଁ କଡ଼ାକଡ଼ି ନିୟମ ଲାଗୁ କରାଯାଉ । ଆଉ ଦଳୀୟ ମନୋବୃତ୍ତିକୁ ପଛରେ ପକେଇ ଜାତୀୟ ମନୋଭାବ ପୋଷଣ କଲେ ଅନେକ ସମସ୍ୟା ସମାଧାନ ହୋଇ ଯାଆନ୍ତା ।

ପୂର୍ବରୁ ମଧ୍ୟ ବିଧାନସଭାରେ ‘ବନ୍ଦେ ଉତ୍କଳ ଜନନୀ’ ପ୍ରସଙ୍ଗ ଉଠାଇଥିଲେ ସୌମ୍ୟରଞ୍ଜନ । ଗତ ଅଗଷ୍ଟ ପହିଲାରେ ହୋଇଥିବା ବିଧାନସଭା ମୌସୁମୀ ଅଧିବେଶନରେ ଆମ ଆଞ୍ଚଳିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀକୁ ନିର୍ଦ୍ଦିଷ୍ଟ ସମୟସୀମା, ନିର୍ଦ୍ଦିଷ୍ଟ ଫକ୍ତି ଓ ନିର୍ଦ୍ଦିଷ୍ଟ ସ୍ୱରରେ ଗାଇବା ପାଇଁ ନିର୍ଦ୍ଦେଶ ଦେବାକୁ ବି ଗୃହରେ ଦାବି କରିଥିଲେ ବିଧାୟକ । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ମଧ୍ୟ ବାଚସ୍ପତି ଗୃହରେ ରୁଲିଂ ଦେଇଥିଲେ । ଏହା ମଧ୍ୟରେ କିଛି ମାସ ବିତିଯାଇଥିଲେ ବି, ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ଗୋଟିଏ ସ୍ୱର ଓ ଗୋଟିଏ ସମୟରେ ଗାଇବା ପାଇଁ ପୁଣି ଥରେ ଗୃହରେ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ।