ଆଜିଠୁ ଆରମ୍ଭ ପ୍ରସିଦ୍ଧ ଖଣ୍ଡଗିରି ମେଳା । ଭିଡକୁ ଦୃଷ୍ଟିରେ ପୁଲିସର ଆଡଭାଇଜରି, ଖଣ୍ଡଗିରି ଛକରୁ ଜୟଦେବବାଟିକା ମଧ୍ୟରେ ଗାଡି ଚଳାଚଳ ବନ୍ଦ, ରାସ୍ତାକଡରେ ଗାଡି ପାର୍କିଂ ମନା

313

କନକ ବ୍ୟୁରୋ: ମାଘ ସପ୍ତମୀରେ ଆଜିଠାରୁ ଆରମ୍ଭ ହେଉଛି ପ୍ରସିଦ୍ଧ ଖଣ୍ଡଗିରି ମେଳା । ସାଧୁସନ୍ଥମାନେ ଖଣ୍ଡଗିରି ପାହାଡରେ ଆରମ୍ଭ କରିବେ ସୂର୍ଯ୍ୟ ଉପାସନା କୁମ୍ଭମେଳାର ଅନ୍ତିମ ପର୍ଯ୍ୟାୟ । ଶାମ୍ବ ଦଶମୀରୁ ଆରମ୍ଭ କୁମ୍ଭମେଳା ପବିତ୍ର ମାଘ ପୂର୍ଣ୍ଣମୀରେ ସମାହିତ ହେବ । ତେବେ ଏହି ମେଳାରେ ହେଉଥିବା ଭିଡକୁ ଦୃଷ୍ଟି ରଖି କମିଶନରେଟ ପୋଲିସ ନିର୍ଦ୍ଦେଶନାମା ଜାରି କରିଛି । ଖଣ୍ଡଗିରି ଛକରୁ ଜୟଦେବ ବିହାର ମଧ୍ୟରେ ଗାଡି ଚଳାଚଳକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି । ଏହି ଅଂଚଳରେ କେବଳ ପାଦରେ ଚାଲି ଚାଲି ଯାଇ ହେବ ବୋଲି କମିଶନରେଟ ପୋଲିସ ସୂଚନା ଦେଇଛି ।

ରାସ୍ତାକଡରେ ଗାଡି ପାର୍କିଂକୁ ବାରଣ କରାଯାଇଛି । ହୋଟେଲ ଖାରବେଳ ସମ୍ମୁଖରେ, ସୁଲଭ ଶୌଚାଳୟ କଡରେ ଏବଂ ଗ୍ରୀନ ଆର୍ଥ ନର୍ସରି କଡ ରାସ୍ତାରେ ଗାଡି ପାର୍କିଂ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଖୋର୍ଦ୍ଧାରୁ କଟକ ଯାଉଥିବା ଭାରୀଯାନ ଗୁଡିକ ପୀତାପଲ୍ଲୀ- ଚନ୍ଦକା-ବାରଙ୍ଗ ଦେଇ ବାଲିକୁଦାରେ ଜାତୀୟ ରାଜପଥ ଛୁଇଁବେ । ଅନ୍ୟପଟେ କଟକରୁ ଖୋର୍ଦ୍ଧା ଆସୁଥିବା ଭାରୀଯାନଗୁଡିକ ବାଲିକୁଦାରୁ ବାରଙ୍ଗ, ଚନ୍ଦକା ଦେଇ ପୀତାପଲ୍ଲୀରେ ପହଂଚିବ ବୋଲି କମିଶନରେଟ ପୋଲିସ କଟକଣା ଜାରି କରିଛି ।

ସେପଟେ, ଆଜି ପବିତ୍ର ମାଘ ସପ୍ତମୀ । ଏହି ଅବସରରେ ଚନ୍ଦ୍ରଭାଗାରେ ଆରମ୍ଭ ହୋଇଛି ଶ୍ରଦ୍ଧାଳୁଙ୍କ ବୁଡ । ଆଜି ଲକ୍ଷାଧିକ ଲୋକଙ୍କ ଭିଡ ଦେଖିବାକୁ ମିଳିଛି ଚନ୍ଦ୍ରଭାଗା ତୀର୍ଥରେ । ସୂର୍ଯ୍ୟପୂଜାକୁ ଆଧାର କରି ଏହି ବୁଡ ଅନୁଷ୍ଟିତ ହେଉଛି । ତୀର୍ଥ ପୁଷ୍କରିଣୀରେ ବୁଡ ପକାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କଲେ ପରିବାରର ସୁଖ ସଂବୃଦ୍ଧି ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ବୁଡ ପକାଇବା ପାଇଁ ରାଜ୍ୟର କୋଣ ଅନୁକୋଣ ସମେତ ରାଜ୍ୟ ବାହାରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ମେଳା ପଡିଆରେ ନଡିଆ ବରଡା ଓ ଜରିପାଲରେ ଅସ୍ଥାୟୀ ଘର କରି ବହୁ ଶ୍ରଦ୍ଧାଳୁ ରହିଥିବା ଦେଖିବାକୁ ମିଳିଛି । ଚନ୍ଦ୍ରଭାଗା ମାଘ ସପ୍ତମୀ ବୁଡରେ ମହାପ୍ରଭୁ ସୂର୍ଯ୍ୟନାରାୟଣ ଓ ମହାଦେବଙ୍କୁ ଏକତ୍ର ପୂଜା କରିବାର ନିଆରା ପରମ୍ପରା ରହିଛି । ସେପଟେ ରାଜ୍ୟ ଓ ରାଜ୍ୟ ବାହାରୁ ଶତାଧିକ ସାଧୁସନ୍ଥ ଏହି ମେଳାରେ ଭିଡ ଜମାଇଛନ୍ତି । ଲଗ୍ନ ଅନୁସାରେ ଆଜି ଭୋର ୪ଟାରୁ ଏହି ବୁଡ ଆରମ୍ଭ ହୋଇଛି । ମାଘ ସପ୍ତମୀ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୩୦ ପ୍ଲାଟୁନ ପୋଲିସଫୋର୍ସ ମୁତୟନ ହୋଇଥିବା ବେଳେ ବେଳାଭୂମିରେ ଲାଇଫଗାର୍ଡ ମଧ୍ୟ ମୁତୟନ ହୋଇଛନ୍ତି ।