କନକ ବ୍ୟୁରୋ : ମାଘସପ୍ତମୀ ଅବସରରେ ଆଜିଠୁ ଆରମ୍ଭ ପ୍ରସିଦ୍ଧ ରାଜଧାନୀର ପ୍ରସିଦ୍ଧ ଖଣ୍ଡଗିରି ମାଘମେଳା । ୯ଦିନ ଧରି ସାଧୁସନ୍ତଙ୍କ ମନ୍ତ୍ରୋଚାରଣ ସାଙ୍ଗକୁ ପୂଜାପାଠରେ ମୁଖରିତ ହେବ ଖଣ୍ଡଗିରି ପାଦଦେଶ । ସାଧୁସନ୍ଥଙ୍କ ଆଗମନ ସହ ତପୋଭୂମି ଖଣ୍ଡଗିରିରେ ଜନସମାଗମ ଦେଖିବାକୁ ମିଳିଛି । ସାଧୁମୟ ହୋଇଛି ଖଣ୍ଡିଗିରି, ନାଗା, ବୈଷ୍ଣବ, ଗୌଡୀୟ ବାବାମାନଙ୍କ ସମାଗମ ହୋଇଛି ।

Advertisment

ଆଜି ପ୍ରଥମେ ପଞ୍ଚତୀର୍ଥ ପୁଷ୍କରିଣୀରେ ସାଧୁସନ୍ଥ ମାନେ ବୁଡ ପକାଇବା ସହିତ ଧୁନି ଜାଳି ଯଜ୍ଞ କାର୍ଯ୍ୟ ଆରମ୍ଭ କରିବେ । ମା ବାରଭୁଜାଙ୍କ ପୀଠରେ ରାମଚରିଚ ମାନସପରାୟଣ ହେବ । ରାଜ୍ୟର ସବୁଠାରୁ ପ୍ରସିଦ୍ଧ ମେଳା କୁହାଯାଉଥିବା ଖଣ୍ଡଗିରି ମେଳାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିବ । ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଗାଡ଼ି ପାର୍କିଂ ଠାରୁ ଆରମ୍ଭ କରି ଶୌଚାଳୟର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଭିଡ଼କୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି । ସେପଟେ ଖଣ୍ଡଗିରି ମେଳା ଅବସରରେ ୯ଦିନ ଧରି ଅପେରା ଲଢେଇର ମଜା ଉଠାଇବେ ରାଜଧାନୀ ବାସୀ । ଖଣ୍ଡଗିରି କୁମ୍ଭମେଳାର ରାଜ୍ୟର ୧୨ଟି ପ୍ରମୁଖ ଯାତ୍ରାପାର୍ଟି ଯାତ୍ରା ପରିବେଷଣ କରିବେ । ୧୮ ତାରିଖରୁ ୨୯ ତାରିଖ ଯାଏଁ ଯାତ୍ରାଯୁଦ୍ଧ ହେବ । ଏଥର ୮ଟି ମଇଦାନରେ ୧୪ଟି ଯାତ୍ରା ଅନୁଷ୍ଠାନ ଯାତ୍ରା ପରିବେଷଣ କରିବେ । ପ୍ରତ୍ୟେକ ବର୍ଷ କୌଣସି ନା କୌଣସି କାରଣରୁ ଯାତ୍ରାକୁ ନେଇ ବିବାଦ ସୃଷ୍ଟି ହେଉଥିବାକୁ ଏଥର କଡା ନିର୍ଦ୍ଦେଶନାମା ଜାରି କରିଛି ପ୍ରଶାସନ । କୌଣସି ବି ଯାତ୍ରା ପାର୍ଟି ପକ୍ଷରୁ ଏଥର ଅଶ୍ଳୀଳ ନୃତ୍ୟ କରାଯାଇପାରିବ ନାହିଁ । ଏଭଳି ହେଲେ ଯାତ୍ରାକୁ ତୁରନ୍ତ ବନ୍ଦ କରିବା ସହିତ ଉକ୍ତ ଅନୁଷ୍ଠାନ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବା ସହ ଫାଇନ ଆଦାୟ କରାଯିବ ବୋଲି ଚେତାବନୀ ଦିଆଯାଇଛି ।