ତୋଷାଳି ସରିଲା, ଚାଲିଛି ଆଦିବାସୀ ମେଳା : ଖଣ୍ଡଗିରି ମେଳାରେ ଯାତ୍ରା ହେଲେ ବ୍ୟାପିଯିବ କରୋନା ! ବିଏମ୍‌ସିର ଅଜବ ଯୁକ୍ତି, ହୋଇପାରୁନି ନିଷ୍ପତ୍ତି

113

କନକ ବ୍ୟୁରୋ :  ଫେବ୍ରୁଆରି ୩ ତାରିଖରେ ଭୁବନେଶ୍ବର-ପୁରୀ ବାଇପାସ୍‌ରେ ବିଏମ୍‌ସି ପକ୍ଷରୁ ଆୟୋଜିତ ଆଲୋକୀକରଣ ପ୍ରକଳ୍ପର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ଏକାଠି ହେଲେ। ସାମାଜିକ ଦୂରତା ରଖିବା ଦୂରର କଥା ଅଧିକାଂଶ ଲୋକ ମାସ୍କ ପିନ୍ଧି ନ ଥିଲେ । ରାଜଧାନୀରେ ଏବେ ସବୁ ଫିଲ୍ମ ହଲ୍‌ରେ ଯେତିକି ସିଟ୍‌ ଅଛି ସେତିକି ଲୋକ ବସି ଫିଲ୍ମ ଦେଖୁଛନ୍ତି । ଗୋଟିଏ ସୋ’ରେ ପ୍ରାୟ ୩୦୦ରୁ ୪୦୦ ଲୋକ ଏକାଠି ବସୁଛନ୍ତି । ସେଣ୍ଟ୍ରାଲ ଏସି ବି ଚାଲୁଛି । ବିିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ ହେଲେ ହଜାର ହଜାର ଲୋକ ଏକାଠି ହେଉଛନ୍ତି ।

ଯାହା ସ୍ବଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଉଦ୍‌ଘାଟନ ଅବସରରେ ଦେଖିବାକୁ ମିଳିଥିଲା । ଏପରିକି କମ୍‌ ଜାଗାରେ ଏମିତି ଖୁନ୍ଦାଖୁନ୍ଦି ହୋଇ ଲୋକ ଛିଡ଼ା ହୋଇଥିଲେ ଯେ, ଭିଡ଼ରୁ ଜଣେ ବାହାରିବା କି ଭିଡ଼ରେ ପଶିବା ସମ୍ଭବ ନଥିଲା । ତୋଷାଳି ମେଳା ବି ସରିଗଲା, ଆଦିବାସୀ ମେଳା ଚାଲିଛି, ଜାତୀୟ ହସ୍ତତନ୍ତ ମେଳା ବି ଚାଲିଛି। ଏଭଳି ସ୍ଥିତିରେ କରୋନା ବ୍ୟାପିଲାନି । ଖଣ୍ଡଗିରି ମେଳାରେ ଯାତ୍ରା ହେଲେ କରୋନା ବ୍ୟାପିଯିବ। ବିଏମ୍‌ସିର ଏହି ଅଜବ ଯୁକ୍ତି ପାଇଁ ଏବେ ସୁଦ୍ଧା ଖଣ୍ଡଗିରି ମେଳାରେ ଯାତ୍ରା ହେବ କି ନାହିଁ, ଷ୍ଟଲ୍‌ ପଡ଼ିବ କି ନାହିଁ ତାହା ନିଷ୍ପତ୍ତି ହୋଇପାରୁନି।

ଖଣ୍ଡଗିରି କୁମ୍ଭ ମେଳାକୁ ଆଉ ମାତ୍ର ୧୨ଦିନ ରହିଲା । ଯାତ୍ରା କମିଟିଗୁଡ଼ିକ ସପ୍ତାହେ ହେଲା ଅନୁମତି ପାଇଁ ବିଏମ୍‌ସି ଅଫିସକୁ ଦଉଡ଼ୁଛନ୍ତି। ବିଏମ୍‌ସି ଅଧିକାରୀଙ୍କ ସହ ଆଲୋଚନା ସରିଲାଣି । କୋଭିଡ କଟକଣା ମାନିବା ସହିତ ବିଏମ୍‌ସି ଓ କମିସନରେଟ୍‌ ପୁଲିସର ଏସ୍‌ଓପି ମାନିବେ ବୋଲି ଲିଖିତ ଭାବେ ଜଣାଇଛନ୍ତି । ତଥାପି ବି ବିଏମ୍‌ସି ଅଧିକାରୀ ଖେଳୁଛନ୍ତି । ଆଜି ଏ ମିଟିଂ ଅଛି, କାଲି ଉଦ୍‌ଘାଟନ ଅଛି, ଛୁଟି ପଡ଼ିଗଲା, କମିସନର ନାହାନ୍ତି ଏମିତି କହି କହି ଯାତ୍ରା କମିଟିକୁ ଭୁଆଁ ବୁଲାଇବାରେ ଲାଗିଛନ୍ତି । ବିଏମ୍‌ସିର ପ୍ରକୃତ ଉଦ୍ଦେଶ୍ୟ କ’ଣ ତାହା ଯାତ୍ରା କମିଟି ଜାଣିପାରୁନାହାନ୍ତି ।

ଏପଟେ ବିଏମ୍‌ସି କିଛି ନିଷ୍ପତ୍ତି ଜଣାଉ ନ ଥିବାରୁ ଯାତ୍ରା କମିଟିଗୁଡ଼ିକ ମଞ୍ଚ ପଡ଼ିବାକୁ ଥିବା ଅଞ୍ଚଳଗୁଡ଼ିକୁ ସଫା କରିବା ଆରମ୍ଭ କରିଦେଲେଣି । ଯାତ୍ରା ଦଳ ସହ ଯୋଗାଯୋଗରେ ଅଛନ୍ତି । ବିଏମ୍‌ସି ଅନୁମତି ଦେଲେ ଯାତ୍ରା ପଡ଼ିବ, ଷ୍ଟଲ୍‌ ପଡ଼ିବ। ଅନ୍ୟପକ୍ଷରେ ବିଏମ୍‌ସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିଏମ୍‌ସି ଖଣ୍ଡଗିରି ମେଳାରେ ଯାତ୍ରା କରିବାକୁ ଚାହୁଁନି । ୨୦୦ ଷ୍ଟଲ୍‌ ପଡ଼ିଲେ କିଛି ଅସୁବିଧା ନାହିଁ। ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହେଉ । ରାଜଧାନୀରେ ସବୁ ମେଳା ହେଉଥି‌େଲ ହେଁ ଖଣ୍ଡଗିରି ମେଳା କାହିଁକି କରାଯାଉନି ତାହା ଉପରିସ୍ଥ ଅଧିକାରୀ କହିପାରିବେ । ଖୁବ୍‌ ଶୀଘ୍ର ବିଏମ୍‌ସି କମିସନର ସରକାରଙ୍କ ସହ ଆଲୋଚନା କରି ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।

ତିନିଟି ଯାତ୍ରା କମିଟି ଯାତ୍ରା କରିବା ପାଇଁ ହାଇକୋର୍ଟରୁ ଅନୁମତି ଆଣିଛନ୍ତି, ବିଏମ୍‌ସିର ଏସ୍‌ଓପି ମାନିବାକୁ ରାଜି ଅଛନ୍ତି ଏଥିରେ ବିଏମ୍‌ସି କେଁ ପୂରାଇବାର କାରଣ ଜଣାପଡ଼ୁନି । କରୋନା ପାଇଁ ବହୁ ଲୋକ ରୋଜଗାରଶୂନ୍ୟ ହୋଇଯାଇଥିବାବେଳେ ସେମାନଙ୍କୁ ପୂର୍ବା‌ବସ୍ଥାକୁ ଫେରାଇ ଆଣିବା ପାଇଁ ଖଣ୍ଡଗିରି ମେଳା ଏକ ମାଧ୍ୟମ ହୋଇପାରିବ । ଯାତ୍ରା କଳାକାରଙ୍କୁ ମଞ୍ଚ ମିଳିଲେ ସେମାନେ ବି ରୋଜଗାରକ୍ଷମ ହୁଅନ୍ତେ। ହେଲେ ସବୁଥିରେ ଏବେ ବିଏମ୍‌ସି କଣ୍ଟା ସାଜିଛି ।