କନକ ବ୍ୟୁରୋ : ପଦାକୁ ଆସିଛି ଭୁବନେଶ୍ୱର ପାତ୍ରପଡ଼ା ଅଂଚଳର ବ୍ୟବସାୟୀ ପିଂଟୁ ସାହୁଙ୍କ ଅପହରଣ ପଛର କାହାଣୀ । ପିଂଟୁଙ୍କ ଡ୍ରାଇଭର ଲକି ହିଁ ଅପହରଣ ପଛର ମାଷ୍ଟର ମାଇଣ୍ଡ ବୋଲି ଜାଣିବାକୁ ପାଇଛି ପୁଲିସ । ମାଲିକଙ୍କ ପାଖରେ ଟଙ୍କା ଥିବା ଜାଣିବାକୁ ପରେ ୧୦ ଲକ୍ଷ ଟଙ୍କା ନେବା ପାଇଁ ଅପହରଣ ଷଡ଼ଯନ୍ତ୍ର ରଚିଥିଲା ଲକି । ଏଥିପାଇଁ ୪ ଜଣଙ୍କୁ ସୁପାରୀ ଦେଇଥିଲା ଡ୍ରାଇଭର ଳକି । ସୁରାଗ ମିଳିବା ପରେ ଅପହରଣକାରୀଙ୍କୁ ପିଛା କରି ଯାଜପୁରରେ ପହଁଚିଥିଲା ପୁଲିସ । ଧର୍ମଶାଳା ନିକଟରୁ ଅପହୃତ ବ୍ୟବସାୟୀ ପିଂଟୁ ସାହୁଙ୍କୁ ଉଦ୍ଧାର କରିବା ସହ ୨ ଜଣଙ୍କୁ ପୁଲିସ କାବୁ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି ।

Advertisment

ଗୁରୁବାର ରାତି ପ୍ରାୟ ୮ଟା ପାତ୍ରପଡ଼ାରେ ଥିବା ପିଂଟୁଙ୍କ ଘର ଆଗରୁ ତାଙ୍କୁ କରାଯାଇଥିଲା ଅପହରଣ । ଏ ହେଉଛି ସେହି କାର, ଯେଉଁ କାରରେ ପିଂଟୁଙ୍କୁ ଉଠାଇ ନେଇଥିଲେ ୪ ଜଣ ଅପହର୍ତା । ଏହି କାର ଭିତରେ ପିଂଟୁଙ୍କୁ ମାଡ଼ ମାରି ଲହୁଲୁହାଣ କରିବା ସହ ଭିଡିଓ କଲ କରି ତାଙ୍କ ସ୍ତ୍ରୀଙ୍କୁ ୧୦ ଲକ୍ଷ ଟଙ୍କା ମାଗିଥିଲା ଅଭିଯୁକ୍ତ । ଟଙ୍କା ନଦେଲେ ସ୍ୱାମୀଙ୍କୁ ଜୀବନ ମାରିଦେବାକୁ ଧମକ ଦିଆଯାଇଥିଲା । ଭୟରେ ଅଭିଯୁକ୍ତଙ୍କୁ ୨ ଲକ୍ଷ ଟଙ୍କା ଦେଇଥିବା କହିଥିଲେ ପିଂଟୁଙ୍କ ସ୍ତ୍ରୀ । ପରେ ସେ ଏ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ତନାଘନା ଆରମ୍ଭ କରିଥିଲା ପୁଲିସ ।

ଏହି ଅପହରଣ ମାମଲା ଏବେ ଏକ ନୂଆ ମୋଡ ନେଇଛି । ଘଟଣାରେ ଜଣେ ମହିଳାଙ୍କ ସଂପୃକ୍ତି ଥିବା ନେଇ ସନ୍ଦେହ କରାଯାଉଛି । ଯେଉଁ ୨ ଲକ୍ଷ ଟଙ୍କା ଅଭିଯୁକ୍ତ ନିକଟକୁ ପଠାଯାଇଥିବା କୁହାଯାଉଛି, ତା’ର ସ୍କିନ୍ ସଟ୍କୁ ନେଇ ଖୋଳତାଡ ଜାରି ରହିଛି । ଏହି ଅପହରଣ ପଛରେ ଆଉ କିଏ କିଏ ଅଛନ୍ତି, ତାର ରହସ୍ୟ ଖୋଲିବାକୁ ଉଦ୍ୟମ କରୁଛି ଖଣ୍ଡଗିରି ଥାନା ପୁଲିସ ।