କନକ ବ୍ୟୁରୋ : ଆଜି ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ପରଦା ନଇଁବ । ତେବେ କୌଣସି ଯାତ୍ରା ପାର୍ଟି ନିଜର ଯାତ୍ରା ବଦଳାଇ ନାହାନ୍ତି । ଇତିମଧ୍ୟରେ ୧୨ଟି ଯାତ୍ରା ଦଳ ଯୋଗ ଦେଇଥିବା ବେଳେ ୧୩ଟି ନାଟକ ମଞ୍ଚସ୍ଥ ହୋଇଛି । ଯାହା କି ଚଳିତ ବର୍ଷ ପାଇଁ ଏକ ରେକର୍ଡ । ଗତ ୫ ତାରିଖରୁ ୨ଟି ଯାତ୍ରା ଦଳରୁ ଆରମ୍ଭ ହୋଇଥିବା ଯାତ୍ରା ମହାକୁମ୍ଭ ଏବେ ୬ଟି ମଞ୍ଚରେ ଯାତ୍ରା ମଞ୍ଚସ୍ଥ ହେଉଛି । ତେବେ ସବୁଠି ଗୋଟିଏ ନାଟକ ହିଁ ଦର୍ଶକଙ୍କ ମନ ଜିଣି ପୁନର୍ବାର ସେଇ ଏକା ନାଟକ ମଞ୍ଚସ୍ଥ କରିବା ପାଇଁ ଖୋରାକ ଯୋଗାଇଛି ।
ଇତିମଧ୍ୟରେ ଖଣ୍ଡଗିରି ଯାତ୍ରା ମହାକୁମ୍ଭର ମହତାବ ପେଣ୍ଡାଲ୍ରେ ଯାତ୍ରା ମାୟାନଗରୀ ଯୋଗଦେଇ ୬ରୁ ୯ ତାରିଖ ପର୍ଯ୍ୟନ୍ତ ‘କଥା ଦିଅ ମତେ କରିବନି ପର’ ନାଟକ ମଞ୍ଚସ୍ଥ କରିଥିବା ବେଳେ ତୁଳସୀ ଗଣନାଟ୍ୟ ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ସେଇ ଗୋଟିଏ ନାଟକ ‘ସାବିତ୍ରୀ କରୁଛି ସ୍ୱାମୀ ନିଲାମ’ ମଞ୍ଚସ୍ଥ କରି ବିଦାୟ ନେଇଛି । ଶେଷ ପର୍ଯ୍ୟାୟରେ ସାମିଲ୍ ହୋଇଥିବା ସ୍ୱର୍ଣ୍ଣମହଲ ‘ସିନ୍ଦୂର ହାଟରେ ନାହିଁ ସିନ୍ଦୂର’ ପରିବେଷଣ କରିଥିବା ବେଳେ ସେଇ ଗୋଟିଏ ନାଟକରେ ହିଁ ନାଟକ ଶେଷ କରିବ ବୋଲି ମହତାବ ସାଂସ୍କୃତିକ ପରିଷଦର ସଭାପତି କୃଷ୍ଣଚନ୍ଦ୍ର ଜେନା କହିଛନ୍ତି । ଜାଗମରା ମେଳଣ ପଡ଼ିଆରେ ଖଣ୍ଡଗିରି ସାଂସ୍କୃତିକ ପରିଷଦ ପକ୍ଷରୁ ୧୦ରୁ ନାଟକ ମଞ୍ଚସ୍ଥ କରୁଥିବା ରାଜଧାନୀ ଅପେରା ଗୋଟିଏ ନାଟକ ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’ ନାଟକ ମଞ୍ଚସ୍ଥ କରିଥିବା ବେଳେ ସେଇ ଗୋଟିଏ ନାଟକରେ ହିଁ ବିଦାୟ ନେବ । କେସିଏ ପଡ଼ିଆ ୨ରେ ଅପେରା ସୂର୍ଯ୍ୟମନ୍ଦିର ମଧ୍ୟ ସେଇ ଗୋଟିଏ ନାଟକ ‘ମାୟାବିନୀ ମୌସୁମୀ’ ନାଟକରେ ବିଦାୟ ନେବ ବୋଲି ସୂଚନା ମିଳିଛି । କେସିଏ ପଡ଼ିଆରେ ୬ରୁ ଅପେରା ସ୍ୱପ୍ନମହଲ ମଧ୍ୟ ସେଇ ଗୋଟିଏ ନାଟକ ‘ସିଆଇଡି ଦୟା’ ମଞ୍ଚସ୍ଥ କରି ବିଦାୟ ନେଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ‘ରଙ୍ଗମହଲ’ ମଧ୍ୟ ସେଇ ଗୋଟିଏ ନାଟକ ‘ମୁଁ ଭଦ୍ରକିଆ ଟୋକା’ ନାଟକ ମଞ୍ଚସ୍ଥ କରି ବିଦାୟ ନେବ ବୋଲି ସୂଚନା ମିଳିଛି ।
/kanak/media/post_attachments/wp-content/uploads/2020/02/PicsArt_01-24-08.58.57-1024x576.jpg)
କଳିଙ୍ଗ ପେଣ୍ଡାଲ୍ରେ ପ୍ରଥମ ପର୍ଯ୍ୟାୟରେ କଳିଙ୍ଗ ଗଣନାଟ୍ୟ ମଧ୍ୟ ‘ଶ୍ରାବଣ ମାସର ଶେଷ ରାତି’ ନାଟକ ମଞ୍ଚସ୍ଥ କରି ବିଦାୟ ନେଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ସାମିଲ୍ ହୋଇଥିବା ଶିବାନୀ ଗଣନାଟ୍ୟ ‘ରଙ୍ଗ ଲଗେଇଛି ରଙ୍ଗନାଗରୀ’ ନାଟକ ମଞ୍ଚସ୍ଥ କରି ବିଦାୟ ନେବ । ଘାଟିକିଆ ପଡ଼ିଆରେ ୫ତାରିଖରୁ ଯାତ୍ରା ଆରମ୍ଭ କରିଥିବା କୋଣାର୍କ ଗଣନାଟ୍ୟ ୫ରୁ ‘ଆଖି ଅବୁଝାକୁ ଲୁହ ଅବୁଝା’ ନାଟକ ମଞ୍ଚସ୍ଥ କରି ବିଦାୟ ନେଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ସାମିଲ୍ ହୋଇଥିବା ଯାତ୍ରା ଇନ୍ଦ୍ରଭୁବନ ‘ଭାଇ ଭଉଣୀର ନୂଆ କାହାଣୀ’ ଓ ଶେଷ ରାତିରେ ‘ମାଣିକକୁ କିଏ ମାଇଲା ମାଡ଼’ ନାଟକ ମଞ୍ଚସ୍ଥ କରି ଏକମାତ୍ର ଯାତ୍ରା ଦଳ ଭାବେ ଦୁଇଟି ନାଟକ ମଞ୍ଚସ୍ଥ କରି ବିଦାୟ ନେଇଛି । ଶେଷ ପର୍ଯ୍ୟାୟରେ ଏହି ଯାତ୍ରା ପେଣ୍ଡାଲ୍ରେ ଧଉଳି ଗଣନାଟ୍ୟ ‘ସେଦିନର କଥା ମନେ ଅଛି ନା’ ନାଟକ ମଞ୍ଚସ୍ଥ କରି ହିଁ ବିଦାୟ ନେବ ବୋଲି ସୂଚନା ମିଳିଛି । ତେଣୁ ୧୨ ଦିନର ଯାତ୍ରା ମହାକୁମ୍ଭରେ ମୋଟ ୧୨ଟି ଯାତ୍ରା ଦଳ ୧୩ଟି ନାଟକ ସହ ବିଦାୟ ନେବେ ବୋଲି ସୂଚନା ମିଳିଛି ।