ଖଣ୍ଡଗିରି ଯାତ୍ରା ମହାକୁମ୍ଭ ଆଉ ୩ ଦିନ: ଧୂମଧଡ଼ାକା ନୃତ୍ୟରେ ଦୁଲୁକୁଛି ମଞ୍ଚ; ମନଛୁଆଁ ସଂଳାପରେ ମନ ଜିଣୁଛନ୍ତି ଲୋକପ୍ରିୟ ଯାତ୍ରା କଳାକାର

Advertisment
ଖଣ୍ଡଗିରି ଯାତ୍ରା ମହାକୁମ୍ଭ ଆଉ ୩ ଦିନ: ଧୂମଧଡ଼ାକା ନୃତ୍ୟରେ ଦୁଲୁକୁଛି ମଞ୍ଚ; ମନଛୁଆଁ ସଂଳାପରେ ମନ ଜିଣୁଛନ୍ତି ଲୋକପ୍ରିୟ ଯାତ୍ରା କଳାକାର

କନକ ବ୍ୟୁରୋ: ଧୂମ୍‌ଧଡ଼ାକା ନୃତ୍ୟରେ ଦୁଲୁକୁଛି ମଞ୍ଚ। ମନଛୁଆଁ ସଂଳାପରେ ମନ ଜିଣୁଛନ୍ତି ଲୋକପ୍ରିୟ ଯାତ୍ରା କଳାକାର। ତଥାପି ଅତୀତର ସେହି ମନେ ରହିଲା ଭଳି ଦମଦାର ଡାଏଲକର ଅଭବା ଅନୁଭବ କରୁଛନ୍ତି ଯାତ୍ରା ଦର୍ଶକ। ଖଣ୍ଡଗିରି ଯାତ୍ରା ମହାକୁମ୍ଭ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ ଯାତ୍ରା ରସିକଙ୍କ ପାଦର ପରିମାଣ ବଢ଼ିବଢ଼ି ଚାଲିଛି। କେବଳ ରାଜଧାନୀ ନୁହେଁ, ଆଖପାଖ ଅଞ୍ଚଳ ସମେତ ପୁରୀ, କଟକ, ଖୋର୍ଧା ଆଦି ଅଞ୍ଚଳରୁ ମଧ୍ୟ ଯାତ୍ରା ରସିକଙ୍କ ସମାଗମ ହେଉଛି। ମହତାବ ପେଣ୍ଡାଲରେ ତୁଳସୀ ଗଣନାଟ୍ୟର ‘ସାବିତ୍ରୀ କରୁଛି ସ୍ବାମୀ ନିଲାମ’ ହାଉସଫୁଲ୍ ହୋଇ ଦର୍ଶକଙ୍କ ମନ ଜିଣିଥିବା ବେଳେ ଜାଗମରା ମେଳଣ ପଡ଼ିଆରେ ରାଜଧାନୀ ଅପେରାର ନାଟକ ‘ଲକ୍ଷେ ଶିବ ପୂଜି ପାଇଛି ତତେ’ ନାଟକ ନାଟ ପ୍ରିୟ ରସିକଙ୍କ ମନ ଜିଣିପାରିଛି। ବିଶେଷକରି ଯାତ୍ରା ସୁପରଷ୍ଟାର୍ ପ୍ରତାପଙ୍କ ଦମଦାର୍ ଅଭିନୟର ତଡ଼କା ଉପଭୋଗ କରି ବାହାବା କରିଛନ୍ତି ଦର୍ଶକ। ଏଥିସହ ଗତକାଲି ଘାଟିକିଆ ପଡ଼ିଆରେ ନୂଆ ଯାତ୍ରା ଦଳ ଭାବେ ସାମିଲ୍ ହୋଇଛି ‘ଧଉଳି’ ଗଣନାଟ୍ୟ। ପ୍ରଥମ ରାତିରେ ପାଦ ଥାପିବା ପରେ ଧଉଳି ମଂଚସ୍ଥ କରିଛି ‘ସେଦିନର କଥା ମନେ ଅଛି ନା?’। ଏଥିରେ ଗୌରଙ୍କ ଭଳି ଲୋକପ୍ରିୟ ଅଭିନେତାଙ୍କ ଅଭିନୟ ଦେଖିବା ପାଇଁ ଯାତ୍ରା ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି।

ଆଉ ମାତ୍ର ୪ଦିନ ପରେ ଯାତ୍ରା ମହୋତ୍ସବରେ ଯବନିକା ପଡ଼ିବାକୁ ଯାଉଥିବା ବେଳେ ଗତକାଲି ମଧ୍ୟ ନାଟ୍ୟ ସଂସ୍ଥାମାନେ ନାଟକ ପରିବର୍ତନ କରିନାହାନ୍ତି। ଶିବାନୀ ଗଣନାଟ୍ୟ ଜାଗମରା ମେଳଣ ପଡ଼ିଆରେ ‘ରଙ୍ଗ ଲଗେଇଛି ରଙ୍ଗେଇ ନାନୀ’ ନାଟକକୁ ପୁଣି ରିପିଟ୍ କରିଥିବା ବେଳେ ରଙ୍ଗେଇ ନାନୀ ଭୂମିକାରେ ଜଲିଉଡ୍ର ଚୁଲବୁଲି ନାୟିକା ‘ଟିକି’ଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ରୋମାଞ୍ଚ ଭରି ଯାଇଛି। ମା’ ମଙ୍ଗଳା ସାଂସ୍କୃତିକ ପରିଷଦ ପକ୍ଷରୁ କେସିଏ ପଡ଼ିଆରେ ‘ରଙ୍ଗମହଲ’ ସେଇ ସମାନ ନାଟକ ‘ମୁଁ ସେଇ ଭଦ୍ରକିଆ ଟୋକା’କୁ ରିପିଟ୍ କରି ଚାଲିଛି। ଭଦ୍ରକିଆ ଟୋକା ଭୂମିକାରେ ସୁବାସଙ୍କ ଭିନ୍ନ ଧରଣର ଚରିତ୍ରକୁ ବେଶ୍ ସାବାସୀ ମିଳୁଛି। ଏଥିସହ ଜୟଦୁର୍ଗା ସାଂସ୍କୃତିକ ପରିଷଦ ପକ୍ଷରୁ ସେଇ କେସିଏ ପଡ଼ିଆ ୨ରେ ଅପେରା ସୂର୍ଯ୍ୟମନ୍ଦିର ଆଜି ମଧ୍ୟ ‘ମାୟାବିନୀ ମୌସୁମୀ’ ଭେଟି ଦେଇଛି।

୧୪ ତାରିଖରେ ମହତାବ ପେଣ୍ଡାଲରେ ଯୋଡ଼ି ହେବାକୁ ଯାଉଛି ‘ସ୍ବର୍ଣ୍ଣମହଲ’। ସ୍ବର୍ଣ୍ଣମହଲ ‘ସିନ୍ଦୂର ହାଟରେ ନାହିଁ ସିନ୍ଦୂର’ ଓ ‘ସାବତ ସ୍ବାମୀ’ ଭଳି ଦୁଇ ଚର୍ଚ୍ଚିତ ନାଟକ ନେଇ ଶୁକ୍ରବାର ମଞ୍ଚ ପ୍ରବେଶ କରିବ। ଶେଷ ପର୍ଯ୍ୟାୟରେ ଦୁଇ ନୂଆ ଯାତ୍ରା ଦଳ ଯୋଡ଼ି ହେବାକୁ ଯାଉଥିବାରୁ ସମ୍ଭବତଃ ଅନ୍ୟ ଯାତ୍ରା ଦଳ ନିଜର ନାଟକ ବଦଳାଇପାରନ୍ତି। ମାତ୍ର ଅଧିକାଂଶ ଯାତ୍ରା ଦଳ ନାଟକ ବଦଳାଇବା ସପକ୍ଷରେ ନାହାନ୍ତି। ତେଣୁ ଶେଷ ପର୍ଯ୍ୟାୟରେ ଯୋଗ ଦେଉଥିବା ଦୁଇ ଦଳ ଫାଇଦାରେ ରହିବେ ବୋଲି ଅନୁମାନ କରାଯାଉଛି। ବଡ଼ କଥା ହେଉଛି, ଯାତ୍ରା ମଞ୍ଚରେ ଗୀତ ଓ ନୃତ୍ୟରେ ରିମିକ୍ସକୁ ଦର୍ଶକ ବିଶେଷ ପସନ୍ଦ କରୁନାହାନ୍ତି। ଯାତ୍ରା ଦଳଗୁଡ଼ିକ ଯେପରି ନୃତ୍ୟ ଓ ଗୀତ ପ୍ରଦର୍ଶନ କରୁଛନ୍ତି, ତାହା ଗୋଟେ ପାର୍ଟି ଅନ୍ୟ ପାର୍ଟିର ପଥ ଅନୁସରଣ କରିବା ଭଳି ହୃଦବୋଧ ହେଉଛି। ତେଣୁ ମେଲୋଡ଼ି ଓ ନୃତ୍ୟରେ ଏଥର କୌଣସି ରୋମାଞ୍ଚ ଦେଖିବାକୁ ମିଳି ପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe