କନକ ବ୍ୟୁରୋ : ୨୦୧୪ ମସିହାର ବହୁ ଚର୍ଚ୍ଚିତ ଖଣ୍ଡଗିରି ଟ୍ରିପଲ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତ । ହତ୍ୟାକାଣ୍ଡର ପ୍ରାୟ ୧୦ବର୍ଷ ପରେ ଭୁବନେଶ୍ୱର ଏଡିଜି କୋର୍ଟ ମାମଲାର ରାୟ ଶୁଣାଇଛନ୍ତି । ଅଭିଯୁକ୍ତ ସ୍ନେହ ସ୍ୱାକ୍ଷରକୁ ଦୋଷୀ ସାବ୍ୟସ୍ତ କରି କୋର୍ଟ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି ।
କୋର୍ଟଙ୍କ ଦଣ୍ଡାଦେଶରେ ଖୁସି ହୋଇ ନାହାନ୍ତି, ମୃତ ଘରୋଇ ସହାୟକଙ୍କ ସ୍ତ୍ରୀ ରୁନୁ ବେହେରା । ସ୍ୱାମୀ ଓ ପୁଅକୁ ହରାଇଥିବା ରୁନୁ, ଦୋଷୀ ସ୍ନେହ ସ୍ୱାକ୍ଷରକୁ ଫାଶି ଦଣ୍ଡ ଦେବାକୁ ଦାବି କରିଛନ୍ତି ।
ଭୁବନେଶ୍ୱର ଖଣ୍ଡଗିରି ଅଂଚଳରେ ଘଟିଥିଲା ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ଡାକ୍ତର ଅତୁଲ୍ୟ କୁମାର ମେହେରଙ୍କ ଘରେ ପଶି ଅଚାନକ ଆକ୍ରମଣ କରି ତିନି ଜଣଙ୍କୁ ହତ୍ୟା କରିଥିଲା ସ୍ନେହ ସ୍ୱାକ୍ଷର ସାମଲ । ଡାକ୍ତର ଅତୁଲ୍ୟ କୁମାରଙ୍କ ସହ ତାଙ୍କୁ ବଂଚାଇବାକୁ ଉଦ୍ୟମ କରିଥିବା ଘରୋଇ ସହାୟକ ପ୍ରଶାନ୍ତ ବେହେରା ଓ ସହାୟକଙ୍କ ପୁଅ ମିଲୁ ବେହେରାଙ୍କର ମୃତ୍ୟୁ ହୋଇଥିଲା । ଆଉ ଆକ୍ରମଣର ପୁରା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା ।
ରାଜଧାନୀରେ ଜଣେ ଡାକ୍ତରଙ୍କୁ ହତ୍ୟା ଘଟଣା ସେତେବେଳେ ସମସ୍ତଙ୍କୁ ଚମକେଇ ଦେଇଥିଲା । ଫାର୍ମାସିଷ୍ଟ ସ୍ନେହ ସ୍ୱାକ୍ଷରଙ୍କୁ ଜେରା କରିବା ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଲା ତାହା ମଧ୍ୟ ଚମକେଇ ଦେଲା ଭଳି । ସ୍ନେହ ସ୍ୱାକ୍ଷର ନିଜ ପିଲାକୁ ଚିକିତ୍ସା ପାଇଁ ଡାକ୍ତର ଅତ୍ୟୁଲ ମେହେରଙ୍କ ପାଖକୁ ଦୁଇ ତିନି ଥର ଆଣିଥିଲା । ସବୁଥର ଡାକ୍ତର ବାହାରେ ପରୀକ୍ଷା କରିବାକୁ କହି ଔଷଧ ଲେଖିଦେଉଥିଲେ । ଡାକ୍ତର ଜାଣିଶୁଣି ହଇରାଣ କରୁଥିବା ମନେ କରି ଡାକ୍ତରଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ସ୍ନେହ ସ୍ୱାକ୍ଷର ।