ପୁଣି ବିବାଦରେ ‘ଖାନ୍ ସାର୍’ ।  ତୁରନ୍ତ ଗିରଫ କରିବାକୁ କଂଗ୍ରେସ ନେତାଙ୍କ ଦାବି । 

3,385

କନକ ବ୍ୟୁରୋ: ସୋସିଆଲ୍ ମିଡିଆ ଯୁଗରେ ଆପଣ ଖାନ୍ ସାରଙ୍କୁ ନିଶ୍ଚୟ ଜାଣିଥିବେ । ଏହି ସାରଙ୍କ ଭିଡିଓ ୟୁଟ୍ୟୁବରେ କେବେ ନା କେବେ ଦେଖିଥିବେ । ଖାନ୍ ସାର ପାଟନା ନାମରେ ପରିଚିତ ଏ ବ୍ୟକ୍ତି, ସୋସିଆଲ୍ ମିଡିଆରେ ଏତେ ପରିଚିତ ଯେ, ତାଙ୍କର ଶିକ୍ଷାର୍ଥୀଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ । ହେଲେ ଖାନ୍ ସାର୍ ପାଟନାଙ୍କ ନାଁରେ ଏବେ ଆସିଛି ସାଙ୍ଘାତିକ ଅଭିଯୋଗ ।

ମଜାଳିଆ ଢଙ୍ଗରେ ପାଠ ପଢାଉଥିବା ଖାନ୍ ସାର, ବିଭିନ୍ନ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପିଲାଙ୍କର ବେଶ ପସନ୍ଦ । ତାଙ୍କର ଭିଡିଓକୁ ଅନେକ ଲୋକ ସୋସିଆଲ୍ ମିଡିଆରେ ଦେଖୁଥିବାବେଳେ, ବିହାରରେ ତାଙ୍କ ନିଜର କ୍ଲାସ୍ ମଧ୍ୟ ରହିଛି । ହେଲେ ନିକଟରେ ତାଙ୍କର ଏକ ଭିଡିଓ ଚର୍ଚ୍ଚା ସୃଷ୍ଟି କରିବା ସହ, ଏହାକୁ ନେଇ ଛିଡା ହେଇଛି ଏକ ନୂଆ ବିବାଦ ।  ପିଲାମାନଙ୍କୁ ଖାନ୍ ସାର ଦ୍ୱନ୍ଦ୍ୱ ସମାସ ପଢାଇବା ବେଳେ, ଏକ ଉଦାହରଣ ଦେଇଥିଲେ । ଆଉ ଏହି ଉଦାହରଣରେ ସେ ଏମିତି କିଛି କଥା କହିଥିଲେ, ଯାହା ବିବାଦ ଠିଆ କରିଛି । ଏହି ଭିଡିଓରେ ଖାନ୍ ସାର ଉଦାହରଣ ଦେଇ କହିଥିଲେ । ସୁରେଶ ଜାହାଡ ଉଡାଇଲେ, ଅବଦୁଲ ଜାହାଜ ଉଡାଇଲେ । ହେଲେ ଏହାର ଅର୍ଥ କିନ୍ତୁ ଭିନ୍ନ ଭିନ୍ନ ହେବ । ସୁରେଶ ଏଠି ଜାହାଜକୁ ଆକାଶରେ ଉଡାଉଥିବାବେଳେ, ଅବଦୁଲ ଏଠି ଜାହାଜକୁ ଧ୍ୱଂସ କରୁଛି ।

ତେବେ ଖାନ ସାରଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି । ଖୋଦ୍ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ୍ର ଏ ଭିଡିଓକୁ ରି-ଟୁଇଟ୍ କରିବା ସହ ତୁରନ୍ତ ଖାନ୍ ସାରଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ତେବେ ଖାନ୍ ସାରଙ୍କୁ ନେଇ ବିବାଦ କିଛି ନୂଆ ନୁହେଁ । ଏହା ପୂର୍ବର୍ରୁ ମଧ୍ୟ ଅନେକ ଥର, ଖାନ୍ ସାର ବିବାଦରେ ଫସିସାରିଛନ୍ତି । ନିକଟରେ ଆରଆରବି ଏନଟିପିସି ପରୀକ୍ଷା ହୋଇଥିବା ଗଡବଡକୁ ନେଇ ଖାନ୍ ସାର ମୁହଁ ଖୋଲିଥିଲେ । ଆଉ ଛାତ୍ରଛାତ୍ରୀମାନଙ୍କୁ ନିଜର ହକ୍ ପାଇଁ ଲଢିବାକୁ କହିଥିଲେ । ଯାହାକି ଗୋଟିଏ ବଡ ବିବାଦ ଠିଆ କରିଥିଲା ।

ପିଲାମାନଙ୍କୁ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଖାନ୍ ସାରଙ୍କୁ ଛାତ୍ରଛାତ୍ରୀମାନେ ବେଶ ପସନ୍ଦ କରିଥାନ୍ତି । ୟୁଟ୍ୟୁବରେ ତାଙ୍କର ଭିଡିଓକୁ ମିଲିୟନ୍ ମିଲିୟନ୍ ଭିଉ ମିଳୁଥିବାବେଳେ, ପାଟନାର ତାଙ୍କର ଖାନ୍ ସାର ଜିଏସ୍ ରିସର୍ଚ୍ଚ ସେଂଟର ରହିଛି । ହେଲେ ଏବେ ତାଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ତାଙ୍କୁ ଅକଳରେ ପକାଇଛି ।