କନକ ବ୍ୟୁରୋ : ମାନିଲେନି ସରକାରଙ୍କ କଟକଣା । ବିବାହ ଭୋଜିର କଲେ ଆୟୋଜନ । ଚଢ଼ାଉ କଲା ପ୍ରଶାସନ, ଜରିମାନା ଦେଲେ ଆୟୋଜକ । ସରକାର କଟକଣାକୁ ଯେତେ କଡ଼ାକଡ଼ି କଲେ ମଧ୍ୟ ଅମାନିଆ ମାନିବାକୁ ନାରାଜ । ଗାଁ ଗାଁରେ ଭୋଜିଭାତ, ତାସ ଖେଳ, କିକ୍ରେଟ ଖେଳ ଯୋଗୁଁ ବର୍ତମାନର ଗ୍ରାମାଂଚଳରେ ହିଁ ସର୍ବାଧିକ କରୋନା ରୋଗୀ ଦେଖିବାକୁ ମିଳୁଛି । ଖଲ୍ଲିକୋଟ ବ୍ଲକ ବିକ୍ରମପୁର ଗାଁରେ ଏକ ବିବାହ ଭୋଜି ଚାଲୁଥିବା ବେଳେ ଖବର ପାଇ ସ୍ଥାନୀୟ ପ୍ରଶାସନ ତରଫରୁ ଚଢ଼ାଉ କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ବିକ୍ରମପୁର ପାଟଣା ସାହିର ସ୍ୱର୍ଗତ ରାମନାଥ ବେହେରାଙ୍କ ପୁଅ କୁନା ବେହେରାଙ୍କ ବିବାହ ଅନୁଷ୍ଠିତ ହେବା ସହ ଭୋଜିର ଆୟୋଜନ କରାଯାଇଥିଲା । ପ୍ରାୟ ୫ଶହ ଲୋକଙ୍କ ପାଇଁ ଭୋଜି ରନ୍ଧା ଯାଇଥିଲା । ମଧ୍ୟାହ୍ନରେ ଲୋକ ଖାଉଥିବା ସମୟରେ ଖବର ପାଇ ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ, ଥାନା ଅଧିକାରୀ ସତ୍ୟ ରଂଜନ ପ୍ରଧାନ ପହଂଚି ଭୋଜି ଖାଇବା ବନ୍ଦ କରିବା ସହ କୋଭିଡ କଟକଣା ଉଲ୍ଲଘଂନ କରିଥିବାରୁ ଆୟୋଜକଙ୍କ ଠାରୁ ୬ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ । ରନ୍ଧା ଯାଇଥିବା ଖାଦ୍ୟ ସାମଗ୍ରୀ ନଷ୍ଟ ନକରି ଗରିବ ଲୋକଙ୍କୁ ବାଂଟି ଦେବା ପାଇଁ ସରପଂଚ ମମତା ପ୍ରଧାନଙ୍କୁ ହସ୍ତାନ୍ତର କରିଥିଲେ ।