କନକ ବ୍ୟୁରୋ : ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟାକାଣ୍ଡକୁ ନେଇ ଭାରତ-କାନାଡା ସମ୍ପର୍କରେ ଦେଖାଦେଇଥିବା ତିକ୍ତତା ଥମିବାର ନାଁ ନେଉନାହିଁ । ଖଲିସ୍ତାନୀ ସଂଘ ଶିଖ ଫର ଜଷ୍ଟିସ୍ (ଏସ୍ଏଫଜେ) ପକ୍ଷରୁ କାନାଡାର ଓଟୱା ଓ ଟୋରଂଟୋ ସ୍ଥିତ ଭାରତୀୟ ଦୂତାବାସ ବାହାରେ ବିରୋଧ ପ୍ରଦର୍ଶନ କରାଯାଇଛି । ଭାରତ ସରକାର ବିରୋଧରେ ନାରାବାଜି କରିଛନ୍ତି ଖଲିସ୍ତାନୀ ସଂଘ ଏସଏଫଜେ ସଦସ୍ୟ । ଖଲିସ୍ତାନୀ ଅମର ରହେ ନାରା ସହ ବିରୋଧ ପ୍ରଦର୍ଶନ କରିଛନ୍ତି ପ୍ରଦର୍ଶନକାରୀ । ଆତଙ୍କୀ ନିଜ୍ଜର ହତ୍ୟା ପଛରେ ଭାରତର ସହେନ୍ଦଜନକ ଭୂମିକା ଥିବା କହିଥିଲେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ । ଯାହାକୁ ସମର୍ଥନ ଜଣାଇଛି ସଂଘ ।

Advertisment

ଖଲିସ୍ତାନୀ ଆତଙ୍କୀ ପ୍ରସଙ୍ଗକୁ ନେଇ ଭାରତ-କାନାଡ଼ା ବିବାଦ ତେଜିବାରେ ଲାଗିଛି । ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଖୋଲାଖୋଲି ସମର୍ଥନ କରୁଛନ୍ତି ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ । ସେପଟେ କାନାଡ଼ାରେ ରହୁଥିବା ଭାରତୀୟଙ୍କୁ ଦେଶ ଛାଡି ଚାଲିଯିବାକୁ ଧମକ ମିଳୁଥିବା ଅଭିଯୋଗ ହୋଇଛି । ବଙ୍କ୍ୟୁବର, ଟୋରଂଟୋ, ଓଟାବାରେ ପୋଷ୍ଟର ଲଗାଇ ଧମକ ଦେଉଛନ୍ତି ଖଲିସ୍ତାନୀ ସମର୍ଥକ । ସୂଚନା ଅନୁସାରେ ଶିଖ ଫର ଜଷ୍ଟିସ ମୁଖ୍ୟ ଗୁରୁପତବନ୍ତ ପନ୍ନୁ ଭିଡିଓ ଜାରି କରି କାନାଡାରେ ଥିବା ଭାରତୀୟ ଦୂତାବାସ ବନ୍ଦ କରିବାକୁ ଧମକ ଦେଇଛି । କେବଳ ସେତିକି ନୁହେଁ ପନ୍ନୁ କହିଛି ଯେଉଁମାନେ ଖଲିସ୍ତାନୀଙ୍କ ସମର୍ଥନ କରିବେ ସେମାନେ କେବଳ କାନାଡାରେ ରହିପାରିବେ  ।

ଭାରତ ବିରୋଧରେ କାନାଡ଼ାରେ ତେଜୁଛି ଆନ୍ଦୋଳନ । ଏଠାରେ ରହୁଥିବା ଶିଖ ମାନେ ଭାରତ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଭାରତୀୟ ଦୂତାବାସ ନିକଟରେ ପହଁଚି ଜୋରଦାର ପ୍ରତିବାଦ କରିଛନ୍ତି ।