କନକ ବ୍ୟୁରୋ: ଭାରତ-କାନାଡା ବିବାଦକୁ ନେଇ ଏବେ ଦୁଇ ଦେଶ ମଧ୍ୟରେ ବିବାଦ ଜୋର ଧରିଥିବା ବେଳେ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟାର ଷଡଯନ୍ତ୍ର କରିଥିଲା ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସଆଇ । ହରଦୀପ ସିଂହ ନିଜ୍ଜରକୁ ହତ୍ୟା କରି ଭାରତ ଉପରେ ଦୋଷ ଲଦିବାକୁ ଷଡଯନ୍ତ୍ର ରଚିଥିଲା ଆଇଏସଆଇ । ନିଜ୍ଜରକୁ ମାରିବା ପାଇଁ ଭଡାଟିଆ ହତ୍ୟାକାରୀ ନିଯୁକ୍ତ କରିଥିଲା ଆଇଏସଆଇ । ଏଥିରେ ଭାରତର ଛବି ପ୍ରଭାବିତ କରିବାକୁ ଷଡଯନ୍ତ୍ର କରିଥିଲା ପାକ୍ ଗୁଇନ୍ଦା ସଂସ୍ଥା । ଏବେ ନିଜ୍ଜରର ହତ୍ୟା ପରେ ଆଇଏସଆଇ ତାଙ୍କ ସ୍ଥାନରେ ଆଉ ଜଣଙ୍କୁ ନିୟୋଜିତ କରିବାକୁ ଯୋଜନା କରିଛି । ଏପରିକି ପାକିସ୍ତାନ ଏବଂ କାନାଡା ମିଶି ଷଡଯନ୍ତ୍ର ରଚିଥିବା ଏନଆଇଏ କହିଛି ।

Advertisment

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରକୁ କାନାଡ଼ାର ବ୍ରିଟିଶ କଲମ୍ବିଆ ପ୍ରଦେଶରେ ଜୁନ୍ ୧୮ରେ ହତ୍ୟା କରାଯାଇଥିଲା । ୨ଟି ବାଇକରେ ଆସି ୬ ଜଣ ନିଜ୍ଜର ଉପରେ ଗୁଳି ଚଳାଇଥିଲେ, ଫଳରେ ତାର ମୃତ୍ୟୁ ହୋଇଥିଲା । ତେବେ ଏଥିରେ ଭାରତୀୟ ଏଜେଣ୍ଟଙ୍କ ହାତ ଥିବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିଥିଲେ । ଯାହାକୁ ଭାରତ ଖଣ୍ଡନ କରିଆସୁଛି । ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି ।

ସେପଟେ ଖଲିସ୍ତାନୀ ଆତଙ୍କୀଙ୍କୁ ସାବାଡ଼ କରିବା ପାଇଁ ୫୩ଟି ସ୍ଥାନରେ ରେଡ କରିଛନ୍ତି ଏନଆଇଏ । ଚଢାଉ କରି ଅନେକ ସନ୍ଦିଗ୍ଧଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି । ପଞ୍ଜାବ, ଜମ୍ମକାଶ୍ମୀର ସମେତ ଦେଶର ୬ ରାଜ୍ୟରେ ଏନଆଇଏ ରେଡ କରିଛି । ଗ୍ୟାଙ୍ଗଷ୍ଟର ଓ ଖଲିସ୍ତାନୀ ନେଟୱାର୍କର ପର୍ଦ୍ଦାଫାଶ ପାଇଁ ୫୩ଟି ସ୍ଥାନରେ ରେଡ କରିଛି ଏନଆଇଏ । ପଞ୍ଜାବର ୩୦, ରାଜସ୍ଥାନ ୧୩. ହରିଆଣା ୪, ଉତ୍ତରାଖଣ୍ଡର ୨, ଦିଲ୍ଲୀ ଓ ୟୁପିର ବିଭିନ୍ନ ସ୍ଥାନରେ ରେଡ କରାଯାଇଛି । ଏହି ସବୁ ସ୍ଥାନରେ ଖଲିସ୍ତାନୀ ସମର୍ଥକ ଓ ଗ୍ୟାଙ୍ଗଷ୍ଟର ଲୁଚି ରହି ଭାରତ ବିରୋଧୀ କାର୍ଯ୍ୟକଳାପ କରୁଥିବା ଗୁଇନ୍ଦା ସୂଚନା ମିଳିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।