କନକ ବ୍ୟୁରୋ : ଖଲ୍ଲିକୋଟରେ ପ୍ରାକ୍-ନିର୍ବାଚନୀ ହିଂସା ପରେ ତଦନ୍ତକୁ ଜୋରଦାର କରିଛି ଏସଆଇଟି । ହିଂସା ଘଟିଥିବା ସ୍ଥାନକୁ ଯାଇ ଘନଘନ ଯାଂଚ କରୁଛି ତଦନ୍ତାକରୀ ସଂସ୍ଥା । ତଦନ୍ତଭାର ନେବାର ଦୁଇଦିନ ପରେ ୨ ଜଣଙ୍କୁ ଗିରଫ କରିଛି ଏସଆଇଟି । ପୂର୍ବରୁ ୯ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ଏବେ ୧୧ରେ ପହଂଚିଛି ଗିରଫଦାରୀ ସଂଖ୍ୟା । ଆଗକୁ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବା ନେଇ ସୂଚନା ଦେଇଛନ୍ତି ଡିଜିପି । ଡିଜିପି କହିଛନ୍ତି, ଆଇନଶୃଙ୍ଖଳା ଉପରେ ତୀକ୍ଷ୍ଣ ନଜର ରଖିଛି ପୁଲିସ ।

Advertisment

ସେପଟେ ହିଂସା ପରେ ଖଲ୍ଲିକୋଟର ବିିଭିନ୍ନ ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ା କରାଯାଇଛି । ହିଂସା ରୋକିବାକୁ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ ସହ ମୋବାଇଲ ଟିମ୍ ମୁତୟନ କରାଯାଇଥିଲା । ଯେଉଁ ଅଂଚଳରେ ହିଂସା ଘଟିଥିଲା, ସେଠାକାର ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରି ଅଧିକ ତଥ୍ୟ ହାସଲ କରୁଛି ପୁଲିସ । ଏହାରି ଭିତରେ ଏସଆଇଟି ଯେଉଁ ଦୁଇ ଜଣଙ୍କୁ ଗିରଫ କରିଛି, ସେମାନେ ହେଉଛନ୍ତି ଘଟଣାର ମୁଖ୍ୟ ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ହେଉଛନ୍ତି ସୁଦର୍ଶନ ପାହାଳ, ଆଲିୟାଜ ମାଣ୍ଡା । ଉଭୟଙ୍କ ନାଁରେ ଏଫଆଇଆରରେ ଥିଲା ।

ରାତି ପାହିଲେ ଓଡ଼ିଶାରେ ପଡ଼ିବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ତେବେ ପ୍ରାକ-ନିର୍ବାଚନୀ ହିଂସା ଭିତରେ ଖଲ୍ଲିକୋଟରେ କିପରି ସୁରୁଖୁରରେ ପଡ଼ିବ ଭୋଟ୍, ତା’ଉପରେ ରହିଛି ପୂରା ନଜର ।