ରାଜନୀତି ଖଣ୍ଡାଧାରରେ ଖଲ୍ଲିକୋଟ । ‘ଶଙ୍ଖ’କୁ ସମସ୍ୟା ଗୋଷ୍ଠୀ କନ୍ଦଳ, ଫାଇଦା ନେବାକୁ ବିରୋଧୀ କଷୁଛନ୍ତି ବଳ ।

378

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲାର ସବୁଠାରୁ ପୁରାତନ ତଥା ମର୍ଯ୍ୟାଦା ସମ୍ପନ୍ନ ବିଧାନସଭା ନିର୍ବାଚନମଣ୍ଡଳୀ ଭାବେ ପରିଚିତ ଖଲ୍ଲିକୋଟ । ଏହି ନିର୍ବାଚନ ମଣ୍ଡଳୀ ଅଣ କଂଗ୍ରେସ ଦୁର୍ଗଭାବେ ରହି ଆସିଛି । ଆଉ ଏହାକୁ ନିଜ କବଳରେ ରଖିଛି ବିଜେଡି । କିନ୍ତୁ ଏହି ନିର୍ବାଚନମଣ୍ତଳୀରେ ବିଜେଡି ପାଇଁ ସଙ୍କଟ ବଢୁଛି । କାରଣ ଏଠି ବିଜେଡିରେ ଗୋଷ୍ଠୀକନ୍ଦଳ ତୀବ୍ର ହେବାରେ ଲାଗିଛି । ବିଜେଡି କନ୍ଦଳରୁ ଫାଇଦା ନେବାକୁ ବିରୋଧୀ ବିଜେପି ଓ କ˚ଗ୍ରେସ ରଣନୀତି କରୁଛନ୍ତି ।

୨୦୦୯ ସୀମା ନିର୍ଦ୍ଧାରଣରେ ଏହି ନିର୍ବାଚନ କ୍ଷେତ୍ର ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସ˚ରକ୍ଷିତ ହୋଇଯାଇଛି। ଖଲ୍ଲିକୋଟ ବ୍ଲକ, ପୁରୁଷୋତ୍ତମପୁର ବ୍ଲକର ୨୪ ପଞ୍ଚାୟତ, ଖଲ୍ଲିକୋଟ ଏନ୍ଏସି ଓ ପୁରୁଷୋତ୍ତମପୁର ଏନଏସିକୁ ନେଇ ଖଲ୍ଲିକୋଟ ନିର୍ବାଚନ କ୍ଷେତ୍ର ଗଠିତ। ଏହି ଆସନ ସ˚ରକ୍ଷିତ ହେବା ପରେ ବିଜେଡି ଏହି ଆସନରୁ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ପ୍ରାର୍ଥୀ କରିଥିଲା । ପୂର୍ଣ୍ଣଚନ୍ଦ୍ର ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି ହୋଇଥିବା ଚାକିରି ଛାଡି ବିଜେଡିରେ ଯୋଗଦେଇ ନିର୍ବାଚନ ଲଢିଥିଲେ । ବିରୋଧୀଙ୍କୁ ପଛରେ ପକାଇ ୬୫ ହଜାର ୨୯୯ଖଣ୍ତ ଭୋଟ ପାଇ ବିଜୟୀ ହୋଇଥିଲେ ପୂର୍ଣ୍ଣ । ନିଜସ୍ବ ଶୈଳୀରେ ତାଙ୍କ ନିର୍ବାଚନମଣ୍ତଳୀରେ କାର୍ଯ୍ୟ ଆରମ୍ଭ କରିଥିଲେ। ଯାହାକୁ ନେଇ ଖଲ୍ଲିକୋଟ ରାଣୀ ଏବ˚ ସ୍ଥାନୀୟ ବିଧାୟକଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା । ୨୦୧୪ରେ ମଧ୍ୟ ବିଜେଡି ଟିକେଟ୍ ପୂର୍ଣ୍ଣଙ୍କୁ ମିଳିଥିଲା ଏବଂ ସେ ବିଜୟ ତିଳକ ପିନ୍ଧିଥିଲେ ।

ବର୍ତ୍ତମାନ ଖଲ୍ଲିକୋଟ ନିର୍ବାଚନମଣ୍ତଳୀରେ ରାଣୀ ବିଜେଡି ଓ ପୂର୍ଣ୍ଣ ବିଜେଡି ଭାବେ ବିଜେଡି ଦୁଇ ଗୋଷ୍ଠୀ ହୋଇ ରହିଛି । ସେପଟେ ବିରୋଧୀ ଆହୁରି ସକ୍ରିୟ ହୋଇ ପଡିଛନ୍ତି। ଏହି ନିର୍ବାଚନ ମଣ୍ତଳୀରୁ ବିଜେଡି ଏକାଧିକ ଆଶାୟୀ ରହିଥିଲେ ହେଁ ଶିକ୍ଷାଗତ ଯୋଗ୍ୟତାକୁ ମାପକାଠି ଧରାଗଲେ ସମସ୍ତ ଆଶାୟୀ ସ୍ଥାନୀୟ ବିଧାୟକଙ୍କ ସହ ତୁଳନୀୟ ନୁହନ୍ତି । ତଥାପି, ବିଜେଡିରୁ ଦୈତାରୀ ବେହେରା ଓ ସଞ୍ଜୟ ସେଠୀ ଆଶାୟୀ ରହିଛନ୍ତି।

ଅନ୍ୟପଟେ ବିଜେଡି ଗଡ଼ରେ ଧସେଇ ପସିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରୁଛନ୍ତି । ତେଣୁ ବିଜେପିରୁ ଅବସରପ୍ରାପ୍ତ ବିଚାରପତି ଶତ୍ରୁଘ୍ନ ନାୟକ, ଭାରତୀ ବେହେରା ଏବ˚ ୨୦୦୯ରେ ବିଜେପିରୁ ଏହି ନିର୍ବାଚନ କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିବା ମୀନା ଟହଲ ଆଶାୟୀ ଅଛନ୍ତି। କିନ୍ତୁ ରାଜ୍ୟ ନେତୃବୃନ୍ଦ କାହା ଦାୟିତ୍ୱରେ ଖଲ୍ଲିକୋଟ ଦଖଲ କରିବାକୁ ବାଛିବେ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ଆଗାମୀ ନିର୍ବାଚନ ନେଇ ରାଜ୍ୟ ରାଜନୀତି କେଉଁ ମୁହୂର୍ତ୍ତ ବି କଡ଼ ଲେଉଟାଇପାରେ ବୋଲି ଆଲୋଚନା ଜୋର ଧରିଛି । ତେଣୁ ଶାସକ ବିଜେଡିରେ ଥିବା କନ୍ଦଳର ଫାଇଦା ନେବାକୁ କସରତ କରୁଛି କଂଗ୍ରେସ । ଯେଉଁଥି ପାଇଁ ଏହି ନିର୍ବାଚନମଣ୍ଡଳୀରେ ଏବେ ଧିରେ ଧିରେ ସକ୍ରିୟ ହେବାରେ ଲାଗିଛି କଂଗ୍ରେସ । ଚର୍ଚ୍ଚା ମୁତାବକ ଏଥର କ˚ଗ୍ରେସରୁ ଗତଥର ନିର୍ବାଚନ ଲଢିଥିବା ପାଣ୍ତବ ଜାଲିଙ୍କୁ ଟିକେଟ୍ ମିଳିପାରେ । ପାଣ୍ଡବଙ୍କ ବ୍ୟତୀତ ଆଶାୟୀ ଲିଷ୍ଟରେ ରହିଛନ୍ତି ଭୋକଲି ସେଠୀ ଓ ଅବସରପ୍ରାପ୍ତ ଉପ ଶ୍ରମ ଅଧିକାରୀ ଦୀନବନ୍ଧୁ ଅଧିକାରୀ ।