‘ଡନ୍’ଙ୍କ ପାଇଁ ନଥିଲା ‘ଖାଇକେ ପାନ୍ ବନାରସ୍ ବାଲା’! ଜାଣନ୍ତୁ କେଉଁ ସିନେମା ପାଇଁ ଲେଖାଯାଇଥିଲା ଏହି ସୁପରହିଟ୍ ଗୀତ

53

ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ‘ଡନ୍’ ବଲିଉଡ ଜଗତର ଏକ ସୁପରହିଟ୍ ସିନେମା । ଏହି ସିନେମାର ଡାଇଲଗ୍, ଦୃଶ୍ୟ ଓ କାହାଣୀ ଆଜି ବି ଦର୍ଶକଙ୍କ ମନେ ଅଛି । ଫିଲ୍ମର କ୍ରେଜ୍ ଏତେ ଯେ ବଲିଉଡ୍ ବାଦଶାହା ଶାହରୁଖ ଖାନ୍ ମଧ୍ୟ ଏହାର ରିମେକରେ କାମ କରି ସାରିଛନ୍ତି । ତେବେ ଏହି ସିନେମାରେ ଥିବା ଏକ ଗୀତ ‘ଖାଇକେ ପାନ୍ ବନାରସ୍ ବାଲା’ ଆଜି ଦର୍ଶକଙ୍କ ମୁହେଁ ମୁହେଁ ଅଛି । ଏହି ଗୀତ ପାଇଁ ମଧ୍ୟ ଫିଲ୍ମଟି ଚାଲିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ ।

ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଗୀତଟି ଏହି ସିନେମା ପାଇଁ ଲେଖା ଯାଇ ନଥିଲା । ପ୍ରଥମେ ଏହା ଦେବାନନ୍ଦଙ୍କ ସିନେମା ‘ବନାରସି ବାବୁ’ ପାଇଁ ତିଆରି କରାଯାଇଥିଲା । ହେଲେ ଦେବାନନ୍ଦ ଏହାକୁ ହଟେଇ ଦେଇଥିଲେ । ଏବେ ଏହାକୁ ଭାଗ୍ୟ ହିଁ କୁହାଯିବ ଯେ ଗୀତଟି ଅମିତାଭଙ୍କ କ୍ୟାରିୟରରେ ଯୋଡି ହୋଇ ଯାଇଥିଲା ।

ଏହା ସହ ସିନେମାରେ ଏହି ଗୀତଟି ନେବା ପଛରେ ଏକ କାରଣ ମଧ୍ୟ ଅଛି । ‘ଡନ୍’ର ନିର୍ଦେଶକ ଚନ୍ଦ୍ର ବରୁଟ୍ ଅଭିନେତା ଓ ନିର୍ଦେଶକ ମନୋଜ କୁମାରଙ୍କ ପାଖରେ ଆସିଷ୍ଟାଂଟ୍ ଭାବରେ କାମ କରୁଥିଲେ । ସିନେମାଟି ସରିଯିବା ପରେ ଚନ୍ଦ୍ର ବରୁଟ୍ , ମନୋଜ କୁମାରଙ୍କୁ ପୁରା ସିନେମାଟି ଦେଖାଇଥିଲେ । ତେବେ ମନୋଜ କୁମାର କହିଥିଲେ ସିନେମାଟି ଖୁବ୍ ଭଲ ହୋଇଛି , ହେଲେ ଏଥିରେ ବ୍ରେକ୍ ନେବା ବହୁତ କଷ୍ଟ । ତେଣୁ ଇଂଟରଭାଲ୍ ପରେ ଏକ ହାଲକା ଫୁଲକା ଗୀତ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ । ତେବେ ସିନେମାଟି ସଂପୂର୍ଣ୍ଣ ହୋଇସାରିଥିଲେ ମଧ୍ୟ ନିର୍ଦେଶକ ଗୀତଟିକୁ ସୁଟିଂ କରି ଏଥିରେ ଯୋଡି ଥିଲେ ।