ପୁଲିସ ଛାଡିଥିଲା, ଧରିଲା ଇଡି । ଅର୍ଚ୍ଚନା ନାଗ ମାମଲାରେ ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱର ଗିରଫ ।  ଜେରା ବେଳେ ଗୁରୁତ୍ୱପୂର୍ଣ୍ଣ ଖୁଲାସା । 

396

କନକ ବ୍ୟୁରୋ: ପୋଲିସ୍ ଛାଡ଼ିଥିଲା ଇଡି ଧରିଲା । ଅର୍ଚ୍ଚନା ନାଗ ମାମଲାର ଅନ୍ୟ କାର୍ପଟଦାର ଖଗେଶ୍ୱର ପାତ୍ରକୁ ୨୦ ଘଣ୍ଟାର ଜେରା ପରେ ଗିରଫ କରିଛି ଇଡି । ଜେରା ବେଳେ ବହୁ ବିସ୍ଫୋରକ ତଥ୍ୟ ମିଳିଛି । ହନିଟ୍ରାପ ଦ୍ୱାରା ଅର୍ଚ୍ଚନା ଆଣୁଥିବା କଳା ଟଙ୍କାକୁ ସୋରୁମ ଜରିଆରେ ଧଳା କରୁଥିଲା ଖଗେଶ୍ୱର । ଏପରିକି ୫ଟି ଆକାଉଣ୍ଟରେ ୫୦ ଲକ୍ଷ ଟଙ୍କାର ନେଣଦେଣ ହୋଇଥିବା ଇଡି ଅଧିକାରୀ ଜାଣିବାକୁ ପାଇଛନ୍ତି ।

  • ପୋଲିସ୍ ଛାଡ଼ିଥିଲା, ଇଡି ଧରିଲା
  • ଗିରଫ ହେଲା ଖଗେଶ୍ୱର
  • ମିଳିଲା ବସ୍ଫୋରକ ତଥ୍ୟ

ସାମ୍ନାକୁ ଆସିଲା ନାଗଫାଶର ଆଉ ଏକ କାର୍ପଟଦାର । ଲେଡି ବ୍ଲାକମେଲର ତଥା ହନିଟ୍ରାପ କ୍ୱିନ ଅର୍ଚ୍ଚନା ନାଗର ମୁଖ୍ୟ ସହଯୋଗୀ ଖଗେଶ୍ୱର ପାତ୍ରର ଚେହେରା ଏବେ ପଦାକୁ ଆସିଛି । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ ବହୁ ବଡ଼ୁବଡ଼ୁଆଙ୍କ ନିଦ ଉଡ଼ାଇ ଦେଇଛି । ୨୦ ଘଣ୍ଟାର ମାରାଥନ ଜେରା ପରେ ଖଗେଶ୍ୱର ଉଗାଳିଛି ବିସ୍ଫୋରକ ତଥ୍ୟ । ଖଗେଶ୍ୱର ୨୦୧୭ ମସିହାରୁ ୨୦୨୨ ପର୍ଯ୍ୟନ୍ତ ହୋଇଥିବା ଆର୍ଥିକ ନେଣଦେଣ ବାବଦରେ ଗୋଟି ଗୋଟି କରି ତଦନ୍ତକାରୀ ଅଫିସରଙ୍କ ଆଗରେ କହିଛି ।  ଖଗେଶ୍ୱରର ମିଛସତ ଉତ୍ତର ଭିତରୁ ଇଡି ହାତରେ ଲାଗିଛି ୫ଟି ଆକାଉଣ୍ଟରେ ହୋଇଥିବା ୫୦ ଲକ୍ଷର  ଟ୍ରାଞ୍ଜାକସନର ପ୍ରମାଣ । ଏହି ୫୦ ଲକ୍ଷ ଟଙ୍କା ବ୍ଲାକମେଲର ଅର୍ଚ୍ଚନା, ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱରଙ୍କ ଭିତରେ ବିଭିନ୍ନ ସମୟରେ ନେଣଦେଣ ହୋଇଛି । ଏପରିକି ପ୍ରତିଟି ଟ୍ରାଞ୍ଜାକସନ ଲକ୍ଷାଧିକ ଟଙ୍କାର ରହିଥିଲା ।

  • ୫ ଆକାଉଣ୍ଟରୁ ମିଳିଛି ୫୦ ଲକ୍ଷ
  • ୧୨ଟି ଆକାଉଣ୍ଟ ଉପରେ ଇଡି ନଜର 

ଅର୍ଚ୍ଚନା ମାମଲାର ଅସମାହିତ ପ୍ରଶ୍ନର ଉତ୍ତର ଖୋଜିବା ଆରମ୍ଭ କରିଦେଇଛି ଇଡି । ଏହି ମାମଲାରେ କମିଶନରେଟ ପୋଲିସ୍ ତଦନ୍ତ ବେଳେ ଖଗେଶ୍ୱରକୁ ଉଠାଇ ପଚରାଉଚରା କରିଥିଲା, ହେଲେ ପରେ ତାକୁ ଛାଡ଼ି ଦେଇଥିଲା । କିନ୍ତୁ ଇଡିର ସନ୍ଦେହୀ ଆଖି ଖଗେଶ୍ୱରର ଆର୍ଥିକ କାରବାରର ଗୁମର ଖୋଲିବା ସହ ତାର ଅସଲ ମୁଖା ଖୋଲିଦେଇଛି । ଇଡିର ସୂଚନା ମୁତାବକ ଅର୍ଚ୍ଚନା ସାମ୍ରାଜ୍ୟର କଳାଟଙ୍କାକୁ ଧଳା କରିବାର ମୁଖ୍ୟ ସୂତ୍ରଧର ସାଜିଥିଲା ଖଗେଶ୍ୱର ପାତ୍ର । କୁହାଯାଉଛି ହନିଟ୍ରାପର ଟଙ୍କାରେ ଖଗେଶ୍ୱର ନଗଦ କାରବାର କରୁଥିଲା । ମୋଟା ଅଙ୍କର ନଗଦ ଟଙ୍କା ଦେଇ ପୁରୁଣା ଗାଡ଼ି କିଣୁଥିଲା ଆଉ ଗରାଖଙ୍କୁ ବିକି ସେହି ଟଙ୍କାକୁ ଧଳା କରିଦେଉଥିଲା । ଆଉ ଲାଭ ଟଙ୍କା ଭାଗ ଭାଗ କରି ସମସ୍ତେ ବାଣ୍ଟି ନେଉଥିଲେ ।

ଖଗେଶ୍ୱରକୁ ଇଡି ରିମାଣ୍ଡରେ ନେଇ ଅଧିକ ପଚରାଉଚରା କଲେ, ବହୁ ବଡ଼ବଡ଼ୁଆଙ୍କ ଚେହେରା ସାମ୍ନାକୁ ଆସିପାରେ । ତେବେ ବଡ଼ କଥା ହେଉଛି ପୂର୍ବରୁ କମିଶନରେଟ ପୋଲିସ୍ ହାତରୁ ଖସିଯାଇଥିବା ଖଗେଶ୍ୱର ଭଳି ଆଉ କେଉଁ କେଉଁ ଚେହେରାକୁ ଇଡି ଗିରଫ କରୁଛିି, ଆଗାମୀ ଦିନେରେ ଜଣାପଡ଼ିବ  ।