ଉପଚାର ପରେ ସୁସ୍ଥ ହେଲେ ଶ୍ରୀଜିଉ : ଆଜି ବନକଲାଗି ନୀତି ସହ ଶ୍ରୀନଅରକୁ ଖଡ଼ି ପ୍ରସାଦ ବିଜେ

84

କନକ ବ୍ୟୁରୋ : ଉପଚାର ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ । ଆଜି ଖଡ଼ି ପ୍ରସାଦ ବିଜେ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଘଣ୍ଟ, ଛତା, କାହାଳୀ ମଧ୍ୟରେ ଶ୍ରୀନଅରକୁ ଖଡ଼ିପ୍ରସାଦ ବିଜେ କରାଯିବ । ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଡିପ୍ରସାଦ ଦଇତାପତି ଓ ଦତ ମହାପାତ୍ର ସେବକମାନେ ରୂପା ଥାଳିରେ ଆଣି ଗଜପତି ମହାରାଜଙ୍କୁ ପ୍ରସାଦ ଅର୍ପଣ କରିବେ । ଏହା ପରେ ହିଙ୍ଗୁଳ, ହରିତାଳ,କେଶର, କସ୍ତୁରୀ, ଧଳା ଓ କଳା ରଙ୍ଗ ବ୍ୟବହାର କରି ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରାଯିବ । ଆସନ୍ତକାଲି ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ ।

ରବିବାର ଦିନ ତିନି ରଥର କଳସ, ଓଲଟ ଶୁଆ ଓ ଅଁଳା ଉଠିଛି । ହାତିଆଳ ମାଳ ଓ କଣ ବତାଗୁଡ଼ିକ ଖଞ୍ଜାଯାଇ କଣ୍ଟାବାଡ଼ିଆ ସମ୍ପୂର୍ଣ୍ଣ ହୋଇଛି । ତିନି ରଥର ବେଦିପାର୍ଶ୍ବ ପଟା ତଳେ ହଂସପଟା ବାଡ଼ିଆ ସମ୍ପୂର୍ଣ୍ଣ ହୋଇଛି । ଘୋଡ଼ା ସଂଯୋଗ ପାଇଁ ଜୁଆଳି ଓ ଈଶ ନିର୍ମାଣ ଶେଷ ହୋଇଛି । ତିନି ରଥର ପ୍ରଭା ଗୁଣ୍ଠି ନିର୍ମାଣ ଶେଷ ହୋଇ ରଙ୍ଗକାର୍ଯ୍ୟ ଚାଲିଛି । ତିନି ରଥର ରୂପକାରମାନେ ପ୍ରଭାରେ ରୂପ ଖୋଦେଇ ଶେଷ କରି ଚିତ୍ରକାର ସେବକମାନଙ୍କୁ ଯୋଗାଇ ଦେଇଛନ୍ତି । ଚିତ୍ରକରମାନେ ତିନିରଥ ପ୍ରଭାରେ ଖୋଦିତ ରୂପ‌ଗୁଡ଼ିକରେ ରଙ୍ଗ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ନନ୍ଦିଘୋଷ ରଥର ସିଂହାସନ ବେଦି ଚାରିପଟ ଗାଈ ଗୋଠ ଚିତ୍ର ଅଙ୍କନ ଶେଷ ହୋଇଛି । ନନ୍ଦିଘୋଷ ରଥର ବ୍ରେକର ରଙ୍ଗ କାର୍ଯ୍ୟ ସହ ସେଥିରେ ହାତୀମାଳ ଚିତ୍ର ଅଙ୍କନ ଶେଷ ହୋଇଛି । ଚିତ୍ରକର ସେବକମାନେ ତିନିରଥର ଚକ, ଦଣ୍ଡା, ଚାରି ନାହାକା, ଚଉଦ ନାହାକାରେ ରଙ୍ଗ କାର୍ଯ୍ୟ ସହ ଘଣ୍ଟି, ପିତଳ କଳସ ଆଦିରେ ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।