ହକି ବିଶ୍ୱକପ ପାଇଁ ଭୁବନେଶ୍ୱରରେ ଆରମ୍ଭ ହେଲା ଖଦି ହାଟ । ଡିସେମ୍ବର ୧୬ ଯାଏଁ ଚାଲିବ ଖଦି ହାଟ, ବିଦେଶୀ ପର୍ଯ୍ୟଟକଙ୍କୁ ଖଦି ପ୍ରତି ଆକୃଷ୍ଟ କରିବାକୁ ଲକ୍ଷ୍ୟ

188

କନକ ବ୍ୟୁରୋ : ରାଜଧାନୀରେ ଏବେ ହକି ବିଶ୍ୱକପର ଧୂମ । ଗୋଟିଏ ପଟେ ହକି ବିଶ୍ୱକପ ଚାଲିଥିବା ଅନ୍ୟପଟେ ଚଳଚଞ୍ଚଳ ହୋଇ ଉଠିଛି ଭୁବନେଶ୍ୱର । ହକି ବିଶ୍ୱକପ ଯେପରି ସମସ୍ତଙ୍କ ଆଖିରୁ ନିଦ ଚୋରେଇ ନେଇଛି । ଏପରିକି ହକି ବିଶ୍ୱକପ ଦେଖିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସ୍ମାର୍ଟସିଟିକୁ ନୂଆ ରୂପରେ ସଜେଇ ଦେଇଛନ୍ତି ରାଜ୍ୟ ସରକାର । ବିଶ୍ୱକପ ପାଇଁ ଏବେ ରାଜଧାନୀରେ ଡେରା ପକାଇଛନ୍ତି ବିଦେଶୀ ପର୍ଯ୍ୟଟକ । ଆଉ ଖାସ ବିଦେଶୀ ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ଜନପଥ ଠାରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଖଦି ପ୍ରଦର୍ଶନୀ ‘ଖଦି ହାଟ’ । କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଓ ଓଡିଶା ଖଦି ବୋର୍ଡ ସଭାପତି ତେଜେଶ୍ୱର ପରିଡାଙ୍କ ଉପସ୍ଥିତିରେ ଏହି ଖଦି ହାଟର ଉଦଘାଟନ କରାଯାଇଛି ।

ଖଦି ଓ ଖଦିରୁ ତିଆରି ହେଉଥିବା ପୋଷାକର ପ୍ରଚାର ପ୍ରସାର ପାଇଁ ହକି ବିଶ୍ୱକପର ଶେଷ ପର୍ଯ୍ୟନ୍ତ ଏହି ହାଟ ଖୋଲା ରହିବ । ଏହି ଖଦି ହାଟରେ ଓଡିଶାର ବିଭିନ୍ନ ସ୍ଥାନରୁ ଖଦିରେ ପ୍ରସ୍ତୁତ ହୋଇଥିବା ବିଭିନ୍ନ ଡିଜାଇନର ପୋଷାକ ବିକ୍ରି କରାଯିବ । ବିଦେଶୀ ପର୍ଯ୍ୟଟକଙ୍କୁ ଖଦି ପ୍ରତି ଆକୃଷ୍ଟ କରିବାକୁ ଏଭଳି ଆୟୋଜନ କରାଯାଇଛି । ନଭେମ୍ବର ୩୦ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଖଦି ହାଟରେ ଉଭୟ ପୁରୁଷ ଓ ମହିଳାମାନେ ଖଦିରେ ତିଆରି ହୋଇଥିବା ବିଭିନ୍ନ ଡିଜାଇନର ପୋଷାକ ପାଇପାରିବେ ।