କନକ ବ୍ୟୁରୋ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ରାଜ୍ୟ ନେତା ଓ କର୍ମୀଙ୍କୁ ୫ସୁତ୍ରୀ ବିଜୟ ଫର୍ମୁଲା ଦେବା ପରେ ଜୋସରେ କଂଗ୍ରେସ କର୍ମୀ । ତୃଣମୂଳ ସ୍ତରରେ ସଙ୍ଗଠନକୁ ମଜଭୁତ କରିବା ସହ ନୂଆ ମୁହଁକୁ ସୁଯୋଗ ଦେବାକୁ ପରାମର୍ଶ ଦେଇଛନ୍ତି ଖଡଗେ । କୁହାଯାଉଛି, ୫୦କୁ ୬୦ ବିଧାନସଭା ଆସନରେ ପୁରା ଦମରେ ଲଢିବ କଂଗ୍ରେସ ।

  • ଉତ୍ସାହ ବଢାଇଲେ ଖଡଗେ
  • ଲୋକଙ୍କ ମନ ଜିଣିବ କି କଂଗ୍ରେସ?

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଭୁବନେଶ୍ୱର ଆସି କେନ୍ଦ୍ର-ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେବା ପରେ ଜୋସରେ ରାଜ୍ୟ କଂଗ୍ରେସ । ଆଗକୁ ରାହୁଲ ଗାନ୍ଧୀ ବି ଆସିବେ । ତେଣୁ ନିର୍ବାଚନ ପୂର୍ବରୁ ଉତ୍ସାହିତ ଅଛନ୍ତି କଂଗ୍ରେସ ନେତା ଓ କର୍ମୀ ।

ଖଡଗେଙ୍କ ମନ୍ତ୍ର

  • ସଙ୍ଗଠନକୁ ମଜବୁତ କରିବାକୁ ଖଡଗେଙ୍କ ପରାମର୍ଶ
  • କମିଟି ସଦସ୍ୟ ସହ ଖଡଗେ କରିଛନ୍ତି ଆଲୋଚନା
  • ଲୋକଙ୍କ କାମ କରୁଥିବା, ଲୋକଙ୍କ ସହ ଥିବା ନେତାଙ୍କୁ ମିଳିବ ଟିକେଟ
  • ଘରେ ଘରେ ପ୍ରତି ପରିବାରରେ କଂଗ୍ରେସକୁ ପହଞ୍ଚାଇବାକୁ ପରାମର୍ଶ

ଖଡଗେ ନିର୍ବାଚନ ବୈତରଣୀ ପାର ହେବାକୁ ମନ୍ତ୍ର ଦେଇଛନ୍ତି । ଆଗାମୀ ନିର୍ବାଚନରେ କଂଗ୍ରେସ ୯ରୁ ୯୦ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କଂଗ୍ରେସ ନେତା ।

  • ପରାଜିତ ପ୍ରାର୍ଥୀଙ୍କ କଟିବ ଟିକେଟ
  • ନୂଆମୁହଁ ଉପରେ କଂଗ୍ରେସର ଭରସା

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ପ୍ରଭାରୀ ଅଜୟ କୁମାର ରାଜ୍ୟ କଂଗ୍ରେସ ନେତାଙ୍କୁ ନିର୍ବାଚନର ବିଜୟ ମନ୍ତ୍ର ଦେଇଛନ୍ତି ।

  • ଯେଉଁମାନେ ଦୁଇ-ତିନି ଥର ହାରିଛନ୍ତି ସେମାନଙ୍କୁ ମିଳିବନି ଟିକେଟ
  • ନୂଆ ଚେହେରା ଉପରେ ଫୋକସ କରିବ ଦଳ
  • ଯୁବ ଚେହେରାଙ୍କୁ ଦିଆଯିବ ଗୁରୁତ୍ୱ

ନୂଆ ଚେହେରାଙ୍କୁ ସୁଯୋଗ ଦେଇ କଂଗ୍ରେସ ନୂଆ କରି ଜିତିବ ବୋଲି ଦଳର ନେତା ଦୃଢୋକ୍ତି କରିଛି । ସେପଟେ ରାଜ୍ୟରେ କଂଗ୍ରେସର ଅସ୍ତିତ୍ୱ ନାହିଁ କହି କଟାକ୍ଷ କରିଛି ବିଜେପି । ତେବେ ମଲ୍ଲିକାର୍ଜୁନ ଖଡଗେ ରାଜ୍ୟ ନେତାଙ୍କୁ ବିଜୟ ମନ୍ତ୍ର ଦେଇ ଯାଇଛନ୍ତି । ଆସନ୍ତା ୧୪ରେ ରାହୁଲ ଭାରତ ଯୋଡ ନ୍ୟାୟ ଯାତ୍ରା ସହ ଓଡିଶାରେ ପହଞ୍ଚିବେ । ଆଉ ଏହା ଆଗାମୀ ନିର୍ବାଚନ ପାଇଁ କଂଗ୍ରେସକୁ ଆହୁରି ବଳ ଯୋଗାଇବ ବୋଲି କୁହାଯାଉଛି ।