ସରଳ ହୋଇପାରେ ଜିଏସଟି ରିଟର୍ଣ୍ଣ ଫାଇଲ ପ୍ରକ୍ରିୟା: ବ୍ୟବସାୟୀଙ୍କୁ ବି ମିଳିପାରେ ଆଶ୍ୱସ୍ତି, ଆସିପାରେ ଇ-ୱାଲେଟ ଜରିଆରେ ଟିକସ ଦେୟ ବ୍ୟବସ୍ଥା

37

କନକ ବ୍ୟୁରୋ: ନୂଆଦିଲ୍ଲୀରେ ଜିଏସଟି କାଉନସିଲ ବୈଠକ ଆରମ୍ଭ ହୋଇଛି । ଅର୍ଥ ମନ୍ତ୍ରୀ ଅରୁଣ ଜେଟଲିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ସାମିଲ ହୋଇଛନ୍ତି । ତେବେ ଜିଏସଟି ଲାଗୁ ପରେ ଲଗାତର ଭାବେ ସମାଲୋଚନାର ଶିକାର ହୋଇ ଆସୁଥିବା କେନ୍ଦ୍ର ସରକାର ଏବେ ଜିଏସଟଇ ରିଟର୍ଣ୍ଣ ଫାଇଲ କରୁଥିବା ବ୍ୟକ୍ତିଙ୍କ ପାଇଁ କିଛିଟା ଆଶ୍ୱସ୍ତି ଦେଇପାରନ୍ତି ।

ବର୍ତ୍ତମାନ ବ୍ୟବସାୟୀମାନେ ମାସକୁ ୩ଥର ରିଟର୍ଣ୍ଣ ଫାଇଲ କରୁଥିବାବେଳେ ଏହି ପ୍ରକ୍ରୀୟା ଜଟିଳ ହୋଇଥିବାରୁ ସେମାନଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଏହାକୁ ଆଖି ଆଗରେ ରଖି ସରକାର ୩ମାସରେ ଥରେ ରିଟର୍ଣ୍ଣ ଫାଇଲ ପାଇଁ ନୂଆ ବ୍ୟବସ୍ଥା ଲାଗୁ କରିପାରନ୍ତି ।

ସେହିପରି ଜିଏସଟି ଦେୟ ପ୍ରଦାନ ପ୍ରକ୍ରୀୟା ମଧ୍ୟ ସରଳିକରଣ ହୋଇପାରେ । ଇ-ୱାଲେଟ ବା ଇଲେକଟ୍ରୋନିକ ପେମେଂଟ ବ୍ୟବସ୍ଥା ମାଧ୍ୟମରେ ଜିଏସଟି ଦେୟ ପ୍ରଦାନ କରିବାର ସୁବିଧା ଦେଇପାରନ୍ତି ସରକାର । ସେହିପରି ରପ୍ତାନୀକାରୀଙ୍କ ଜିଏସଟି ପ୍ରକ୍ରୀୟାକୁ ମଧ୍ୟ ସରଳ କରିବାକୁ ଜିଏସଟି ବୈଠକରେ ବିଚାର ବିମର୍ଷ ହୋଇଥିବା ସୂଚନା ମିଳୁଛି ।

ଏହାଛଡା ବ୍ୟବସାୟୀ ମାନଙ୍କ ପୁରୁଣା ଟିକସ ଦେୟକୁ ତଦନ୍ତ ପରିସରଭୁକ୍ତ ନକରିବାକୁ ଜିଏସଟି ବୈଠକରେ ନିଷ୍ପତ୍ତି ହୋଇପାରେ । ଏହାଛଡା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ଜିଏସଟି ହାରେ ପରିବର୍ତ୍ତନ ମଧ୍ୟ କରାଯାଇପାରେ । ଦିପାବଳୀ ପୂର୍ବରୁ ସରକାର ଏହି ସବୁ ସୁବିଧା ଦେବାକୁ ଚିନ୍ତା କରୁଥିବା କୁହାଯାଉଛି ।