୧୦୦ ମିଟରରୁ ଅଧିକ ଲମ୍ବା ଛକା ମାରିଲେ ମିଳୁ ୧୨ ରନ୍ । ଆଇସିସିକୁ ଏଭଳି ଏକ ପ୍ରସ୍ତାବ ଦେଲେ ପୂର୍ବତନ ଷ୍ଟାର କ୍ରିକେଟର ।

286

କନକ ବ୍ୟୁରୋ : ୧୦୦ ମିଟରରୁ ଅଧିକ ଲମ୍ବା ଛକା ମାରିଲେ ୧୨ ରନ୍ ଦିଆଯାଉ । ଫଟାଫଟ କ୍ରିକେଟର ରୋମାଞ୍ଚ ବଢାଇବାକୁ ଏଭଳି ପ୍ରସ୍ତାବ ଦେଇଛନ୍ତି ପୂର୍ବତନ ଇଂଲଣ୍ଡ ଖେଳାଳୀ କେଭିନ ପିଟରସନ । ଇଂଲଣ୍ଡର ଏହି ଷ୍ଟାର ବ୍ୟାଟସମ୍ୟାନ୍ ଟ୍ୱିଟ୍ କରି ଲେଖିଛନ୍ତି, ଯଦି କୌଣସି ବ୍ୟାଟସମ୍ୟାନ୍ ୧୦୦ ମିଟରରୁ ଅଧିକ ଲମ୍ବର ଛକା ମାରନ୍ତି ତେବେ ତାଙ୍କୁ ୧୨ ରନ୍ ମିଳିବା ଦରକାର । ଏଭଳି ନିୟମ ଟି-୨୦ କ୍ରିକେଟରେ ଆଣିବା ଦରକାର । ଇଂଲଣ୍ଡ କ୍ରିକେଟ ବୋର୍ଡ ଓ ଆଇସିସିକୁ ଟ୍ୟାଗ୍ କରିବା ସହ ଏଭଳି ଲେଖିଛନ୍ତି ପିଟରସନ । ଇଂଲଣ୍ଡ କ୍ରିକେଟ ବୋର୍ଡ ଦ ୧୦୦ରେ ଏହି ନିୟମ ଲାଗୁ କରିପାରେ । ଦ ୧୦୦ ଏକ ନୂଆ ଫର୍ମାଟ, ଯେଉଁଠି ପ୍ରତି ଟିମ୍ ୧୦୦ଟି ଲେଖାଏଁ ବଲ ଖେଳିବେ । ଆଉ ଏହି ଫର୍ମାଟର ମ୍ୟାଚରେ ନୂଆ ନିୟମ ଲାଗୁ କରିବାକୁ ଟ୍ୱିଟରରେ ଇଂଲଣ୍ଡ ବୋର୍ଡକୁ ଟ୍ୟାଗ୍ କରି ପ୍ରସ୍ତାବ ଦେଇଛନ୍ତି ପିଟରସନ ।

ଷ୍ଟାର କ୍ରିକେଟର କେଭିନ ପିଟରସନ ଇଂଲଣ୍ଡ ପକ୍ଷରୁ ତିନୋଟି ଫର୍ମାଟରେ ମ୍ୟାଚ୍ ଖେଳିଛନ୍ତି । ଏପରିକି ଆଇପିଏଲରେ ମଧ୍ୟ ପିଟରସନ ନିଜର ଚମକ ଛାଡିଛନ୍ତି । ଶେଷଥର ପାଇଁ ୨୦୧୬ରେ ଆଇପିଏଲ ଖେଳିଥିଲେ ପିଟରସନ । ଲମ୍ବା ଲମ୍ବା ଛକା ମାରିବାରେ ମାହିର ଥିବା ପିଟରସନ ଟି-୨୦ ଫର୍ମାଟକୁ ଆହୁରି ରୋମାଞ୍ଚକର କରିବାକୁ ଏଭଳି ଏକ ପ୍ରସ୍ତାବ ଦେଇଛନ୍ତି । ତେବେ ଆଇସିସି ପିଟରସନଙ୍କ ଏହି ପ୍ରସ୍ତାବ ଉପରେ କଣ ନିଷ୍ପତି ନେଉଛି ତାହା ଦେଖିବା ବାକି ରହିଲା ।