କନକ ବ୍ୟୁରୋ : ଦିଲ୍ଲୀ ଓ ରାଜସ୍ଥାନ ମଧ୍ୟରେ ମ୍ୟାଚର ଶେଷ ଓଭରରେ ନୋ ବଲକୁ ନେଇ ଯେଉଁ ବିବାଦ ଦେଖାଦେଇଛି ତାହାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । ଅନେକ ପୂର୍ବତନ କ୍ରିକେଟର ଦିଲ୍ଲୀ ଅଧିନାୟକ ରିଷଭ ପନ୍ତଙ୍କ ଆଭିମୁଖ୍ୟକୁ ନାପସନ୍ଦ କରିଥିବା ବେଳେ ସୋସିଆଲ ମିଡ଼ିଆରେ କିନ୍ତୁ ରିଷଭଙ୍କ ସମର୍ଥନରେ ବାହାରିଛନ୍ତି ୟୁଜର୍ସ । ମ୍ୟାଚ୍ ମଝିରୁ ଖେଳାଳୀଙ୍କୁ ପନ୍ତ ଫେରିଆସିବାକୁ କହିବାକୁ ସହଜରେ ଗ୍ରହଣ କରିନାହାନ୍ତି ଅନେକ କ୍ରିକେଟର । ଆଉ ଏହି ବିବାଦକୁ ନେଇ ଇଂଲଣ୍ଡର ପୂର୍ବତନ କ୍ରିକେଟର ତଥା ଆଇପିଏଲ ଭାଷ୍ୟକାର କେଭିନ ପିଟରସନ ଉତକ୍ଷିପ୍ତ ହେବା ସହ ରିଷଭଙ୍କ ଉପରେ ବର୍ଷିଛନ୍ତି ।
କେଭିନ ପିଟରସନ କହିଛନ୍ତି, ଅମ୍ପାୟରଙ୍କ ନିଷ୍ପତ୍ତି ଠାରୁ ଦିଲ୍ଲୀ କ୍ୟାପିଟାଲ୍ସର ନିଷ୍ପତ୍ତି ଅନେକ ସମୟରେ ଆଶ୍ଚର୍ଯ୍ୟ ଚକିତ କରୁଥିଲା । ଯଦି ସେହି ମୁହୂର୍ତ୍ତରେ ରିକି ପଣ୍ଟିଂ ସେଠାରେ ଉପସ୍ଥିତ ରହିଥାନ୍ତେ ତେବେ ଏଭଳି ସ୍ଥିତି ଉପୁଜି ନଥାନ୍ତା । ଏହାଛଡା ଜୋସ ବଟଲର ଏହି ବିବାଦରେ ଦଖଲ ଦେବା କିଛି ଭୁଲ ନଥିଲା । ମ୍ୟାଚ୍ ମଝିରେ ଏମିତି କାହିଁକି ହେଉଛି ବୋଲି ପଚାରିବାର ଅଧିକାର ବଟଲଙ୍କର ରହିଥିଲା । ମ୍ୟାଚ୍ ମଝିରେ ଜଣେ କୋଚ୍ ଫିଲ୍ଡକୁ ଯିବା ଉଚିତ୍ ନିଷ୍ପତ୍ତି ନୁହେଁ ।
କେବଳ ଏତିକି ନୁହେଁ ପିଟରସନ କହିଛନ୍ତି, କ୍ରିକେଟକୁ ଜେଣ୍ଟଲମ୍ୟାନଙ୍କ ଖେଳ ବୋଲି କହିଥାନ୍ତି । ଏଥିରେ ଭୁଲ ହୁଏ । ୨୦ ବର୍ଷର କ୍ରିକେଟ କ୍ୟାରିୟର ଭିତରେ ଅନେକ ଥର ଭୁଲରେ ଆଉଟ ହେବାର ଦେଖିଛୁ । କିନ୍ତୁ ଏହି ମ୍ୟାଚରେ ଯାହା ହେଲା ତାହା ପୂର୍ବରୁ କେବେ ଦେଖିନଥିଲୁ । ଏହା କ୍ରିକେଟ ପାଇଁ ଭଲ ସଂକେତ ନୁହେଁ । ମୁଁ ଜାଣିନି ସେ ନିଜକୁ କଣ ଭାବୁଛନ୍ତି, କିନ୍ତୁ ଏହା ନିଶ୍ଚୟ ଏକ ବଡ ଭୁଲ ।
ସେହିଭଳି ଏହି ମାମଲାରେ ସଫେଇ ଦେଇଛନ୍ତି ଟିମର ସହକାରୀ କୋଚ୍ ସେନ ୱାଟସନ । ସେ କହିଛନ୍ତି, ଶେଷ ଓଭରରେ ଯାହା କିଛି ବି ହେଲା ତାହା ବେଶ ଦୁଃଖଦାୟକ । ଶେଷ ଓଭରରେ ଯାହା କିଛି ଦେଖିବାକୁ ମିଳିଲା ତାହା ଦିଲ୍ଲୀ କ୍ୟାପିଟାଲ୍ସର ନୀତି ନୁହେଁ । ଅମ୍ପାୟରଙ୍କ ନିଷ୍ପତ୍ତି ଭୁଲ ହେଉ କି ଠିକ୍, ଏହାକୁ ଆମକୁ ମାନିବାକୁ ପଡିବ । ଏଭଳି ଭାବେ ପଡିଆ ମଝିକୁ ଚାଲିଯିବା ଆଦୌ ଗ୍ରହଣୀୟ ନୁହେଁ ।
That was no ball !
Guru Dhoni and Chela Pant pic.twitter.com/SnIDERXrzx
— Shubham Prajapati (@Shubham_RSS_) April 22, 2022
ଆଇପିଏଲରେ ଏହା ପ୍ରଥମଥର ନୁହେଁ ଯେତେବେଳେ ଅମ୍ପାୟରଙ୍କ ନିଷ୍ପତ୍ତିକୁ ନେଇ ବିବାଦ ଦେଖାଦେଇଛି । ୨୦୧୯ରେ ମଧ୍ୟ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଅମ୍ପାୟରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ଜାହିର କରିଥିଲେ ଚେନ୍ନାଇ ସୁପରକ କିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ସେତେବେଳେ ମଧ୍ୟ ଅମ୍ପାୟରଙ୍କ ନୋ ବଲ ନିଷ୍ପତ୍ତିରେ ଧୋନୀ ନାରାଜ ହେବା ସହ ପଡିଆ ମଝିକୁ ଚାଲି ଆସିଥିଲେ ଏବଂ ଅମ୍ପାୟରଙ୍କ ସହ ବେଶ କିଛି ସମୟ ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳିଥିଲା । ପରେ ଧୋନୀଙ୍କ ଏଭଳି କାର୍ଯ୍ୟଶୈଳୀକୁ ସୋସିଆଲ ମିଡ଼ିଆରେ ନାପସନ୍ଦ କରିଥିଲେ ୟୁଜର୍ସ । ଆଉ ଧୋନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କର ମ୍ୟାଚ୍ ଫି କଟାଯାଇଥିଲା । ଆଉ ଏବେ ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିବା ସହ କୋଚଙ୍କୁ ପଡିଆକୁ ପଠାଇବା ଘଟଣାରେ ପନ୍ତଙ୍କ ପୂରା ମ୍ୟାଚ୍ ଫି କଟାଯାଇଛି । ସେହିଭଳି ସାର୍ଦ୍ଦୁଳ ଠାକୁରଙ୍କ ୫୦ ପ୍ରତିଶତ ମ୍ୟାଚ୍ ଫି କଟାଯାଇଥିବା ବେଳେ କୋଚ୍ ପ୍ରବୀଣ ଆମ୍ରେଙ୍କ ଉପରେ ଗୋଟିଏ ମ୍ୟାଚର ବ୍ୟାନ୍ ଲଗାଯାଇଛି ।