ପିଟରସନଙ୍କୁ ଚିଠିରେ ସନ୍ଦେଶ ପଠାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ହିନ୍ଦୀରେ କିଛି ଏମିତି ଜବାବ ରଖିଲେ ଇଂଲଣ୍ଡର ଷ୍ଟାର କ୍ରିକେଟର ।

382

କନକ ବ୍ୟୁରୋ : ଚଳିତଥର ଭାରତ ନିଜର ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛି । ଚଳିତଥରର ଗଣତନ୍ତ୍ର ଦିବସ ଭାରତ ପାଇଁ ବେଶ ସ୍ମରଣୀୟ ଥିଲା । କାରଣ ଏବେ ଦେଶ ସ୍ୱାଧୀନତାର ୭୫ତମ ବର୍ଷରେ ପାଦ ଦେଇଛି । ତେବେ ଚଳିତ ଗଣତନ୍ତ୍ର ଦିବସକୁ ଆହୁରି ସ୍ୱତନ୍ତ୍ର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ବ୍ୟକ୍ତିଙ୍କୁ ଧନ୍ୟବାଦ ଦେବାକୁ ଚିଠି ଲେଖିଛନ୍ତି । ଆଉ ଏମାନଙ୍କ ମଧ୍ୟରେ ଅନେକ ବିଦେଶୀ ନାଗରିକ ରହିଛନ୍ତି, କିନ୍ତୁ ସେମାନଙ୍କର ଭାରତ ଥିବା ଭଲପାଇବା ଯୋଗୁଁ ମୋଦୀଙ୍କ ଚିଠିର ହକଦାର ହୋଇଛନ୍ତି । ଯେଉଁ ତାଲିକାରେ କ୍ରିସ୍ ଗେଲ, ଜଣ୍ଟି ରୋଡସ, କେଭିନ ପିଟରସନଙ୍କ ଭଳି ନାମୀଦାମୀ ଖେଳାଳୀ ରହିଛନ୍ତି । ଭାରତ ପ୍ରତି ଏମାନଙ୍କର ଥିବା ସମ୍ମାନ ଓ ଭଲପାଇବା ପାଇଁ ମୋଦୀ ଚିଠି ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି ।

ଆଉ ପ୍ରଧାନମନ୍ତ୍ରୀଙ୍କ ଏହି ଚିଠିକୁ କେଭିନ ପିଟରସନ ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିବା ସହ ହିନ୍ଦୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେବା ସହ ଏମିତି କିଛି ଲେଖିଛନ୍ତି ଯାହା ଅନେକ ଭାରତୀୟଙ୍କ ମନ ଜିଣିଛି । ପିଟରସନ ଲେଖିଛନ୍ତି, ଆଦରଣୀୟ ପ୍ରଧାନମନ୍ତ୍ରୀ ମୋଦୀ ଜି, ମୋତେ ପଠାଯାଇଥିବା ଚିଠିରେ ଯେଉଁଭଳି ଅବିଶ୍ୱସନୀୟ ଭାବନାକୁ ଉଲ୍ଲେଖ କରାଯାଇଛି ସେଥିପାଇଁ ଆପଣଙ୍କୁ ଧନ୍ୟବାଦ । ୨୦୦୩ରେ ଭାରତରେ ପାଦ ରଖିବା ପରଠାରୁ ଏହି ଦେଶ ପ୍ରତି ମୋର ଭଲପାଇବା ବଢିଥିଲା । ଭାରତରେ ବନ୍ୟଜୀବ ସୁରକ୍ଷା ପାଇଁ ଆପଣ ନେଉଥିବା ପଦକ୍ଷେପ ମୋତେ ବେଶ ପ୍ରଭାବିତ କରିଛି । ତେଣୁ ବ୍ୟକ୍ତିଗତ ଭାବେ ଆପଣଙ୍କୁ ଭେଟିବା ପାଇଁ ଆଉ ଅପେକ୍ଷା କରିପାରିବି ନାହିଁ ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଯେଉଁ ଚିଠି ଇନଷ୍ଟାଗ୍ରାମରେ ସେୟାର ହୋଇଥିଲା ସେଥିରେ ଲେଖାଥିଲା, ପିଟରସନ ଆପଣଙ୍କୁ ଭାରତ ତରଫରୁ ନମସ୍କାର । ୨୬ ଜାନୁଆରୀକୁ ଆମ ଦେଶ ଗଣତନ୍ତ୍ର ଦିବସ ରୂପେ ପାଳନ କରେ । କାରଣ ଏହି ଦିନ ଆମର ସମ୍ବିଧାନ ଲାଗୁ ହୋଇଥିଲା । ତେଣୁ ଗଣତନ୍ତ୍ର ଦିବସର ଆପଣଙ୍କୁ ଶୁଭେଚ୍ଛା । ଚଳିତବର୍ଷର ଗଣତନ୍ତ୍ର ଦିସବ ଏଥିପାଇଁ ସ୍ୱତନ୍ତ୍ର କାରଣ ଏବେ ଆମେ ସ୍ୱାଧୀନତାର ୭୫ ବର୍ଷରେ ପାଦ ଦେଇଛୁ । ତେଣୁ ଭାରତକୁ ଭଲ ପାଉଥିବା ଅନେକ ବ୍ୟକ୍ତିବିଶେଷଙ୍କୁ ଚିଠି ଲେଖିବାକୁ ନିଷ୍ପତ୍ତି ନେଇଥିଲୁ । ଆମ ଦେଶ ସହ ଏଭଳି ସମ୍ପର୍କ ରହିଥିବ ଓ ଲୋକଙ୍କ ସହ ମିଶି ଏଭଳି କାମ କରିବେ ବୋଲି ବିଶ୍ୱାସ ରହିଛି ।

ଏହାସହ ଚିଠିରେ ମୋଦୀ ଲେଖିଥିଲେ, କ୍ରିକେଟ ପଡିଆରେ ଆପଣ ଯେଉଁ ଉପଲବ୍ଧି ହାସଲ କରିଛନ୍ତି ତାହା ଏବେ ବି ତାଜା ରହିଛି । ଆପଣଙ୍କର ଭାରତ ଓ ଏହାର ଲୋକଙ୍କ ପ୍ରତି ସମ୍ମାନ ରହିଛି । ମୁଁ ତୁମର ହିନ୍ଦୀରେ କରାଯାଉଥିବା ଟ୍ୱିଟକୁ ବେଶ ପସନ୍ଦ କରିଥାଏ । ଭବିଷତ୍ୟରେ ତୁମ ସହ ଭେଟ ହେବ ବୋଲି ଚିଠିରେ ଉଲ୍ଲେଖ ରହିଛି । ମୋଦୀଙ୍କ ଚିଠିର ଉତ୍ତରରେ ପିଟରସନ ଯେଉଁଭଳି ହିନ୍ଦୀରେ ଜବାବ ରଖିଛନ୍ତି ତାହାକୁ ଅନେକ ଭାରତୀୟ ପସନ୍ଦ କରିଛନ୍ତି । ଏହାପୂର୍ବରୁ ଅନେକ ସମୟରେ ଭାରତ ସପକ୍ଷରେ ବୟାନ ଦେଇ ଆସିଛନ୍ତି ପିଟରସନ ।