ଆଇପିଏଲକୁ ନେଇ ବଡ ଭବିଷ୍ୟବାଣୀ । କିଏ ହେବ ଚାମ୍ପିୟନ, ପୂର୍ବତନ ଖେଳାଳୀଙ୍କ କଥାରେ ଆପଣ ବି ସହମତ ହେବେ ।

183

କନକ ବ୍ୟୁରୋ : ରବିବାର ଠାରୁ ୟୁଏଇରେ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ ଆରମ୍ଭ ହେବ । ଏଥିପାଇଁ କ୍ରିକେଟପ୍ରେମୀଙ୍କ ଖୁସି କହିଲେ ନସରେ । କାରଣ ପୁଣିଥରେ ଫଟାଫଟ କ୍ରିକେଟର ମଜା ନେବେ କ୍ରିକେଟପ୍ରେମୀ । କିଏ ଜିତିବ ଆଇପିଏଲ ଟ୍ରଫି? ଦୁବାଇରେ କିଏ କରିବ ଧମାଲ? କୌଣସି ନୂଆ ଟିମ୍ ହେବ କି ଚାମ୍ପିୟନ? ଏଭଳି ଅନେକ ପ୍ରଶ୍ନ କ୍ରିକେଟପ୍ରେମୀଙ୍କ ମନରେ ଉଙ୍କି ମାରୁଛି । ଏପରିକି କିଛି କ୍ରିକେଟପ୍ରେମୀ ଆଗୁଆ ଆକଳନ କରିବା ସହ ନିଜ ପସନ୍ଦର ଟିମ୍ ଚାମ୍ପିୟନ ହେବ ବୋଲି କହୁଛନ୍ତି । ଏଭଳି ସ୍ଥଳେ ଆଇପିଏଲକୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି ପୂର୍ବତନ ଇଂଲଣ୍ଡ କ୍ରିକେଟର କେଭିନ ପିଟରସନ ।

ଆସନ୍ତାକାଲି ୟୁଏଇରେ ଚେନ୍ନାଇ ସୁପରକିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ ଖେଳାଯିବ । ଏହି ଦୁଇ ଟିମ୍ ମଧ୍ୟରେ ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳିବ । ଅଧିକାଂଶ ସମୟରେ ଉଭୟ ଟିମ୍ ମଧ୍ୟରେ ଟାଇଟଲ ପାଇଁ ଟକ୍କର ଦେଖିବାକୁ ମିଳେ । ତେଣୁ ପୁଣିଥରେ ସେହିଭଳି କିଛି ମୁକାବିଲା ଦେଖିବାକୁ ମିଳିପାରେ । ଏନେଇ ପିଟରସନ ନିଜ ବ୍ଲଗରେ ଲେଖିଛନ୍ତି, ଚଳିତ ବର୍ଷ ଏପ୍ରିଲରେ ଆଇପିଏଲର ଯେଉଁ ମ୍ୟାଚ୍ ଖେଳାଯାଇଥିଲା ସେଥିରେ ଚେନ୍ନାଇ ସୁପର କିଙ୍ଗସକୁ ଏତେ କେହି ଗୁରୁତ୍ୱ ଦେଇନଥିଲେ । କିନ୍ତୁ ଦମଦାର ପ୍ରଦର୍ଶନ ସହ ସମସ୍ତଙ୍କୁ ସରପ୍ରାଇଜ କରିଥିଲା ଚେନ୍ନାଇ । ତେବେ ଏହି ୪ ମାସର ଲମ୍ବା ସମୟର ଅବଧି ଟିମ୍ ଉପରେ କଣ ପ୍ରଭାବ ପକାଇବ ତାହା କୁହାଯାଇପାରିବ ନାହିଁ । କିନ୍ତୁ ପୁଣିଥରେ ଲୟକୁ ଫେରିବାକୁ ଟିମକୁ ସମୟ ଲାଗିପାରେ, ଖାସକରି ସିନିୟର ଖେଳାଳୀଙ୍କୁ । ଯଦି ଏହି ଖେଳାଳୀ ଲୟକୁ ଫେରିନ୍ତି ତେବେ ଆଗାମୀ କିଛି ସପ୍ତାହ ଚେନ୍ନାଇ ପାଇଁ ଐତିହାସିକ ହୋଇପାରେ । ଚେନ୍ନାଇ ଏଭଳି ଏକ ସମୟରେ ଚାମ୍ପିୟନ ହୁଏ ଯେତେବେଳେ ସମସ୍ତେ ଏହାର ବିପରୀତ ଭାବିଥାନ୍ତି । ଏଭଳି କହି ଚେନ୍ନାଇ ଚାମ୍ପିୟନ ହେବା ନେଇ ସଂକେତ ଦେଇଛନ୍ତି ପିଟରସନ ।

ସେହିଭଳି ମୁମ୍ବାଇ ଇଣ୍ଡିଆନ୍ସକୁ ନେଇ ପିଟରସନ କହିଛନ୍ତି, ପ୍ରଥମରୁ କିଛି ମ୍ୟାଚ୍ ହାରିବାର ଅଭ୍ୟାସ ମୁମ୍ବାଇ ନିକଟରେ ରହିଛି । କିନ୍ତୁ ଟୁର୍ଣ୍ଣାମେଣ୍ଟର ଶେଷ ଆଡକୁ ସବୁଠୁ ଭଲ ସ୍ଥିତିରେ ଦଳ ରହିଥାଏ । ଯେହେତୁ ଏବେ ଟୁର୍ଣ୍ଣାମେଣ୍ଟ ଶେଷ ଆଡକୁ ବଢୁଛି । ତେଣୁ ମୁମ୍ବାଇକୁ ଟାଇଟଲ ବଜାୟ ରଖିବାକୁ ହେଲେ ପ୍ରଥମରୁ ହିଁ ଦମଦାର ପ୍ରଦର୍ଶନ କରିବାକୁ ପଡିବ । ଯେଉଁଭଳି ଟ୍ୟାଲେଣ୍ଟ ଦଳ ପାଖରେ ରହିଛି ତାହା ଟିମକୁ ଚାମ୍ପିୟନ କରିବାର ଯଥେଷ୍ଟ କ୍ଷମତା ରଖିଛି ।