କନକ ବ୍ୟୁରୋ : ବାରଣାସୀ ଜ୍ଞାନବାପି ମସଜିଦ ସର୍ଭେ ପରେ ହିନ୍ଦୁ ସପକ୍ଷବାଦୀ ଏଠାରେ ଶିବଲିଙ୍ଗ ଥିବା କହିବା ପରେ ଆରମ୍ଭ ହୋଇଛି ଚର୍ଚ୍ଚା । ମସଜିଦ ଭିତରେ କଣ ସତରେ ଶିବଲିଙ୍ଗ ରହିଛି? କଣ ଏଠାରେ ପୂର୍ବରୁ ମନ୍ଦିର ଥିଲା କି? ମସଜିଦ୍ ମଧ୍ୟରେ ଶିବଲିଙ୍ଗ ଆସିଲା କିପରି? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି । କିନ୍ତୁ ବାସ୍ତବ ସତ୍ୟ କଣ ତାହା ସର୍ଭେ ରିପୋର୍ଟରେ ହିଁ ଉଲ୍ଲେଖ ଅଛି । ଯାହା ବାରଣାସୀ କୋର୍ଟରେ ଉପସ୍ଥାପିତ ହେବା ପରେ ସତ ସାମ୍ନାକୁ ଆସିବ । କିନ୍ତୁ ଏହାପୂର୍ବରୁ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ଉତ୍ତରପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଟ୍ୱିଟ୍ କରି କହିଛନ୍ତି, ବୌଦ୍ଧ ପୂର୍ଣ୍ଣିମା ଅବସରରେ ଜ୍ଞାନବାପି ମସଜିଦରେ ବାବା ମହାଦେବ ପ୍ରକଟ ହୋଇଛନ୍ତି । ସତ୍ୟକୁ ଆପଣ ଯେତେ ଲୁଚାନ୍ତୁ ନା କାହିଁକି ଦିନେ ନା ଦିନେ ଏହା ସାମ୍ନାକୁ ଆସିବ । କାରଣ ସତ୍ୟ ହିଁ ଶିବ । ବାବାଙ୍କର ଜୟ, ହର ହର ମହାଦେବ ।

Advertisment

ହିନ୍ଦୁ ପକ୍ଷ ଓ ଆବେଦନକାରୀଙ୍କ ଓକିଲ ଜ୍ଞାନବାପି ଠାରେ ଶିବଲିଙ୍ଗ ଥିବା କହିବା ପରେ ଉକ୍ତ ସ୍ଥାନକୁ ସିଲ୍ କରିବାକୁ ବାରଣାସୀ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଏହି ସ୍ଥାନକୁ କେହି ଯେପରି ନ ପ୍ରବେଶ କରିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ମୁସଲିମ ପକ୍ଷ ପକ୍ଷରୁ ଏଭଳି ଦାବିକୁ ଖାରଜ କରାଯାଇଛି ।

ତେବେ ସ୍ଥିତିକୁ ଦେଖି ଉକ୍ତ ସ୍ଥାନର ସୁରକ୍ଷା ଦାୟିତ୍ୱ ସିଆରପିଏଫ ଉପରେ ନ୍ୟସ୍ତ କରାଯାଇଛି । ତେବେ ଆସନ୍ତାକାଲି ଏହି ସର୍ଭେ ରିପୋର୍ଟ କୋର୍ଟରେ ଉପସ୍ଥାପିତ ହେବ । ତେଣୁ କୋର୍ଟଙ୍କ ପକ୍ଷରୁ କଣ ରାୟ ଦିଆଯାଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି ।