କେଶବ ମହାରାଜଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା: ପାକିସ୍ତାନକୁ ହରାଇବାପରେ ଲେଖିଲେ ‘ଜୟ ଶ୍ରୀ ହନୁମାନ’

610

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶୋଚନୀୟ ପରାଜୟ ପରେ ପାକିସ୍ତାନର ସେମିଫାଇନାଲ ଖେଳିବା ଆଶା ଧୂଳିସାତ ହୋଇଯାଇଛି । ଆଉ ଏହି ମ୍ୟାଚରେ ପାକିସ୍ତାନକୁ ହରାଇବା ପଛରେ ରହିଛି ଜଣେ ଭାରତୀୟ ବଂଶୋଦ୍ଭବଙ୍କ ହାତ । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି କେଶବ ମହାରାଜ । ସେ ପାକିସ୍ତାନ ବିପକ୍ଷରେ ଦକ୍ଷିଣ ଆଫ୍ରିକା ପାଇଁ ୨୧ ବଲରୁ ୭ ରନ କରିଥିଲେ । ହେଲେ ସେ ଯେଉଁ ପରିସ୍ଥିତିରେ ବ୍ୟାଟିଂ କରି ଶେଷ ଯାଏଁ ଖେଳିଥିଲେ ତାହା ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ମ୍ୟାାଚ ଜିତିବା ପରେ କେଶବ ମହାରାଜ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରିଥିଲେ । ଆଉ ଲେଖିଥିଲେ ଜୟ ଶ୍ରୀ ହନୁମାନ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ସେ ତାଙ୍କ ଇନଷ୍ଟା ପୋଷ୍ଟରେ ଲେଖିଥିଲେ, ଭଗବାନଙ୍କ ଉପରେ ମୋର ଭରସା ଅଛି । ମୋ ଟିମ ଚମତ୍କାର ଖେଳିଥିଲେ । ସାମସି ଓ ମାରକ୍ରାମଙ୍କ ଖେଳ ଦେଖିବାକୁ ମଜା ଲାଗିଥିଲା । ଜୟ ଶ୍ରୀ ହନୁମାନ । ମହାରାଜାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହା ପୂର୍ବରୁ ମଧ୍ୟ ସେ ବ୍ୟାଟରେ ଓଁ ଲେଖି ଚର୍ଚ୍ଚାରେ ରହିଥିଲେ ।

କେଶବ ମହାରାଜ ହେଉଛନ୍ତି ହନୁମାନଙ୍କ ବଡ ଭକ୍ତ । ଭାରତୀୟ ବଂଶୋଦ୍ଭବର ଏହି ଖେଳାଳି ଦକ୍ଷିଣ ଆଫ୍ରିକାରେ ରହୁଛନ୍ତି । ହେଲେ ସମସ୍ତ ରୀତିନୀତି ସେ ଭାରତୀୟମାନଙ୍କର ପାଳନ କରନ୍ତି । ସମସ୍ତ ହିନ୍ଦୁ ପର୍ବପର୍ବାଣୀ ବି ପାଳନ କରିଥାନ୍ତି । କେଶବଙ୍କ କନେକ୍ସନ ଉତ୍ତର ପ୍ରଦେଶର ସୁଲତାନପୁର ସହ ରହିଛି । ତାଙ୍କ ବାପା ଆତ୍ମନନ୍ଦ ମହାରାଜଙ୍କ କହିବାନୁସାରେ ତାଙ୍କ ପୂର୍ବଜ ଏହିଠାରେ ବାସ କରୁଥିଲେ । ୧୮୭୪ ମସିହାରେ ତାଙ୍କ ପୂର୍ବଜ ଚାକିରି ଅନୁସନ୍ଧାନରେ ଡର୍ବାନ ଚାଲିଆସିଥିଲେ । କେଶବଙ୍କ ପରିବାରରେ ତାଙ୍କ ବାପା ଆତ୍ମନନ୍ଦ ମହାରାଜ, ମା’ ଓ ଭଉଣୀ ଅଛନ୍ତି । ତାଙ୍କ ବାପା ବି ଜଣେ କ୍ରିକେଟର ଥିଲେ । ସେ ଘରୋଇ କ୍ରିକେଟରେ ୱିକେଟ କିପର ଥିଲେ । ହେଲେ ତାଙ୍କୁ କେବେ ଟେଷ୍ଟ କ୍ରିକେଟ ଖେଳିବାର ସୁଯୋଗ ମିଳିନଥିଲା ।

ପାକିସ୍ତାନ ଦକ୍ଷିଣ ଆଫ୍ରିକା ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା । ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ବଡ ସ୍କୋର କରିପାରିନଥିଲା ଦଳ । ୨୭୦ ରନରେ ପାକିସ୍ତାନ ଅଲଆଉଟ ହୋଇଯାଇଥିଲା । ହେଲେ ଏହି ସହଜ ବିଜୟ ଲକ୍ଷ୍ୟକୁ ପୂରା କରିବା ବି ଦକ୍ଷିଣ ଆଫ୍ରିକା ପାଇଁ କଷ୍ଟ ହୋଇ ପଡିଥିଲା । ଏଡେନ ମାରକ୍ରାମ ୯୧ ରନର ବିଶାଳ ପାଳି ଖେଳିଥିବା ବେଳେ ଏପଟେ କିନ୍ତୁ ୱିକେଟ ଗଳି ଚାଲିଥିଲା । ସେହି ସମୟରେ କେଶବ ମହାରାଜ ଖୁଣ୍ଟ ଭଳି ଛିଡା ହୋଇ ଦଳକୁ ବିଜୟୀ କରାଇଥିଲେ ।

କେଶବ ମହାରାଜ ୨୦୧୬ ମସିହାରେ ଦକ୍ଷିଣ ଆଫ୍ରିକା ପାଇଁ ଡେବ୍ୟୁ କରିଥିଲେ । ସେ ଆଜି ଯାଏଁ ୪୯ଟି ଟେଷ୍ଟ ମ୍ୟାଚ ଖେଳି ୧୫୮ଟି ୱିକେଟ ନେଇଛନ୍ତି, ସେହିପରି ୩୭ଟି ଦିନିକିଆ ଖେଳି ୪୪ଟି ୱିକେଟ ହାସଲ କରିଥିବା ବେଳେ ୨୬ଟି ଟି-୨୦ରେ ୨୨ଟି ୱିକେଟ ନିଜ ନାଁରେ କରିଛନ୍ତି ।