କିରାସିନି ଉଠାଣ ମିଆଦ ବୃଦ୍ଧି କରିବେ କି ସରକାର? ୨ମାସ କୋଟାରୁ ବଞ୍ଚିତ ହେବେ ୨୮ ହଜାର ହିତାଧିକାରୀ

158

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲାକୁ ୨ମାସର କିରାସିନି କୋଟା ଆସିଥିଲା। ଜୁନ୍ ୧୦ତାରିଖ ମଧ୍ୟରେ କିରାସିନି କୋଟା ଉଠାଇବା ଲାଗି ଜିଲ୍ଲାର ହୋଲସେଲର୍ ମାନଙ୍କୁ ନିର୍ଦ୍ଦେଶ ଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ଆସିଥିବା କୋଟା ମଧ୍ୟରୁ ୫୬୬ କିଲୋ ଲିଟର ଅର୍ଥାତ ୫୬ହଜାର ୬ଶହ ଲିଟର କିରୋସିନି ହୋଲସେଲର୍ ଉଠାଇ ପାରିନହାନ୍ତି। ଏହାକୁ ନେଇ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡ଼ିଛି। କିରାସିନି ଉଠାଣ ମିଆଦ ବୃଦ୍ଧି କରିବାକୁ ଜିଲ୍ଲା ଯୋଗାଣ ବିଭାଗକୁ ଚିଠି ଲେଖିଛି। ଯଦି ରାଜ୍ୟ ସରକାର ମିଆଦ ବୃଦ୍ଧି ନ କରନ୍ତି ତେବେ ଜିଲ୍ଲା କୋଟାରୁ ଉପରୋକ୍ତ ପରିମାଣ କିରାସିନି ହରାଇବ। ଏହା ହେଲେ ଜିଲ୍ଲାର ୨୮ହଜାର ହିତାଧିକାରୀ ଏ ଦୁଇ ମାସ କୋଟା କିରାସିନି ପାଇବାରୁ ବଞ୍ଚିତ ହେବେ।

ଗଞ୍ଜାମ ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୬ଲକ୍ଷ ୯୮ହଜାର ୨୯୨ ପରିବାର ଅନ୍ତର୍ଭୁକ୍ତ ହୋଇଛନ୍ତି। ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧୦ହଜାର ୪୧୨ ପରିବାର ଅନ୍ତର୍ଭୁକ୍ତ। ଜାତୀୟ ଓ ରାଜ୍ୟ ଅନ୍ତର୍ଭୁକ୍ତ ପ୍ରତି ପରିବାରଙ୍କୁ ୨ଲିଟର ଲେଖାଏଁ କିରାସିନି ଦିଆଯିବା ବ୍ୟବସ୍ଥା ରହିଛି। ମେ ଓ ଜୁନ୍ ମାସ ପାଇଁ ୨ମାସର କୋଟା ୨୫୮୦ କିଲୋଲିଟର କିରାସିନି ଆସିଛି। ଲିଟର ପିଛା ଧାର୍ଯ୍ୟ ଦର ୧୪ଟଙ୍କା ୨୬ ପଇସା ରହିଛି। ଲିଟର ପିଛା ଦର ସହିତ ପରିବହନ ଖର୍ଚ୍ଚ ଯୋଡ଼ାଯିବା ଲାଗି ନିୟମ ରହିଛି। ନିର୍ଦ୍ଧାରିତ ଦର ସହିତ ପରିବହନ ଖର୍ଚ୍ଚ ମିଶି ଡିଲର ପାଖରେ ଦର ଆଉ ୧ଟଙ୍କା ଅଧିକ ହୋଇପାରେ। ଗଞ୍ଜାମ ଜିଲ୍ଲାରେ ୧୩ଜଣ କିରାସିନି ହୋଲ୍ସେଲର୍ ରହିଛନ୍ତି। ଡିପୋରୁ ହୋଲ୍ସେଲ୍ରେ ଆଣି ଡିଲର ତଥା ସରକାରୀ ଖୁଚୁରା ବିକ୍ରେତାଙ୍କୁ ଯୋଗାଇଥାନ୍ତି। ଚଳିତ ମାସ ୧୦ତାରିଖ ସୁଦ୍ଧା କୋଟା ଉଠାଣ ନିମନ୍ତେ ହୋଲସେଲର୍ ମାନଙ୍କୁ ନିର୍ଦ୍ଦେଶ ଥିଲା। ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଜିଲ୍ଲାର ହୋଲସେଲର ମାନେ ୫୬୬ କିଲୋ ଲିଟର କିରାସିନି ଉଠାଇ ନ ଥିବା ଜଣାପଡ଼ିଛି।

ଗତ ୬ ଓ ୭ତାରିଖ ଜିଲ୍ଲା ସମ୍ପୂର୍ଣ୍ଣ ସଟ୍ଡାଉନ୍ ଯୋଗୁଁ ଅଧିକାଂଶ କିରାସିନି ଉଠାଇ ପାରି ନଥିଲେ। ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସରକାରଙ୍କ ପକ୍ଷରୁ କୋଟା ଆସିବାର ବହୁ ବିଳମ୍ବରେ ଜିଲ୍ଳା ଯୋଗାଣ ବିଭାଗ ହୋଲସେଲରଙ୍କୁ ଖୁଚୁରା ବିକ୍ରେତାଙ୍କ କୋଟା ସମ୍ପର୍କରେ ଜଣାଇଥିଲା। ଏହି କାରଣ ପଛରେ ଏକ ଅଜବ କଥା ବି ଶୁଣିବାକୁ ମିଳିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ଚିଠି ମେଲ୍ ଯୋଗେ ଆସିଥିଲା, ସେଥିରେ କିଛି ଅକ୍ଷର ଦେଖାଯାଉ ନ ଥିଲା। ଏହାକୁ ନେଇ ଜିଲ୍ଲା ଯୋଗାଣ ବିଭାଗ କର୍ମଚାରୀମାନେ ଅଡୁଆରେ ପଡ଼ିଥିଲେ। ପୁଣିଥରେ ରାଜ୍ୟ ଯୋଗାଣ ବିଭାଗକୁ ଉକ୍ତ ଚିଠି ସମ୍ପର୍କରେ ସ୍ପଷ୍ଟୀକରଣ ମଗା ଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ପୁଣି ଚିଠି ଆସିବା ପରେ ହୋଲ୍ସେଲରଙ୍କୁ ମେ ୨୦ତାରିଖରେ କୋଟା ଉଠାଣ ପାଇଁ ଚିଠି ହୋଇଥିବା ଜଣାପଡ଼ିଛି। ଏଥିଲାଗି ଜିଲ୍ଲାର ହୋଲସେଲର୍ ମାନେ କିରାସିନି ଉଠାଇ ପାରି ନ ଥିବା ଜଣାପଡ଼ିଛି।