୪ ଦିନର ଲଗାଣ ବର୍ଷାରେ କେରଳରେ ବନ୍ୟା ବିତ୍ପାତ । ଆଖିଆଗରେ ଭାସିଗଲା ଘର, ଦ୍ୱାର ସମେତ ଗାଡି, ମଟର ଓ ପୋଲ । ମୃତ୍ୟୁ ସଂଖ୍ୟା ଟପିଲା ୩୦

111

କନକ ବ୍ୟୁରୋ: ପ୍ରବଳ ବର୍ଷା ପରେ ବନ୍ୟାରେ ବେହାଲ କେରଳ । ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟାରେ ପ୍ରଭାବିତ ହୋଇଛି ରାଜ୍ୟର ୧୧ଟି ଜିଲ୍ଲା । ନଦୀରେ ବନ୍ୟା ଆସି ମାତ୍ର କିଛି ଘଣ୍ଟାରେ ଭସାଇ ନେଇଛି ଘର ଦ୍ୱାର । ଲଗାଣ ବର୍ଷା ଫଳରେ ବନ୍ୟା ଓ ଭୁସ୍ଖଳନ ପାଇଁ ଘର ଦ୍ୱାର ସମେତ ଭାସି ଯାଇଛି ପୋଲ । ମନିମାଳା ନଦୀରେ ବନ୍ୟା ଆସିବା ଫଳରେ ମୁଣ୍ଡାକାୟମ ସହରରେ ଥିବା ଏକ କୋଠା ଭାସି ଯାଇଛି । ଭୁସ୍କଳନ ଓ ଆକସ୍ମିକ ବନ୍ୟାରେ ବହୁ ଧନ ଜୀବନ ନଷ୍ଟ ହୋଇଛି । ୪ଦିନର ବର୍ଷାରେ ଭାସିଛି କେରଳର ୧୧ଟି ଜିଲ୍ଲା ।

ବର୍ଷା ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି କେରଳଳ କୋଟାୟମ ଜିଲ୍ଲା । କୁଟାକଲ ଓ କୋକୟାରରେ ସେନାବାହୀନି,ଏନଡିଆରଏଫ, ପୁଲିସ ଓ ଅଗ୍ନିଶମ ବିଭାଗ ପହଁଚି ବନ୍ୟା ବିପନ୍ନଙ୍କୁ ଉଦ୍ଧାର କରୁଛି । ମୂଷଳଧାରା ବର୍ଷା ବିଭିନ୍ନ ସ୍ଥାନରେ ଭୁସ୍କଳନ ହୋଇଛି । ଘଟଣାରେ ଅନେକ ଲୋକ ଏବେବି ନିଖୋଜ ରହିଛନ୍ତି ଘର ଉପରେ ବିଶାଳ ଗଛ ଓ ମାଟି ଅତଡା ଖସିବା ଯୋଗୁଁ ଧନଜୀବନ ହାନି ହୋଇଛି । ଅନେକ ସ୍ଥାନରେ ପୋଲ ଉପରେ ନଦୀର ବନ୍ୟା ପାଣି ବହୁଥିବାବେଳେ ଆଉ କେଉଁଠି କେଉଁଠି ବନ୍ୟା ପାଣିରେ ପୋଲ ଭାସିଯାଇଥିବା ଦେଖିବାକୁ ମିଳିଛି ।

କେରଳର ବର୍ତ୍ତମାନ ସ୍ଥିତିର ସମୀକ୍ଷା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନଙ୍କ ସହ ଫୋନରେ କଥାବାର୍ତ୍ତା ହୋଇ ସମସ୍ତ ପ୍ରକାର ସାହାଯ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଗୃହମନ୍ତ୍ରୀ । ସେପଟେ ବନ୍ୟା ପାଇଁ ରାଜ୍ୟରେ ଜରୁରୀକାଳୀନ ସ୍ଥିତିର ଘୋଷଣା କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ବନ୍ୟାରେ ୩୫ଜଣଙ୍କ ଜୀବନ ଗଲାଣି । କୋଟାୟମ ସମେତ ୬ଟି ଜିଲ୍ଲା ପାଇଁ ରେଡ୍ ଆର୍ଲଟ ଜାରି କରିଛି କେନ୍ଦ୍ର ପାଣିପାଗ ବିଭାଗ । ସେହିପରି ୧୦ଟି ଡ୍ୟାମରେ ଜଳ ସ୍ତର ବଢୁଥିବାରୁ ରେଡ୍୍ ଆଲର୍ଟ ଜାରି କରାଯାଇଛି । ୧୫ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ଅତଡା ଖସୁଛି । ସେପଟେ ବନ୍ୟା ବିପନ୍ନଙ୍କ ନିକଟରେ ପହଁଚି ଯଥା ସମ୍ଭବ ସାହାଯ୍ୟ କରୁଛି ଭାରତୀୟ ସେନା ଓ ଏନଡିଆରଏଫ ଟିମ । ଲୋକଙ୍କୁ ଉଦ୍ଧାର କରି ଆଶ୍ରୟ ଶିବିରରେ ଥଇଥାନ କରିବା ସହ ରିଲିଫ ଯୋଗାଯାଉଛି ।