ଶାଢି ପିନ୍ଧି ବସ୍ ପଛରେ ଦୌଡିଲେ … ବୃଦ୍ଧ ଦୃଷ୍ଟିହୀନବ୍ୟକ୍ତିଙ୍କୁ ବସରେ ବସାଇ ମାନବିକତାର ମିଶାଲ୍ ଦେଲେ ସୁପ୍ରିୟା । ସୋସିଆଲ୍ ମିଡ଼ିଆ ଦେଖିଲା ସୁପ୍ରିୟାଙ୍କ ସହାୟତା , ଦେଖନ୍ତୁ ଭିଡ଼ିଓ

1,126

ସାହାର୍ଯ୍ୟ , ସହାୟତା ଏବଂ ସେବାର ବଶବର୍ତ୍ତୀ ମଣିଷ ସବୁବେଳେ ଖୁସିରେ ରହିଥାଏ । ପରିବାରରେ ପିଲାବେଳେ ଅସହାୟକୁ ସହାୟତା କରିବାର ସଂସ୍କାର ମଧ୍ୟ ଦିଆଯାଏ । ଆଜିର ସମାଜ ସ୍ୱାର୍ଥପରତା ଆଡ଼କୁ ଅଗ୍ରସର ହେଲେ ବି ଏବେବି କିଛି ଲୋକଙ୍କର ମାନବିକତା ମିଶାଲ୍ ଦେଖିବାକୁ ମିଳେ । ଏହି ପରୋପକାରୀ ମଣିଷ ମାନେ ହିଁ ତ ‘ମାନବ ସେବା ହିଁ ମାଧବ ସେବା’ ଉକ୍ତିଟିକୁ ଜୀବିତ କରି ରଖିଛନ୍ତି । ଆଉ ଏହିଭଳି ଦେବଦୂତମାନଙ୍କୁ ସମାଜ ଆଗରେ ଠିଆ କରିବାର ମାଧ୍ୟମ ପାଲଟିଛି ସୋସିଆଲ୍ ମିଡ଼ିଆ । ଏବେ ସୋସିଆଲ୍ ମିଡ଼ିଆରେ କେରଳର ତିରୁବଲ୍ଲା ସହରର ଏକ ଭିଡ଼ିଓ ଭାଇରାଲ୍ ହେଉଛି । ଭିଡ଼ିଓରେ ଜଣେ ମହିଳା ବସ୍ ପଛରେ ଦୌଡୁଥିବା ଦେଖିବାକୁ ମିଳୁଛି । ପ୍ରଥମେ ପ୍ରଥମେ ତାଙ୍କ ବସ୍ ମିସ୍ ହେବା କାରଣରୁ ସେ ଦୌଡୁଥିଲା ଭଳି ଲାଗୁଥିଲେ ବି ପୁରା ଭିଡ଼ିଓ ଦେଖିଲେ ତାଙ୍କ ମାନବତାକୁ ସଲାମ୍ କରିବାକୁ ଇଚ୍ଛା ହେଉଛି ।

ଶାଢୀ ପିନ୍ଧି ବସ୍ ପଛରେ ଦୌଡୁଥିବା ଏହି ମହିଳାଙ୍କ ନାଁ ହେଉଛି ସୁପ୍ରିୟା । ଭିଡ଼ିଓରେ ଦେଖାଯାଉଛି ଯେ , ସୁପ୍ରିୟା ବସ୍ ପଛରେ ଦୌଡ଼ି କଣ୍ଡକ୍ଟରଙ୍କ ସହ କିଛି କଥାବାର୍ତ୍ତା କରୁଛନ୍ତି ହେଲେ ବସକୁ ଚଢିବା ବଦଳରେ ସେ ପୁଣି ପଛକୁ ଫେରୁଛନ୍ତି । ତା’ପରେ ସେ ଜଣେ ବୃଦ୍ଧ ଚକ୍ଷୁହୀନ ବ୍ୟକ୍ତିଙ୍କ ହାତ ଧରି ତାଙ୍କୁ ବସରେ ବସାଉଛନ୍ତି । ଏହି ଦୃଶ୍ୟକୁ ଜଣେ ନିଜ କ୍ୟାମେରାରେ ଉତ୍ତୋଳନ କରିଥିଲେ ଏବଂ ପରେ ସୋସିଆଲ୍ ମିଡ଼ିଆରେ ଭିଡ଼ିଓଟି ଖୁବ୍ ଭାଇରାଲ୍ ହୋଇଥିଲା । ଭିଡ଼ିଓଟିକୁ ଆଇପିଏସ୍ ଅଧିକାରୀ ବିଜୟ କୁମାର ନିଜ ଟ୍ୱିଟର୍ ହ୍ୟାଣ୍ଡଲରେ ସେୟାର୍ କରି ମହିଳାଙ୍କ ପ୍ରଶଂସା କରିଛନ୍ତି । ଖାଲି ଆଇପିଏସ୍ ଅଫିସର୍ ନୁହଁନ୍ତି ଭିଡ଼ିଓଟିକୁ ଯେ କେହିବି ଦେଖୁଛନ୍ତି ସୁପ୍ରିୟାଙ୍କ ପ୍ରଶଂସା କରୁଛନ୍ତି । ସୂଚନା ଅନୁସାରେ , ସୁପ୍ରିୟା ୩ ବର୍ଷ ହେଲା ଜଲି ସିଲ୍କ ନାମକ ଏକ କପଡ଼ା ଦୋକାନରେ କାମ କରିଆସୁଛନ୍ତି । ସେ ଦୋକାନ ବାହାରେ ଠିଆ ହୋଇଥିବା ବେଳେ ବୃଦ୍ଧ ଅନ୍ଧବ୍ୟକ୍ତିଙ୍କୁ ଏଭଳି ଅବସ୍ଥାରେ ଦେଖିଥିଲେ ଏବଂ ତାଙ୍କ ସହାୟତା ପାଇଁ ଆଗକୁ ଆସିଥିଲେ ।