କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେରଳ ଗସ୍ତ ପୂର୍ବରୁ ଏକ ଧମକପୂର୍ଣ୍ଣ ଚିଠି ମିଳିଛି । ଏହାପରେ ପୁରା କେରଳରେ ହାଇ ଆଲର୍ଟ ଜାରି କରାଯାଇଛି । କେରଳ ବିଜେପି ଅଧ୍ୟକ୍ଷ କେ ସୁରେନ୍ଦ୍ରନଙ୍କୁ ମିଳିଥିବା ଏହି ଚିଠିରେ ଏପ୍ରିଲ ୨୪ ତାରିଖରେ କୋଚିଠାରେ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଆତ୍ମଘାତି ବୋମା ବିସ୍ଫୋରଣର ଧମକ ଦିଆଯାଇଛି । କେ.ସୁରେନ୍ଦ୍ରନ ପୋଲିସକୁ ଏହି ଧମକପୂର୍ଣ୍ଣ ଚିଠି ହସ୍ତାନ୍ତର କରିଛନ୍ତି । ଏହି ଚିଠି ପଠାଇଥିବା ଲୋକ ଚିଠିରେ ନିଜ ନାମ ଓ ଠିକଣା ମଧ୍ୟ ଉଲ୍ଲେଖ କରିଛି । ପୋଲିସ ଏବେ ସେହି ଠିକଣାରେ ପହଂଚିଛି ।

Advertisment

ପୋଲିସ ମୁତାବକ ଏହି ଚିଠିରେ ଯେଉଁ ଠିକଣା ଲେଖାଯାଇଥିଲା ସେହି ଠିକଣାରେ ଜଣେ ବ୍ୟକ୍ତିଙ୍କୁ ଠାବ କରାଯାଇଛି । ବ୍ୟକ୍ତି ଜଣଙ୍କ ଏହି ଚଠି ବାବଦରେ ଶୁଣିବା ପରେ ଭୟଭିତ ହୋଇଯାଇଛନ୍ତି । ସେ ଏଭଳି କୌଣସି ଚିଠି ଲେଖିନଥିବା କଥା କହିଛନ୍ତି । ତାଙ୍କୁ ଫଶାଇବାକୁ କେହି ଏଭଳି ଷଡଯନ୍ତ୍ର କରିଥିବା କଥା ସେ କହିଛନ୍ତି । ହେଲେ ଚିଠିକୁ ନେଇ ପୋଲିସ ଏବେ କେରଳରେ ହାଇଆଲର୍ଟ ଜାରି କରିଛି । ପ୍ରତିଟି ରାସ୍ତାରେ ଗାଡିଗୁଡିକୁ ଚେକିଂ କରାଯାଉଛି । ବସଷ୍ଟାଣ୍ଡ, ରେଳ ଷ୍ଟେସନ ଓ ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥା କଡାକଡଇ କରାଯାଇଛି ।

ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଏହି ଚିଠିଟି କୋଚ୍ଚି ଠିକଣାରୁ ପଠାଯାଇଛି ଓ ଚିଠିଟି ମଲୟାଲମ ଭାଷାରେ ଲେଖାଯାଇଛି । ଚିଠିରେ ଲେଖାଥିବା ନାମ ହେଉଛି ଏନକେ ଜନୀ । ପୋଲିସ କହିଛି କି, ଚିଠିରେ ଲେଖାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଭଳି ଅବସ୍ଥା ଭୋଗିବାକୁ ପଡିବ ।