କେରଳରେ ବର୍ଷାର ତାଣ୍ଡବ । ପାଣିରେ ଭାସିଯାଇ ଜଣଙ୍କର ମୃତ୍ୟୁ, ୧୦ ଜଣ ନିଖୋଜ

91

କନକ ବ୍ୟୁରୋ : ଆଜି କେରେଳର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ହଠାତ ମୌସୁମୀ ବଦଳିଯିବାରୁ ଏଭଳି ବର୍ଷା ହୋଇଥିବା କଥା କୁହାଯାଇଛି । ପ୍ରବଳ ବର୍ଷର ଫଳରେ ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳରେ ବନ୍ୟାଭଳି ପରିସ୍ଥିତି ଦେଖା ଦେଇଛି । କିଛି ଅଞ୍ଚଳରେ ଭୂସ୍ଖଳନ ବି ହୋଇଛି । କୋଟ୍ଟାୟମ ଓ ଇଡକ୍କି ଜିଲ୍ଲାରେ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ଫଳରେ ରାସ୍ତାରେ ଶହ ଶହ ଗାଡି ଫସି ରହିଛି । ସରକାର ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଉଦ୍ଧାର କାର୍ଯ୍ୟରେ ସ୍ଥଳସେନା ଓ ବାୟୁସେନାର ଯବାନମାନେ ନିୟୋଜିତ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଇଡକ୍କି ଓ କୋଟ୍ଟାୟମ ଜିଲ୍ଲାରେ ଭୂସ୍ଖଳନ ଫଳରେ ଅନେକ ଲୋକ ଫସି ରହିଛନ୍ତି । ଏହାସହ ୧୦ ଜଣ ନିଖୋଜ ଥିବା କଥା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦେଇଛନ୍ତି ।

ପ୍ରବଳ ବର୍ଷା କାରଣରୁ ଇଡ୍ଡକି ଓ କୋଟ୍ଟାୟମ ଜିଲ୍ଲାରେ ଜଣେ ଲୋକର ମୃତ୍ୟୁ ହୋଇଛି । ବର୍ଷାର ପରିମାଣ ଏତେ ରହିଛି କି ସେହି ସ୍ଥାନରେ ପୋଲିସ ଓ ଅଗ୍ନିସମ କର୍ମଚାରୀ ପହଂଚିପାରି ନାହାଁନ୍ତି । ଅନ୍ୟପଟେ ପାଣିପାଗ ବିଭାଗ ରାଜ୍ୟର ଆହୁରି ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି ।

 

ସେପଟେ ପ୍ରବଳ ବର୍ଷାକୁ ନଜରରେ ରଖି ପାତନମିଥିଟ୍ଟା, କୋଟ୍ଟାୟମ, ଏର୍ନାକୁଲମ୍, ଇଡକ୍କି, ତ୍ରିଶୁର ଜିଲ୍ଲାରେ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହାସହ ଥିରୁଅନନ୍ତପୁରମ୍,କୋଲ୍ଲମ, ଆଲ୍ଲାପୁଝା, ମଲପୁରମ୍, କୋଝିକୋଡ ଓ ୱାଇନାଡୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।