କେରଳରେ ଥମିବାର ନା ନେଉନି କରୋନା । ଆଜି ୩୩ ହଜାର ଉପରେ ସଂକ୍ରମଣ, ଆକ୍ସନ ମୋଡରେ କେନ୍ଦ୍ର

75

କନକ ବ୍ୟୁରୋ : କେରଳରେ କରୋନା ସଂକ୍ରମଣ ଏବେ ପୁରା ଦେଶକୁ ଚିନ୍ତାରେ ପକାଇଛି । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୨,୮୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଗତ ୨୪ ଘଂଟା ମଧ୍ୟରେ ୨୧.୬୧୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ଓ ୧୭୩ ଜଣଙ୍କର ମୃତ୍ୟୁ ହୋଇଛି । କେରଳରେ ଏଭଳି ସ୍ଥିତି ଲାଗି ରହିଥିବା ବେଳେ ପଡୋଶୀ ରାଜ୍ୟ ତାମିଲନାଡୁ ଓ କର୍ଣ୍ଣାଟକରେ ସଂକ୍ରମଣ ବଢିବା ନେଇ ଆଶଂକା ପ୍ରକାଶ ପାଇଛି । ଏହାକୁ ନଜରରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟା ଆଜି ସମୀକ୍ଷା ବୈଠକ କରିଛନ୍ତି ।

ଏହି ବୈଠକ ପରେ କେନ୍ଦ୍ର ତରଫରୁ କର୍ଣ୍ଣାଟକ ଓ ତାମିଲନାଡୁ ସ୍ୱସ୍ଥ୍ୟମନ୍ତ୍ରୀଙ୍କ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । କେନ୍ଦ୍ର ତରଫରୁ କୁହାଯାଇଛି କି କେରଳ ସୀମାକୁ ଲାଗିଥିବା ତାମିଲନାଡୁ ଓ କର୍ଣ୍ଣାଟକର ଜିଲ୍ଲା ମାନଙ୍କରେ ସଚେତନତା ଓ ଟକାକରଣକୁ ପ୍ରାଧାନ୍ୟ ଦିଆଯିବା ଆବଶ୍ୟକ । ଅନ୍ୟପଟେ କେରଳରେ ସଂକ୍ରମଣ ରୋକିବାକୁ ଲକଡାଉନ ଜରୁରୀ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।

କହିରଖୁ କି ସାରା ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ କିଛିମାତ୍ରାରେ କମିଛି । ହେଲେ କେରଳ ଗୋଟିଏ ରାଜ୍ୟ ଯେଉଁଠି ସାରା ଦେଶରୁ ଚିହ୍ନଟ ହେଉଥିବା ସଂକ୍ରମଣର ୬୦ ପ୍ରତିଶତ କେବଳ କେରଳରୁ ଚିହ୍ନଟ ହେଉଛନ୍ତି । ଏହାକୁ ନଜରରେ ରଖି କେରଳ ସରକାର ଶନିବାର ସଟଡାଉନ ଓ ରବିବାରକୁ ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି ।