ଚିନ୍ତା ବଢାଉଛି କେରଳର ଦୈନିକ ସଂକ୍ରମଣ : ଓନାମ ପର୍ବ ପାଇଁ ସଂକ୍ରମଣ ବଢିଥିବା ଆଶଙ୍କା

ଗତ ୨୪ଘଂଟାରେ ୩୧ହଜାର ୪୪୫ଲୋକଙ୍କୁ ସଂକ୍ରମଣ । ରାଜ୍ୟ ଆଇଏମଏ ସଚିବ କହିଲେ, ସରକାରଙ୍କ ଘୋଷଣା ଠାରୁ ୩ଗୁଣା ଅଧିକ ହୋଇପାରେ ସଂକ୍ରମଣ । ରାଜ୍ୟ ସରକାର କହିଲେ, ଦିନକୁ କରାଯିବ ୨ଲକ୍ଷ ଟେଷ୍ଟ

210

କନକ ବ୍ୟୁରୋ : ଦେଶରେ ସମ୍ଭାବ୍ୟ ତୃତୀୟ ଲହର ନେଇ ଆଶଙ୍କା ଓ ଆକଳନ ଲାଗି ରହିଥିବା ବେଳେ କେରଳର ଦୈନିକ ସଂକ୍ରମଣ ଏବେ ଚିନ୍ତାର କାରଣ ପାଲଟିଛି । ଗତ ୨୪ ଘଂଟାରେ କେରଳରେ ୩୧ ହଜାର ୪୪୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଟିପିଆର ରହିଛି ୧୯.୩ ପ୍ରତିଶତ । ତିନି ମାସ ପରେ ରାଜ୍ୟରେ ୩୦ ହଜାର ଉପରେ ସଂକ୍ରମଣ ଆସିଛି । ମେ’ ୨୦ ତାରିଖରେ ଶେଷ ଥର ପାଇଁ ୩୦ ହଜାର ୪୯୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଇଏମ୍ଏ ସଚିବ ଡକ୍ଟର ଗୋପିକୁମାର ପି. ଙ୍କ ସୂଚନା ଅନୁସାରେ ସରକାର ଯେତିକି ଘୋଷଣା କରିଛନ୍ତି, ତାଠାରୁ ୩ ଗୁଣା ହୋଇପାରେ ସଂକ୍ରମଣ ।

ଓନାମ ପର୍ବ ପାଇଁ ସଂକ୍ରମଣ ବଢିଥିବା ଆଶଙ୍କା କରାଯାଉଛି । ଗତ ୨୪ ଘଂଟାରେ ୨୧୫ ଆକ୍ରାନ୍ତଙ୍କ ଜୀବନ ଯାଇଛି । ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୧୯ ହଜାର ୯୭୨ରେ ପହଂଚିଛି । ଅଗଷ୍ଟ ୫ ତାରିଖ ପୂର୍ବରୁ ରାଜ୍ୟରେ ପ୍ରତ୍ୟେକ ଦିନ ୨ ଲକ୍ଷ କୋଭିଡ୍ ଟେଷ୍ଟ ହେଉଥିଲା । କଟକଣା କୋହଳ ହେବା ପରେ ଏହି ସଂଖ୍ୟା ଦେଢ ଲକ୍ଷରୁ କମ୍ ହୋଇଥିଲା । ଓମାନ୍ ସପ୍ତାହରେ ପ୍ରତ୍ୟେକ ଦିନ ୧ ଲକ୍ଷ ୨୦ ହଜାର ନମୁନା ପରୀକ୍ଷା କରାଯାଇଥିଲା । ଗତ କିଛି ଦିନ ଧରି କେରଳରେ ସବୁଠୁ ଅଧିକ ସଂକ୍ରମଣ ଚିହ୍ନଟ ହେଉଛନ୍ତି । କେରଳରୁ ତୃତୀୟ ଲହର ଆରମ୍ଭ ହେଲା କି, ଏହି ସଂଦେହ ସୃଷ୍ଟି ହୋଇଛି ।